ଭୁବନେଶ୍ବର , ୨୧।୪ : ଭଦ୍ରକ ବ୍ଲକ ଅଧିନ ଖଣ୍ଡତଡା ପଞ୍ଚାୟତରେ ମାଟି ତଳୁ କିରୋସିନ ବାହାରୁଛି। ୧୦ ଫୁଟ ମାଟି ଖୋଲିଲେ ବାହାରୁଛି କିରୋସିନର ଗନ୍ଧ । ଖୋଳା ମାଟିରୁ କିରୋସିନ ଗନ୍ଧ ବାହାରିବା ସହ ଆଖପାଖ ଅଞ୍ଚଳରେ ଖେଳିଯାଇଛି ଏହି ଗନ୍ଧ।
ଭଦ୍ରକ ବ୍ଲକ ଖଣ୍ଡତଡା ପଂଚାୟତର ନୂତନ ଗୃହ ନିର୍ମାଣ ପାଇଁ ଖୋଲା ଯାଉଥିଲା ପିଲାର। ୧୦ ଫୁଟ ଗଭୀରର ପିଲାର ଖୋଲିବା ପରେ ଗାତ ଭିତରୁ ଆସିଥିଲା କିରୋସିନର ଉତ୍କଟ ଗନ୍ଧ। ଏପରିକି ଭିତରୁ ଯାହାବି ମାଟି ବାହାରୁଥିଲା ତାହା କିରୋସିନ ଗନ୍ଧ କରିଥିଲା। ଏଥି ସହିତ ତେଲ ଚିକିଟା ମାଟି ବାହାରିଥିଲା।
ଏପରିକି ଭିତରୁ ବାହାରୁଥିବା ପାଣି ମଧ୍ୟ କିରୋସିନ ଗନ୍ଧ ହେଉଥିଲା। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଆଖପାଖ ଅଞ୍ଚଳରୁ ଏହାକୁ ଦେଖିବାକୁ ଲୋକଙ୍କ ଧାଡି ଛୁଟୁଛି। ଯାହାକୁ ନେଇ ମାଟିତଳେ କିରୋସିନ ଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା ବେଳେ ଘଟଣାର ସରକାରୀ ଯାଞ୍ଚ କରିବାକୁ ଦାବି କରିଛନ୍ତି।