କଟକ,୨୦/୧୨: ରେଳବାଇରେ ଚାକିରି ପାଇବା ପାଇଁ ଲକ୍ଷାଧିକ ଟଙ୍କା ଦେଇ ଠକେଇର ଶିକାର ହୋଇଥିବା ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି । ଗୋଟିଏ ମାମଲା ରୁଜୁ କରି ବିଡ଼ାନାସୀ ଥାନା ପୁଲିସ ସୁଭଦ୍ରା ନଗରର ଡାନିଏଲ୍ ରାଜକୁ ଗିରଫ କରିଛି । ଏହି ଗିରଫଦାରୀ ଖବର ପ୍ରଚାରିତ ହେବା ପରେ ଥାନାକୁ ଅଭିଯୋଗ ଆସିବା ସଂଖ୍ୟା ବଢ଼ିଛି । ଠକେଇର ଶିକାର ହୋଇଥିବା ଆଉ ଦୁଇଜଣ ଏତଲା ଦେବା ପରେ ପୁଲିସ ଦୁଇଟି ମାମଲା ରୁଜୁ କରିଛି । ତେବେ ଏହି ଘଟଣାରେ ଫେରାର୍ ଥିବା ଡାନିଏଲ୍ର ମା’ଙ୍କୁ ଗିରଫ କରିବାକୁ ପୁଲିସ ତନାଘନା କରୁଛି । ତେବେ ଗିରଫ ଡାନିଏଲ୍ର କିଛି ପୁଲିସ କର୍ମଚାରୀଙ୍କ ସହିତ ଲିଙ୍କ୍ ଥିବା ଠକେଇର ଶିକାର ହୋଇଥିବା ଆଶାୟୀମାନେ କହୁଛନ୍ତି । କଟକ, ଜଗତପୁର, ଚୌଦ୍ୱାର, ବାଲେଶ୍ୱର ଓ ଭୁବନେଶ୍ୱରରେ ଡାନିଏଲ୍ର କିଛି ପରିଚିତ ପୁଲିସ କର୍ମଚାରୀ ରହୁଛନ୍ତି । ସେମାନେ ଆଶାୟୀମାନଙ୍କୁ ଡାନିଏଲ୍ ପାଖକୁ ପଠାନ୍ତି ଓ ଡାନିଏଲ୍ ସେହି ଆଶାୟୀଙ୍କୁ ନେଇ ନିଜର ମା’କୁ ଭେଟ କରାଇ ଚାକିରିର ଠକେଇ ଜାଲରେ ଫସାଉଥିଲା । ଖାଲି ସେତିକି ନୁହେଁ, ଚାକିରି ଆଶାୟୀଙ୍କ ବିଶ୍ୱାସଭାଜନ ହେବା ପାଇଁ ଟଙ୍କା ନେଲାବେଳେ ଡାନିଏଲ୍ଙ୍କ ମା’ ବଣ୍ଡ୍ ପେପର୍ରେ ଦସ୍ତଖତ ମଧ୍ୟ କରାଉଥିଲା । ଏପରିକି ଚାକିରି ନଦେଇ ପାରିଲେ ନିଜ ଜମିବାଡ଼ି ସମ୍ପତିରୁ ଭାଗ ଦେବ ବୋଲି ମଧ୍ୟ ସେ’ ବଣ୍ଡ୍ ପେପର୍ରେ ଲେଖିବାକୁ ପଛାଉନଥିଲା ।
ଗିରଫ ଅଭିଯୁକ୍ତ ଡାନିଏଲ୍ଙ୍କ ମା’ ନିଜକୁ ଇଷ୍ଟକୋଷ୍ଟ ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ ବ୍ୟକ୍ତିଗତ ସଚିବ ବୋଲି ପରିଚୟ ଦେଇ ଆସୁଥିଲେ । ମହିଳା ଜଣକ ରେଳବାଇର ବିଭିନ୍ନ କାର୍ଯ୍ୟାଳୟକୁ ଯା’ଆସ କରୁଥିବାରୁ ବହୁ ଲୋକ ତାଙ୍କୁ ବରିଷ୍ଠ ଅଧିକାରୀଙ୍କ ସଚିବ ବୋଲି ବିଶ୍ୱାସ ମଧ୍ୟ କରୁଥିଲେ । ଏପରିକି ସେ’ ରେଳବାଇରେ ଚାକିରି କରାଇଦେଇ ପାରିବେ ବୋଲି ଲୋକଙ୍କୁ କହୁଥିଲେ । ଏହି ଖବର ପାଇ ବହୁ ଚାକିରି ଆଶାୟୀ ତାଙ୍କୁ ସିଧାସଳଖ ଭେଟୁଥିଲେ । କିଛି ଆଶାୟୀଙ୍କୁ ପୁଅ ଡାନିଏଲ୍ ନେଇ ମା’ଙ୍କ ପାଖରେ ଭେଟ କରାଉଥିଲା । ପରେ ଡାନିଏଲ୍ଙ୍କ ମା’ ଆଶାୟୀଙ୍କୁ ନେଇ ଭୁବନେଶ୍ୱରରେ ଅନ୍ୟ କିଛି ମହିଳା ଓ ପୁରୁଷଙ୍କ ସହ ଭେଟ କରାଉଥିଲେ । ଆଶାୟୀମାନେ ଯେଉଁ ମହିଳା ଓ ପୁରୁଷଙ୍କୁ ଭେଟୁଥିଲେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ନିଜକୁ ଆଇଏଏସ୍ ଅଫିସର ବୋଲି ପରିଚୟ ଦେଉଥିଲେ । ଏତେ ବଡ଼ବଡ଼ ଲୋକଙ୍କ ସହିତ ପରିଚୟ ଥିବାରୁ ଚାକିରି ପାଇବା ପକ୍କା ବୋଲି ବିଶ୍ୱାସ କରି ବହୁ ଆଶାୟୀ ଡାନିଏଲ୍ ଓ ଫେରାର୍ ଥିବା ଡାନିଏଲ୍ଙ୍କ ମା’ଙ୍କୁ ଲକ୍ଷାଧିକ ଟଙ୍କା ଦେଉଥିଲେ । ପରେ ତାଙ୍କୁ ଚାକିରିର ନିଯୁକ୍ତପତ୍ର ମିଳିବା ସହିତ କୋଲକାତାର ସିଆଲ୍ଦା ଷ୍ଟେସନ୍ରେ ତଥାକଥିତ ଟ୍ରେନିଂ ବି ଦିଆଯାଉଥିଲା । ହେଲେ ପରେ ସେହି ଚାକରି ଜାଲ୍ ବୋଲି ଜଣାପଡ଼ୁଥିଲା ।
ଡାନିଏଲ୍ ଓ ତାଙ୍କ ମା’ବାଲେଶ୍ୱର, ଭଦ୍ରକ, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ୪୦ରୁ ଅଧିକ ଆଶାୟୀଙ୍କୁ ଏଭଳି ଭାବେ ଠକିଥିବା ଅଭିଯୋଗ ହୋଇଆସୁଥିଲା । ଏପରିକି ଜଗତପୁର ଥାନାରେ ସମ୍ପୃକ୍ତ ମହିଳାଙ୍କ ନାଁରେ ୮ରୁ ଅଧିକ ଆଶାୟୀ ଏତଲା ଦେଇଥିଲେ । ଏହି କ୍ରମରେ ବାଲେଶ୍ୱରର ସଂଜୀବ କୁମାର ରାଉତ ଗତ ୧୭ ତାରିଖରେ ବିଡ଼ାନାସୀ ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଗତକାଲି ଡାନିଏଲକୁ ଗିରଫ କରିଥିଲା । ହେଲେ ତା’ଙ୍କ ମା’ଫେରାର୍ ହୋଇଯାଇଛନ୍ତି । ଏହା ମଧ୍ୟରେ ଠକେଇର ଶିକାର ହୋଇଥିବା ଅନ୍ୟ ଦୁଇ ଜଣ ଆଶାୟୀ ଆଜି ବିଡ଼ାନାସୀ ଥାନାରେ ଏତଲା ଦେଇଛନ୍ତି । ରାସଗୋବିନ୍ଦପୁର ଅମର ରଞ୍ଜନ ପାତ୍ର ଓ ବାଲେଶ୍ୱର ସୋରର ଚିରଞ୍ଜୀବି ରାଉତ । ଦୁଇଟି ଏତଲା ପାଇବା ପରେ ପୁଲିସ ୨ଟି ମାମଲା ରୁଜୁ କରିଛି । ଫେରାର୍ ଥିବା ଡାନିଏଲ୍ର ମା’କୁ ଧରିବା ପାଇଁ ପୁଲିସ ତନାଘନା କରୁଛି ।