ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଭୁଶୁଡ଼ି ପଡିଥିଲା ଆଇନ୍‌ ବ୍ୟବସ୍ଥା: ଗଡ଼ିଥିଲା ମୁଣ୍ଡ, ରକ୍ତରେ ଭିଜିଲା ଶ୍ରୀକ୍ଷେତ୍ର...

Published By : Prameya | December 19, 2024 11:00 AM

ପୁରୀ ୧୯/୧୨(ବିକ୍ରମ କେଶରୀ ଆଚାର୍ଯ୍ୟ): ଧାର୍ମିକ ସହର ଶ୍ରୀକ୍ଷେତ୍ର ଚଳିତ ବର୍ଷ ଅପରାଧୀଙ୍କ ପ୍ରତିଶୋଧ ଓ ପତିଆରା ପାଇଁ  ବହୁବାର ରକ୍ତ ରଞ୍ଜିତ ହୋଇପଡ଼ିଛି । ପ୍ରତିଶୋଧ ଓ ପତିଆରା ଲଢ଼େଇରେ ଏକାଧିକ ଗ୍ୟାଙ୍ଗର ସଦସ୍ୟଙ୍କ ମୁଣ୍ଡ ଗଡ଼ିଥିଲା । ଏମିତିକି ଶ୍ରୀମନ୍ଦିର ଚାରିପାଶ୍ୱର୍ରୁ ଆରମ୍ଭ କରି  ବଡ଼ଦାଣ୍ଡ ଓ ବେଳାଭୂମି ବି ରକ୍ତରେ ଭିଜିଥିଲା । ସୁରକ୍ଷା ଦେଉଥିବା ପୁଲିସ ବି ଅପରାଧୀଙ୍କ  ଆକ୍ରମଣରେ ଲହୁଲୁହାଣ ହୋଇଥିଲା । ବର୍ଷର ଅର୍ଦ୍ଧରେ ନରେନ୍ଦ୍ର ଭଉଁରି ଯାତ୍ରାରେ ବାଣ  ବିସ୍ଫୋରଣ ସାରା ସହରକୁ ଥରାଇ ଦେଇଥିଲା । ଦେଇଯାଇଥିଲା ଶ୍ରୀକ୍ଷେତ୍ରକୁ ଅସରନ୍ତି  ଦୁଃଖ । ୧୭ ଜଣଙ୍କ ପ୍ରାଣ ହାନି ହୋଇଥିଲା । ଖାଲି ଯେ ଶ୍ରୀକ୍ଷେତ୍ରରେ ଅପରାଧୀଙ୍କ ଉତ୍ପାତ  ସୀମା ଟପିଛି ତାହା ନୁହେଁ । ଜିଲ୍ଲାର ଅନ୍ୟ ଥାନା ଅଞ୍ଚଳରେ ବନ୍ଧୁକର ଗର୍ଜନ, ବୋମାମାଡ଼  ଅଶାନ୍ତି ଭରିଦେଇଥିଲା । ହତ୍ୟା, ଚୋରି, ଡକାୟତି, ବଳାତ୍କାର, ଛିନ୍‌ତାଇ ଭଳି ଅପରାଧ  ଘଟାଇ ଅପରାଧୀ ନିଜର ଅସ୍ତିତ୍ୱ ଜାହିର୍‌ କରିଛନ୍ତି । ଅପରାଧକୁ ନିୟନ୍ତ୍ରଣ କରିବାରେ  ପୁଲିସର ଉଦ୍ୟମ ମଧ୍ୟ କମ୍‌ ନଥିଲା । ବର୍ଷରେ ୨ ଜଣ ଏସ୍‌ପିଙ୍କ ବଦଳି ହୋଇଥିଲେ ମଧ୍ୟ  ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସାବାଡ଼୍‌ କରିବା ପାଇଁ ପୁଲିସ ବିଭିନ୍ନ ରଣନୀତି ଆପଣାଇ ସଫଳ  ହୋଇଥିଲା।

