କୋଣାର୍କ,୨୭/୧୧: କୋଣାର୍କ ଉତ୍ସବ ଅବସରରେ ଆସନ୍ତା ଡିସେମ୍ବର ୫ ତାରିଖରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ଦଶମ 'କୋଣାର୍କ ସାହିତ୍ୟ ଆସର' ଆୟୋଜିତ ହେବ। ଏହି ଅବସରରେ 'ଭାଷା ଓ ଅସ୍ମିତା' ଶୀର୍ଷକ ଆଲୋଚନା, କବିତାପାଠ ଓ ଗଳ୍ପ କଥନ କାର୍ଯ୍ୟକ୍ରମର ଆୟୋଜନ ସହିତ କୋଣାର୍କ ସାହିତ୍ୟ ସଂସଦର ମୁଖପାତ୍ର ସାହିତ୍ୟ ପତ୍ରିକା 'ଧରମା'ର ସପ୍ତମ ସଂଖ୍ୟା ପ୍ରକାଶ ପାଇବ।
ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି ତଥା ବରିଷ୍ଠ ସାହିତ୍ୟିକ ପ୍ରଫେସର ଡକ୍ଟର ସବିତା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ସାରସ୍ୱତ ଉତ୍ସବକୁ ଉଦଘାଟନ କରିବା ସହିତ ଆଲୋଚନାରେ ଅଂଶ ଗ୍ରହଣ କରିବେ । ଚଳିତ ବର୍ଷ ବରିଷ୍ଠ ସାହିତ୍ୟିକ ପ୍ରଫେସର ଡକ୍ଟର ଆଦିକନ୍ଦ ସାହୁଙ୍କୁ କୋଣାର୍କ ସାହିତ୍ୟ ସମ୍ମାନ, ପ୍ରାଚୀ ସଂସ୍କୃତିର ଗବେଷକ ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କୁ ଅର୍କପ୍ରଜ୍ଞା ସମ୍ମାନ, ନୃତ୍ୟବିଦୁଷୀ ଡକ୍ଟର ସୁଜାତା ମହାପାତ୍ରଙ୍କୁ କୋଣାର୍କ ଉତ୍ସବ ସମ୍ମାନ, ସ୍ତମ୍ଭକାର ଲଳିତେନ୍ଦୁ ପଲାଉରୀଙ୍କୁ ସାମ୍ବାଦିକ ସଂଗ୍ରାମ ସ୍ମୃତି ସମ୍ମାନରେ ସମ୍ମାନିକ କରାଯିବ । ଏହି ଅବସରରେ ସାହିତ୍ୟିକ କୃପାସିନ୍ଧୁ ବିଶ୍ବାଳଙ୍କୁ ଲେଖକ ବଳରାମ ମିଶ୍ର ସ୍ମୃତି ସମ୍ମାନ, କଣ୍ଠଶିଳ୍ପୀ ତଥା ଶିକ୍ଷାବିତ୍ ଗଗନ ବିହାରୀ ସ୍ୱାଇଁଙ୍କୁ ଅର୍କସ୍ୱର ସମ୍ମାନ, କବୟିତ୍ରୀ ତଥା ଶିକ୍ଷୟିତ୍ରୀ ଲତିକା ମହାପାତ୍ରଙ୍କୁ ମା' ରୁକ୍ମିଣୀ ଦେବୀ ସ୍ମୃତି ସମ୍ମାନ, ଅଗ୍ନିଶମ ଅଧିକାରୀ ଜ୍ୟୋତିପ୍ରକାଶ ରଥଙ୍କୁ କୋଣାର୍କ ସେବା ସମ୍ମାନ ଓ ଗାଳ୍ପିକା ତଥା ଶିକ୍ଷୟିତ୍ରୀ ଡକ୍ଟର ସୁଚିତ୍ରା ରଥଙ୍କୁ ଅର୍କସୁଧା ସମ୍ମାନ ପ୍ରଦାନପୂର୍ବକ କୃତଜ୍ଞତା ଜ୍ଞାପନ କରାଯିବ ବୋଲି କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଓ ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ପ୍ରକାଶ କରିଛନ୍ତି ।