ଫୁଲବାଣୀ : କନ୍ଧମାଳ ଜିଲ୍ଲା ଓ ରାଜ୍ୟର ବିଭନ୍ନ ଅଞ୍ଚଳରେ ଦୁଷ୍କର୍ମ ଘଟଣା ଘଟିଛି। ଏପରିକି ହତ୍ୟା କରାଯାଉଛି। ଏଭଳି ଘଟଣା କିଛି ଦିନ ତଳେ ଟିକାବାଲିର ଜନୈକ ନାବାଳିକା ଛାତ୍ରୀଙ୍କ କ୍ଷେତ୍ରରେ ଘଟିଛି। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଦଣ୍ଡାଦେଶ ଦାବି ହୋଇଛି। ଏନେଇ ଫୁଲବାଣୀରେ କୁଇ ସମାଜ ଯୁବ ପରିଷଦ ତରଫରୁ ରାଲିର ଆୟୋଜନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି।
ମାଦିକୁନ୍ଦା ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲିରେ ଆସି ମହିଳାମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଟିକାବାଲିର କଲେଜ ଛାତ୍ରୀଙ୍କୁ ତୁରନ୍ତ ନ୍ୟାୟ ଦେବା ସହିତ ଏକ ମାସ ମଧ୍ୟରେ ବିଚାର କରି ଦୋଷୀକୁ ମୃତ୍ୟୁ ଦଣ୍ଡ ପ୍ରଦାନ କରିବା, ଦଡକି ନିକଟସ୍ଥ କପାପଦର ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡର ସଠିକ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା, ଲାଇନପଡ଼ା କଲେଜରେ ଆଦିବାସୀ ଛାତ୍ରୀକୁ ଅସଦାଚରଣ ଓ ମାରଣାନ୍ତକ ଆକ୍ରମଣ ଘଟଣାରେ ଦୁବୃର୍ତ୍ତକୁ ଗିରଫ କରିବା ଆଦ ଦାବି ରହିଛି।
ଆୟୋଜିତ କାର୍ଯ୍ୟକ୍ରମରେ କୁଇ ସମାଜ ଯୁବ ପରିଷଦ, କୁଇ ସମାଜ ସେବା ସମିତି, ଫୁଲବାଣୀ, ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ, ଜି.ଉଦୟଗିରି, କୁଇକୁଳ ସମିତି, ବାଲିଗୁଡା, ପାଣ ସମାଜ ସଦସ୍ୟ, ଛାତ୍ରୀ, ଅଭିଭାବକ ଯୋଗ ଦେଇଥିଲେ ।