ପ୍ରତିହିଂସା ପାଇଁ ଗଡ଼ିଥିଲା ୩ ମୁଣ୍ଡ

ପୂର୍ବ ଶତ୍ରୁତାର ପ୍ରତିଶୋଧ ଏବଂ  ପତିଆରା ପାଇଁ ପୁରୀ ସହରରେ  ୨୦୨୪ରେ ଗଡ଼ିଥିଲା ୩ ମୁଣ୍ଡ ।  ଅଗଷ୍ଟ ୮ ତାରିଖ ରାତିରେ ଟାଉନ୍‌ ଥାନା ଅଧୀନ ମାର୍କଣ୍ଡେଶ୍ୱର ସାହି  ରାଧାଗୋବିନ୍ଦ ଲେନ୍‌ର ଦୀନେଶ  ଖୁଣ୍ଟିଆ ଓରଫ ଠାକୁରଙ୍କୁ ହତ୍ୟା  କରାଯାଇଥିଲା । ବଡ଼ଭାଇକୁ  ଫୋନ୍‌ କଲ୍‌ରେ ରଖି ସାନ ଭାଇ  ଦୀନେଶକୁ ଭୁଜାଲିରେ ହାଣି  ହତ୍ୟା କରିଥିଲେ ଦୁର୍ବୃତ୍ତ । ଏହି  ଘଟଣାର ଠିକ୍‌ ୧୨ ଦିନରେ ଅର୍ଥାତ ଅଗଷ୍ଟ  ୧୯ରେ ପ୍ରତିଶୋଧ ନେଇଥିଲେ ଦୀନେଶର  ସହଯୋଗୀ । ହତ୍ୟାକାଣ୍ଡରେ ସମ୍ପୃକ୍ତ ମାର୍କଣ୍ଡେଶ୍ୱର  ସାହି ରାଧାଗୋବିନ୍ଦ ଲେନ୍‌ର ପ୍ରଦୀପ୍ତ ସାହୁ  ଓରଫ କାହ୍ନା ସହ ମୋଟ ୪ ଜଣ ଯୁବକ  ଜେଲ୍‌ ଯାଇଥିଲା । କାହ୍ନା ଜେଲ୍‌ରେ ଥିବା  ବେଳେ ତା’ ଭିନ୍ନକ୍ଷମ ବାପା ହରିହର ସାହୁଙ୍କୁ  ହତ୍ୟା କରିଥିଲେ ଦୀନେଶର ସହଯୋଗୀ ।  ସେହିପରି ପତିଆର ପାଇଁ କୁମ୍ଭାରପଡ଼ା  ଥାନା ଅଧୀନ ଅକ୍ଟୋବର ୯ରେ ରାୟବାହାଦୂର୍‌  ଲେନ୍‌ର ରାକେଶ କୁମାର ମହାପାତ୍ର ଓରଫ  ଚନ୍ଦନକୁ ଛୁରି ଭୁସି ହତ୍ୟା କରାଯାଇଥିଲା ।  ଗ୍ୟାଙ୍ଗ୍‌ୱାର୍‌କୁ କେନ୍ଦ୍ର କରି ଗତ ୨୦୨୨  ଜାନୁଆରୀ ୨ରେ ରାୟବାହାଦୂର ଲେନ୍‌ରେ  ବିକି ନାୟକକୁ ହତ୍ୟା କରାଯାଇଥିଲା ।  ପ୍ରତିଶୋଧ ନେବା ପାଇଁ ସେହି ଲେନ୍‌ରେ  ପୁଣି ହତ୍ୟାକାଣ୍ଡ ରଚିଥିଲା ବିକିର ସାନଭାଇ  ରକି ନାୟକ । ବିକି ହତ୍ୟା ମାମଲାରେ  ଜାମିନ୍‌ରେ ଫରିଥିବା ଚନ୍ଦନକୁ ହତ୍ୟା  କରିଥିଲା ରକି ଓ ତା’ ସହଯୋଗୀ ।  ମାମଲାରେ ରକି ସହ ତା’ ବାପା, ଦାଦା,  ଭିଣୋଇ ଓ ସାଙ୍ଗ ଜେଲ୍‌ ଯାଇଥିଲେ । ଚନ୍ଦନଙ୍କ  ଗୋଷ୍ଠୀ ରକିର ଭାଇ ବିକକୁ ହତ୍ୟା କରିବା  ସହ ତା’ ବାପା ରଞ୍ଜିତ ନାୟକର ବାମ ହାତ  ପାପୁଲି ହାଣି ଝୁଲାଇ ଦେଇଥିଲେ । ଏହାର  ପ୍ରତିଶୋଧ ନେଇ ଚନ୍ଦନଙ୍କୁ ହତ୍ୟା କରାଯାଇଥିଲା ।

୫ ମନ୍ଦିରରୁ ଚୋରି

ଫେବ୍ରୁଆରୀ ୧୨ ରାତିରେ ତାଳବଣିଆ ଥାନା ଅଧୀନ ଆଶ୍ରମ ଛକ ନିକଟସ୍ଥ ବାବା ମୁକ୍ତେଶ୍ୱର ମହାଦେବଙ୍କ  ମନ୍ଦିରରେ କଳାକନା ବୁଲାଇଥିଲେ ଦୁର୍ବୃତ୍ତ । ଚଳନ୍ତି ପ୍ରତିମା ସିଂହାସନରୁ ଉଠାଇ ନେବା ସହ ମନ୍ଦିରରୁ ପିତ୍ତଳ  ମୂର୍ତ୍ତି ସୁନା ମଙ୍ଗଳସୂତ୍ର, ରୁପା ପାଉଁଜି, ଚେନ୍‌, ଅଣ୍ଟାବିଛା, ଖଡ଼ୁ, ମହାଦେବଙ୍କ ସୁନା ଲକେଟ୍‌ ଓ ଏକ ସାଉଣ୍ଡ୍‌  ମେସିନ୍‌ ଚୋରି କରିଥିଲେ । ଫେବ୍ରୁଆରୀ ୨୨ ରାତିରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପାଶ୍ୱର୍ କପାଳମୋଚନ  ମହାଦେବଙ୍କ ମନ୍ଦିରରୁ କଳା ମୁଗୁନି ପଥରରେ ନିର୍ମିତ ନୃସିଂହ ଠାକୁରଙ୍କ ମୂର୍ତ୍ତି ତାଡ଼ିନେଲେ  ଚୋର । ମାର୍ଚ୍ଚ ୧୫ ତାରିଖ  ରାତିରେ ରାମଚଣ୍ଡୀ ଥାନା  ଅଧୀନ ଭୂଆଁ ଗାଁର  ଷୋଳପୁଅ ମା’ଙ୍କ ସୁନା ଆଖି ତାଡ଼ିନେବା ସହ ସମସ୍ତ ଅଳଙ୍କାର  ଚୋରି କରିଥିଲେ ଦୁର୍ବୃତ୍ତ । ମାର୍ଚ୍ଚ ୨୯ ତାରିଖ ରାତିରେ ପେଣ୍ଠକଟା  ମେରାଇନ୍‌ ଥାନା ଅଧୀନ ବାଇଦାସ ନଗରରସ୍ଥିତ ତ୍ରିନାଥ  ମଣ୍ଡପରେ ଥିବା ମନ୍ଦିରରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ  ସହ ୨ଟି ଗଣେଶ ମୂର୍ତ୍ତି ଚୋରି ହୋଇଥିଲା ।  ଡିସେମ୍ବର ୫ ତାରିଖ ରାତିରେ ଅଠରନଳା  ନିକଟରେ ଥିବା ବୈଦ୍ୟନାଥ ମନ୍ଦିରରୁ  କେହି ଦୁର୍ବୃତ୍ତ ରୁପାର ବେଲପତ୍ର  ମାଳ ଓ ଏକ ଢାଳ ଚୋରି  କରି ନେଇଥିଲା ।

ରାଜପଥ ଲୁଟେରାଙ୍କ ଆତଙ୍କ 

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଲୁଟେରା ଆତଙ୍କ ଚଳାଇଥିଲେ । ଚଳନ୍ତା ଗାଡ଼ିକୁ  ଗୋଇଠା ମାରି ଲୁଟ୍‌ପାଟ୍‌ କରୁଥିଲେ । ମାର୍ଚ୍ଚ ୨୨ରେ ଚନ୍ଦନପୁର ବାଇପାସ୍‌ରେ ସ୍ୱାମୀଙ୍କ  ସହ ଏକ ଗିଅର ବିହୀନ ସ୍କୁଟର ଯାଉଥିବା ଗୀତାଞ୍ଜଳି ସାମନ୍ତରାୟଙ୍କ ବେକରୁ  ଚେନ୍‌ ଛିଣ୍ଡାଇ ଥିଲେ । ଫଳରେ ସେ ଗାଡ଼ିରୁ ପଡ଼ି ଗୁରୁତର ହୋଇଥିଲେ ।  ସେହିପରି ମେ ୧୨ରେ ସତ୍ୟବାଦୀ ବ୍ଲକ୍‌ ଛକଠାରେ ଦୁର୍ବୃତ୍ତମାନେ ଚଳନ୍ତା  ବାଇକକୁ ଗୋଇଠା ମାରିବାରୁ ଶିଶୁପୁତ୍ର ସହ ଦମ୍ପତି ପଡ଼ି ଗୁରୁତର  ଆହତ ହୋଇଥିଲେ । ପରଦିନ ଚନ୍ଦନପୁର ବାଇପାସ୍‌ରେ  ଚଳନ୍ତା ବାଇକକୁ ଗୋଇଠା ମାରି ଲୁଟିଥିଲେ ଦୁର୍ବୃତ୍ତ ।  ଏଥିରେ ଭାଇ ଭଉଣୀ ପଡ଼ି ଗୁରୁତର ଭାବେ  ଆହତ ହୋଇଥିଲେ । ଭଉଣୀ ହାତରୁ  ମୋବାଇଲ୍‌ ନେଇ ଯାଇଥିଲେ ଲୁଟେରା ।

� ଶ୍ରୀସେତୁ ତଳେ ହତ୍ୟା

 ଚଳିତ ମାସ ଡିସେମ୍ବର ୩ ତାରିଖ ରାତିରେ ଶ୍ରୀସେତୁ ତଳେ ଘଟିଥିଲା  ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ମଦ୍ୟପାନକୁ କେନ୍ଦ୍ର କରି ଜଳଖିଆ  ଦୋକାନୀ ଖଣ୍ଡିଆବନ୍ଧର ସୁଦର୍ଶନ ସାହୁଙ୍କୁ ବୀଭତ୍ସ ଭାବେ ହତ୍ୟା  କରାଯାଇଥିଲା । ଜଣେ ଅଟୋ ଚାଳକ ପ୍ରତିଶୋଧ ପରାୟଣ ହୋଇ  ସୁଦର୍ଶନଙ୍କ ମୁଣ୍ଡରେ ପେଭର୍‌ ବ୍ଲକ୍‌ ଛେଚି ହତ୍ୟା କରିଥିଲା । 

�ଜମି ପାଇଁ ବାପପୁଅଙ୍କୁ ମାରିଲେ 

ଜମି ବିବାଦରୁ ଲାଗି ରହିଥିବା ତିକ୍ତତାକୁ କେନ୍ଦ୍ର କରି ଅକ୍ଟୋବର ୩୦  ରାତିରେ ପେଣ୍ଠକଟା ମେରାଇନ୍‌ ଥାନା ଅଧୀନ ସମଙ୍ଗରା ଗ୍ରାମରେ  ବାପପୁଅଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା । ଗ୍ରାମର ରବୀନ୍ଦ୍ର  ସ୍ୱାଇଁ ଓରଫ ରବି ଓ ତାଙ୍କ ପୁଅ ପ୍ରକାଶ ସ୍ୱାଇଁଙ୍କୁ ଧାରୁଆ ଛୁରି ଓ ସିମେଣ୍ଟ  ଇଟାରେ ଆକ୍ରମଣ କରି ତାଙ୍କ ପଡ଼ୋଶୀମାନେ ହତ୍ୟା କରିଥିଲେ । ଏହି  ଘଟଣାରେ ପୁଲିସ ଗୋଟିଏ ପରିବାରର ୪ ଜଣଙ୍କୁ ବାନ୍ଧିଥିଲା । 

�ହୋଟେଲ୍‌ କର୍ମଚାରୀଙ୍କୁ ହାଣିଲେ 

ଏପ୍ରିଲ୍‌ ୨ ତାରିଖ ରାତିରେ ସିଟି ରୋଡ ନରେନ୍‌ ପ୍ୟାଲେସ୍‌ ଛକସ୍ଥିତ  ଲେପର୍ସି ହସ୍ପିଟାଲ୍‌ ପାଶ୍ୱର୍ ହାଡ଼ି ଗୋହିରୀରେ ଜଣେ ହୋଟେଲ୍‌ କର୍ମଚାରୀ  ବିକ୍ରମ କେଶରୀ ପ୍ରଧାନ ଓରଫ ରାଜାଙ୍କୁ କଲବଲ କରି ହାଣି ହତ୍ୟା  କରାଯାଇଥିଲା । ପ୍ରଥମେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା ।  ରାଜାଙ୍କୁ ତାଙ୍କର ଦୁଇ ବନ୍ଧୁ ପ୍ରଥମେ କାତିରେ ହାଣିବା ପରେ ପରିଚୟ  ଲୁଚାଇବାକୁ ମୁଣ୍ଡରେ ପଥର ଛେଚି ଦେଇଥିଲେ । ସିସିଟିଭିକୁ ଆଧାର  କରି ପୁଲିସ ୨ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । 

�ଶତାଧିକ ବାଇକ୍‌ ଚୋରି 

ଚଳିତ ବର୍ଷ ସହରରୁ ଶତାଧିକ ଅଧିକ ବାଇକ୍‌ ଚୋରି ହୋଇଛି । ମାତ୍ର  ହାତ ଗଣତି କିଛି ବାଇକ୍‌ ଓ ଗିଅର ବିହୀନ ସ୍କୁଟର୍‌ ଜବତ କରିଛି  ପୁଲିସ । ଅନେକ ଚୋରି ଏତଲାକୁ ନେଇ ପୁଲିସ ମାମଲା ରୁଜୁ କରି  ନ ଥିବା ଜଣାପଡ଼ିଛି । ମୁଖ୍ୟତଃ ସମୁଦ୍ର କୂଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ  ଶ୍ରୀମନ୍ଦିର ଚାରିପାଶ୍ୱର୍ରୁ ଦୁର୍ବୃତ୍ତମାନେ ଟାର୍ଗେଟ୍‌ କରି ଗାଡ଼ି ଚୋରି କରିଛନ୍ତି । 

�ଜୁଏଲାରୀ ଦୋକାନରୁ ଡକାୟତି 

ଫେବ୍ରୁଆରୀ ୨୩ ତାରିଖ ରାତିରେ କୁମ୍ଭାରପଡ଼ା ଥାନା ଅଧୀନ ଏସ୍‌ଆର୍‌  ଜୁଏଲର୍ସରେ ଡକାୟତି ହୋଇଥିଲା । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ମାଲିକ,  ତାଙ୍କ ପୁଅ ଓ ଜଣେ କର୍ମଚାରୀ ରକ୍ତାକ୍ତ ହୋଇଥିଲେ ।  

�ସୁପର୍‌ଭାଇଜର୍‌ଙ୍କୁ ଚୋଟ 

ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍‌ ଦେଇ ବରିଷ୍ଠ  ସୁପର୍‌ଭାଇଜର୍‌ ହରଚଣ୍ଡୀ ସାହିର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ  ଅକ୍ଟୋବର ୧୮ ରେ ପଶ୍ଚିମ ଦ୍ୱାର ନିକଟରେ ଦୁର୍ବୃତ୍ତ ହାଣିଥିଲେ ।  

�ସିସିଟିଭି ଧରାଇଲା ଲୁଟେରା ଗ୍ୟାଙ୍ଗ୍‌

 ବର୍ଷ ଶେଷ ସମୟରେ ଶ୍ରୀମନ୍ଦିର ସିସିଟିଭି ଯାଞ୍ଚ୍‌ କରି ଶ୍ରୀମନ୍ଦିର ଥାନା  ପୁଲିସ ଏକ ୭ ଜଣିଆ ବଙ୍ଗୀୟ ଲୁଟେରାଙ୍କୁ ଧରିଥିଲା । ନାଟମଣ୍ଡପ  ଭିତରେ ବୟସ୍କ ମହିଳା ଶ୍ରଦ୍ଧାଳୁଙ୍କ ବେକରୁ ସୁନା ଚେନ୍‌ ଝିଙ୍କି ନେବା  ପରେ ଧରାପଡ଼ିଥିଲେ ।  

�ବିପୁଳ ନିଶାଦ୍ରବ୍ୟ ଜବତ 

ଏପ୍ରିଲ୍‌ ୨୭ରେ ବେଆଇନ୍‌ କଫ୍‌ସିରପ୍‌ର ଏକ ର‌୍ୟାକେଟ୍‌ର  ପର୍ଦ୍ଦାଫାସ୍‌ କରିଥିଲା ସିଟି ପୁଲିସ । ୧୬ ହଜାର ୬୬୦ ବୋତଲ  ବେଆଇନ୍‌ କଫ୍‌ସିରପ୍‌ ଜବତ କରିଥିଲା । ଏହାର ବଜାର  ମୂଲ୍ୟ ୩୩ ଲକ୍ଷ ୩୨ ହଜାର ଟଙ୍କା । ଏହି ଘଟଣାରେ  ପୁଲିସ୍‌ ୫ ଜଣଙ୍କୁ ବାନ୍ଧିଥିଲା । ଅକ୍ଟୋବର ୧୯  ତାରିଖରେ ୪୦୪ ଗ୍ରାମ୍‌ ବ୍ରାଉନ୍‌ସୁଗର୍‌  ଜବତ କରି ଜେଲ୍‌ ଫେରନ୍ତା ମହିଳା  ଓ ତାଙ୍କ ପୁଅକୁ ଗିରଫ କରିଥିଲା  ପୁଲିସ । ବ୍ରାଉନ୍‌ସୁଗର୍‌ର  ମୂଲ୍ୟ ୪୦ ଲକ୍ଷ ୪୦  ହଜାର ଟଙ୍କା ।

ବେଳାଭୂମିରେ ହତ୍ୟା

ବଳିଆପଣ୍ଡା ବେଳାଭୂମିରେ ଅଗଷ୍ଟ ୧୩ ତାରିଖ ବିଳମ୍ବିତ ରାତିରେ  ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ମହୁମୁହାଣ ପଞ୍ଚାୟତ  ଯୋଡ଼ାମ୍ବ ଗ୍ରାମର ପ୍ରହଲ୍ଲାଦ ଦାସକୁ ହତ୍ୟା କରାଯାଇଥିଲା ।  ପ୍ରହଲ୍ଲାଦ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଅନେକ  ଅପରାଧରେ ସମ୍ପୃକ୍ତ ଥିଲା । ଡକାୟତି  ସମ୍ପତ୍ତିକୁ ସେ ତା’ର ଜଣେ ବନ୍ଧୁ ପାଖରେ  ଲୁଚାଇ ରଖିଥିଲା । ଜେଲ୍‌ରୁ ଫେରି  ଏସବୁକୁ ମାଗିବାରୁ ତା’ର  ସାଙ୍ଗ ତାକୁ ପୁରୀ ଆଣି  ଏଠାରେ ହତ୍ୟା  କରିଥିଲା ।

ଚାପୁଡ଼ା ପାଇଁ ଗଲା ୩ ଜୀବନ

ଚାପୁଡ଼ାର ପ୍ରତିଶୋଧ ପାଇଁ ଚନ୍ଦନପୁର ଥାନା ଅଞ୍ଚଳରେ  ୨ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ସଦର ଥାନା ଅଞ୍ଚଳରେ  ଘଟିଛି ଅନ୍ୟ ଏକ ହତ୍ୟାକାଣ୍ଡ । ଚନ୍ଦନପୁର ଥାନା ଅଧୀନ  କପ୍ତେଶ୍ୱର ଗାଁ ଦାଣ୍ଡରେ ନଭେମ୍ବର ୫ରେ ଗ୍ରାମର କାହ୍ନୁ ମଲ୍ଲିକଙ୍କୁ ଗୋଟିଏ  ପରିବାରର ସଦସ୍ୟମାନେ ମିଶି ହତ୍ୟା କରିଥିଲେ । କାହ୍ନୁଙ୍କଠାରୁ ସେହିଗ୍ରାମର  ବିଜୟ ୨ ହଜାର ଟଙ୍କା ଧାର୍‌ ନେଇଥିଲା । ବାକି ୧ ହଜାର ଟଙ୍କା ଫେରସ୍ତ ମାଗିବାକୁ  ଯାଇଥିବା କାହ୍ନୁ ବିଜୟର ଭଉଣୀକୁ ରାଗରେ ଚାପୁଡ଼ା ମରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ  ଭାଇ, ଭଉଣୀ, ଭିଣୋଇ, ମା’ ମିଶି କାହ୍ନୁଙ୍କୁ ହତ୍ୟା କରିଥିଲେ । ସେହିପରି ବାଲିପାଟଣା ଗ୍ରାମର  ବାପି ମଲ୍ଲିକଙ୍କୁ ତାଙ୍କର ସାଙ୍ଗ ନିଲୁ ରାଉତ ଇଟାରେ ଛେଚି ହତ୍ୟା କରିଥିଲା । ରଜ ସଂକ୍ରାନ୍ତି ସକାଳେ  ବାପି ଓ ନିଲୁ ଏକାଠି ବୁଲୁଥିବା ବେଳେ କୌଣସି ଏକ କାରଣକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡ଼ା  ହୋଇଥିଲା । ନିଲୁକୁ ଏକ ଚାପୁଡ଼ା ମାରିଥିଲେ ବାପି । ଏହାର ପ୍ରତିଶୋଧ ନେବା ପାଇଁ ଅପରାହ୍ନରେ ଗାଁ ନିକଟ  ଭାର୍ଗବୀ ନଦୀକୂଳକୁ ବାପିଙ୍କୁ ଡାକିନେଇ ହତ୍ୟା କରିଥିଲା । ସଦର ଥାନା ଅଧୀନ ଶାସନ ଦାମୋଦରପୁର ପଞ୍ଚାୟତ  ତୁଳସୀ ବଜାରଠାରେ ଗତ ୧୨ ତାରିଖ ରାତିରେ ନରହରିପୁରର ମନୋରଞ୍ଜନ ମିଶ୍ର ଓ ତୋଟାସାହିର ବାନାମ୍ବର ପ୍ରଧାନ  ମଧ୍ୟରେ ଝଗଡ଼ା ହୋଇଥିଲା । ବାନାମ୍ବରଙ୍କୁ ଚାପୁଡ଼ା ମାରିଥିଲେ ମନୋରଞ୍ଜନ । ଏହାର ପ୍ରତିଶୋଧ ନେବାକୁ ଯାଇ ବାନାମ୍ବରର  ପରିବାର ଲୋକେ ମନୋରଞ୍ଜନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମନୋରଞ୍ଜନଙ୍କ ମୃତ୍ୟୁ ଘଟିଥିଲା ।

ନରେନ୍ଦ୍ର ବିସ୍ଫୋରଣର ଦୁଃଖ

ବର୍ଷର  ଅତି ଦୁଃଖ  ଓ କଷ୍ଟ ଦାୟକ  ଅଘଟଣ ଥିଲା ମେ  ୨୯ ତାରିଖ ମହାପ୍ରଭୁଙ୍କ  ଭଉଁରୀ ଯାତ୍ରା ବେଳେ ନରେନ୍ଦ୍ରରେ  ବାଣ ବିସ୍ଫୋରଣ । ଦଶତୁଠଠାରେ  ବେଆଇନ୍‌ ଭାବେ ବାଣ ଫୁଟାଯାଉଥିଲା ବେଳେ  ବାଣ ବସ୍ତାରେ ନିଆଁ ଝୁଲ ପଡ଼ିବାରୁ ଏକକାଳୀନ  ବିସ୍ଫୋରଣ ହୋଇଥିଲା । ଏଥିରେ ୩୦ରୁ ଅଧିକ ଶ୍ରଦ୍ଧାଳୁ  ପୋଡ଼ି ଯାଇଥିଲେ । ଜଳୁଥିବା ଅବସ୍ଥାରେ ସେମାନଙ୍କୁ ଉଦ୍ଧାର  କରାଯାଇଥିଲା । ନରେନ୍ଦ୍ରରେ ଆତଙ୍କ ଖେଳି ଯାଇଥିଲା । ସମସ୍ତଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ  ସମସ୍ତଙ୍କୁ କଟକ ଓ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଭୟଙ୍କର  ବିସ୍ଫୋରଣରେ ଗୋଟିଏ ପରେ ଗୋଟିଏ ଜୀବନ ଦୀପ ଲିଭିଥିଲା । ୧୫ ଦିନ ମଧ୍ୟରେ  ଚିକିତ୍ସାଧୀନ ଥିବା ୧୭ ଜଣ ପ୍ରାଣ ହରାଇଥିଲେ । ଏଥିରେ ନିରୀହ ଶିଶୁଙ୍କଠାରୁ ବୟସ୍କ ଥିଲେ ।  ଏନେଇ ମାମଲା ରୁଜୁ ହୋଇଥିବା ବେଳେ ୫ ଜଣ ଗିରଫ ହୋଇଥିଲେ । ଏହି ଅଘଟଣ ସାରା  ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏବେବି ପୀଡ଼ିତଙ୍କ ପରିବାର ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଛନ୍ତି ।

୯ ଥର ପୁଲିସ ଉପରେ ଆକ୍ରମଣ

ଆଇନ୍‌  ଶୃଙ୍ଖଳା ପରିସ୍ଥିତି ହେଉ କି  ବ୍ୟକ୍ତିଗତ ଡ୍ୟୁଟି ସମୟରେ  ବର୍ଷକ ମଧ୍ୟରେ ୯ଟି ସ୍ଥାନରେ ପୁଲିସ  ଉପରେ ଆକ୍ରମଣ ହୋଇଛି । ଜାନୁଆରୀ ୬ରେ  ପିକେଆର୍‌ଆଇଟି ଛକରେ ଏସ୍‌ଆଇ ସାରଦା ପ୍ରସାଦ ଦାସଙ୍କୁ  ୩ ଜଣ ଆକ୍ରମଣ କରିଥିଲେ । କନ୍ଧମାଳ ଜିଲ୍ଲାରେ ସବ୍‌ଇନ୍ସପେକ୍ଟର ଥିବା  ଜୟନ୍ତ କୁମାର ସେଠୀଙ୍କୁ ଜାନୁଆରୀ ୧୯ ତାରିଖରେ ବଳିଆପଣ୍ଡାରେ ୪ ଜଣ ଆକ୍ରମଣ  କରିଥିଲେ । ଜାନୁଆରୀ ୨୮ରେ ବାସେଳି  ସାହି ଥାନାର ଏସ୍‌ଆଇ ବୁଦ୍ଧିରାୟ ମାଝୀ ଓ ତାଙ୍କ  ଟିମ୍‌କୁ ଆକ୍ରମଣ ହୋଇଥିଲା । ଏପ୍ରିଲ ୭ରେ ଅଚ୍ୟୁତପୁର  ଗ୍ରାମରେ ଚନ୍ଦନପୁର ଥାନା ଅଧିକାରୀଙ୍କ ସମେତ ପୁଲିସ ଟିମ୍‌କୁ ଆକ୍ରମଣ  ହୋଇଥିଲା । ଜୁଲାଇ ୩୦ରେ ସିହଦ୍ୱାରରେ ଡ୍ୟୁଟିରେ ଥିବା ଓଏସ୍‌ଏପି ସିପାହୀଙ୍କୁ  ଛୁରାମାଡ଼ ହୋଇଥିଲା । ଅଗଷ୍ଟ ୪ରେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରସ୍ଥିତ ନିଃଶୁଳ୍କ ଷ୍ଟାଣ୍ଡ୍‌ରେ ବଙ୍ଗୀୟ  ଶ୍ରଦ୍ଧାଳୁଙ୍କ ଆକ୍ରମଣରେ ଓଏସ୍‌ଏପି କନେଷ୍ଟବଳଙ୍କ ଆଙ୍ଗୁଠି କଟିଥିଲା । ଅଗଷ୍ଟ ୨୩ରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ଧରିବାକୁ ଚଢ଼ଉ କରିଥିବା  ବଳିଆପଣ୍ଡା ଥାନା ପୁଲିସକୁ ଆକ୍ରମଣ ହୋଇଥିଲା । ନଭେମ୍ବର ୧୧ରେ ତାଳବଣିଆ ଜଙ୍ଗଲକୁ ଯାଇଥିବା ହାବିଲ୍‌ଦାର୍‌ଙ୍କୁ ଆଇଟିଆଇ ଛକଠାରେ  କିନ୍ନରମାନେ ଆକ୍ରମଣ କରିଥିଲେ । ଛଇତନା ମଦ ଦୋକାନ ନିକଟରେ ଜଣେ କନ୍‌ଷ୍ଟେବଳଙ୍କୁ ଆକ୍ରମଣ ହୋଇଥିଲା ।

ଏସିଡ୍‌ ମାଡ଼ରେ ୯ ଆହତ 

ଘର ଜମି ବିବାଦକୁ କେନ୍ଦ୍ରକରି ହୋଇଥିଲା ଏସିଡ୍‌ ମାଡ଼ । ମେ ୧୪ରେ ତାଳବଣିଆ ଥାନା ଅଧୀନ ଚମାର  ସାହିରେ ୨ ଗୋଷ୍ଠୀ ମଧ୍ୟରେ ଏସିଡ୍‌ ଫିଙ୍ଗାଫିଙ୍ଗି ହୋଇଥିଲା । ବାଞ୍ଛୁ ବେହେରା ଓ ବିଜୟ ବେହେରାଙ୍କ  ପରିବାର ମଧ୍ୟରେ ଘର ଜମି ବିବାଦକୁ କେନ୍ଦ୍ର କରି ଲାଗି ରହିଥିବା ବିବାଦରୁ ଏହି ସଂଘର୍ଷ  ହୋଇଥିବା ବେଳେ ୨ ପକ୍ଷରୁ ୯ ଜଣ ଆହତ ହୋଇଥିଲେ । ଉଭୟ ପକ୍ଷରୁ ୧୯  ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ।

୯ ସ୍ଥାନରେ ବୋମା ମାଡ଼

ଅପରାଧୀମାନେ ସେମାନଙ୍କ ପତିଆରା ଜାହିର କରିବା  ଲାଗି ଏକାଧିକ ସ୍ଥାନରେ  ବୋମାମାଡ଼ କରି ଆତଙ୍କ ରଚିଥିଲେ  ଅପରାଧୀ । ଏପ୍ରିଲ୍‌ ୩ ତାରିଖରେ ପେଣ୍ଠକଟା  ମେରାଇନ୍‌ ଥାନା ଅଧୀନ ଗୋପାଳପୁର ଛକରେ  ବରିଷ୍ଠ ଆଇନ୍‌ଜୀବୀଙ୍କୁ ବୋମାମାଡ଼ ହୋଇଥିଲା । ଏପ୍ରିଲ୍‌  ୫ରେ ଲୋକନାଥ ରୋଡ୍‌ରେ ବୋମାମାଡ଼ ହୋଇଥିଲା । ଏପ୍ରିଲ  ୨୨ ରାତିରେ ଚନ୍ଦନପୁର ଥାନା ଅଧୀନ ସିଡ଼ି ଛକଠାରେ ସିମେଣ୍ଟ ଗୋଦାମକୁ ବୋମାମାଡ଼ ହୋଇଥିଲା । ଏପ୍ରିଲ୍‌ ୨୮ରେ ସଦର ଥାନା ଅଧୀନ  ବଳଭଦ୍ରପାଟଣାର ନିକଟ ଜଙ୍ଗଲରେ ୨ ଜଣ ମହିଳାଙ୍କ ଉପରକୁ ବୋମାମାଡ଼  ହୋଇଥିଲା । ମେ ୧୬ରେ ଶ୍ରୀକ୍ଷେତ୍ର କଲୋନୀରେ ବୋମା ନେଇ ଯାଉଥିବା ବେଳେ  ପକେଟରୁ ଖସିପଡ଼ି ବିସ୍ଫୋରଣ ହୋଇଥିଲା । ଏଥିରେ ୨ ଜଣ ରକ୍ତାକ୍ତ ହୋଇଥିଲେ ।  ମେ ୨୩ ରାତିରେ ଚନ୍ଦନପୁର ଥାନା ଅଧୀନ ବସନ୍ତପାଟଣା ଗ୍ରାମରେ ଜଣଙ୍କ ଘରକୁ ବୋମାମାଡ଼  ହୋଇଥିଲ । ମେ ୨୪ରେ ପେଣ୍ଠକଟା ତାରିଣୀ ବସ୍ତିରେ ବୋମାମାଡ଼ ହୋଇଥିଲା । ଜୁନ୍‌ ୨୫ ରାତିରେ ଡେଲାଙ୍ଗ ଥାନା ଅଧୀନ ଘୋରଡ଼ିଆ ଗ୍ରାମରେ ହିନ୍ଦୁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ବିବାଦକୁ କେନ୍ଦ୍ରକରି  ବୋମାମାଡ଼ ହୋଇଥିଲା । ଅଗଷ୍ଟ ୧୦ ରାତିରେ ଚନ୍ଦନପୁର ଥାନା ଅଧୀନ ପିତେଇପୁରରେ ବୋମାମଡ଼ ହୋଇଥିଲା ।



ବର୍ଷର ଅପରାଧ ରେକର୍ଡ

ଅପରାଧ
 ମୋଟ ମାମଲା
ସହର
ଗ୍ରାମାଞ୍ଚଳ 
୧ ଆର୍ମସ୍‌ ଆକ୍ଟ
୮୦
୩୪
୪୬
୨ ସିନ୍ଧିଚୋରି
୧୯୬
୬୧
୧୩୫
୩ ଡକାୟତି
୧୧
୪ ଦାଦାବଟି
୮୬
୩୬
୫୦
୫ ଅପହରଣ
୩୬୨
୭୨
୨୯୦
୬ ପୋକ୍‌ସୋ
୧୦୩
୩୨
୭୧
୭ ରବରି
୧୧୮
୫୪
୬୪
୮ ଠକେଇ
୧୩୭
୬୩
୭୪
୯ ଚୋରି
୪୭୭
୨୯୩
୧୮୪
୧୦ ହତ୍ୟା
୨୮
୧୦
୧୮
୧୧ ଦୁଷ୍କର୍ମ
୮୧
୨୮
୩୫


  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.