ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ବିକାଶର ଆରପାରି ଗାଁ ‘ଜଙ୍ଗଲଘେରି’, ଏଠି ଲୁଗାଦୋଳିରେ ବୁହାହୁଅନ୍ତି ରୋଗୀ

କେନ୍ଦ୍ରାପଡ଼ା/ମହାକାଳପଡ଼ା,୦୬/୦୯(ଜୀବନ ସିଂହ ଓ  କଳ୍ପତରୁ ସାମଲ): ଗାଁକୁ ସବୁଦିନିଆ ରାସ୍ତା ନାହିଁ ।  ବର୍ଷାଦିନେ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ । ନା  ଅଛି ଅଙ୍ଗନବାଡ଼ି ନା ପ୍ରାଥମିକ ସ୍କୁଲ । ସ୍ୱାଧୀନତାର  ୭୮ ବର୍ଷ ପରେ ବି ସ୍ୱାସ୍ଥ୍ୟସେବାର ସୁବିଧା ମିଳିପାରି  ନାହିଁ । ଗର୍ଭଯନ୍ତ୍ରଣାରେ ଛଟପଟ ହେଲେ ଆସନ୍ନପ୍ରସବା  ନାରୀଙ୍କୁ ଲୁଗା ଦୋଳିରେ ପ୍ରାୟ ଦେଢ଼ କିଲୋମିଟର ବାଟ  କାନ୍ଧରେ ବୋହି ଆଣିବାକୁ ପଡ଼େ । ଗର୍ଭବତୀ, ପ୍ରସୂତି,  ଶିଶୁମାନଙ୍କ ପାଇଁ ସରକାରଙ୍କ ଯୋଜନା ଏଠି ଅପହଞ୍ଚ । କିନ୍ତୁ ସରକାରଙ୍କ ନଥିରେ ଏମାନଙ୍କୁ ସେବା ଦିଆଯାଉଛି  ବୋଲି ଦାୟିତ୍ୱରେ ଥିବା ଅଧିକାରୀମାନଙ୍କର ଚାଲିଛି  ରେକର୍ଡ ଚାଷ । ମୁଣ୍ଡ ଗୁଞ୍ଜିବା ପାଇଁ ଅନେକ ଲୋକଙ୍କର  ଭୂମି ଖଣ୍ଡିଏ ନାହିଁ । ବିକାଶଠୁ ବହୁ ଦୂରରେ ଏହି  ଗାଁ । ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ ।  ଏଭଳି ବିକଳ ଚିତ୍ର ଦେଖିବାକୁ ମିଳେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ପେଟଛେଲା ପଞ୍ଚାୟତର  ଜଙ୍ଗଲଘେରି ଗ୍ରାମରେ । ଗାଁର ମହିଳା ଦୁଃଖୀ ବକ୍ତା ବର୍ଷକ ତଳେ ମହାକାଳପଡ଼ାରେ ଜିଲ୍ଲାପାଳଙ୍କ ଜନଶୁଣାଣି  ଶିବିରରେ ପୂରା ଗାଁର ଦୁଃଖ ବଖାଣିଥିଲେ ମଧ୍ୟ ଆଜି ଯାଏ  ଜଙ୍ଗଲଘେରି ଗାଁର କିଛି ପରିବର୍ତ୍ତନ ହୋଇପାରି ନାହିଁ ।  

ମହାକାଳପଡ଼ା ବ୍ଲକ୍‌ ସଦର ମହକୁମାଠୁ ୧୩  କିଲୋମିଟର ଦୂରରେ ଗାଁ ଜଙ୍ଗଲଘେରି । ପ୍ରଭାକରପୁରଖରିନାସୀ ପୂର୍ତ୍ତ ବିଭାଗ ରାସ୍ତାର ଦକ୍ଷିଣ ପାଶ୍ୱର୍ ଅଞ୍ଚଳରେ  ଦେଢ଼ କିଲୋମିଟର ଯିବା ପରେ ପେଟଛେଲା ପଞ୍ଚାୟତର  ଏହି ଦୁର୍ଗମ ପଡ଼ା ଗାଁ ଜଙ୍ଗଲଘେରି ପଡ଼ିଥାଏ । ଗାଁରେ  ଘର ସଂଖ୍ୟା ପ୍ରାୟ ୬୦ ହେବ । ମୟୂରଭଞ୍ଜ ଓ ବାଲେଶ୍ୱର  ଅଞ୍ଚଳର କିଛି ପରିବାର ପାରାଦୀପରେ କାମ କରିବାକୁ  ଆସି ଏଠାରେ ସ୍ଥାୟୀ ଭାବରେ ବସବାସ କରିଥିଲେ ।  ମୂଳତଃ ଏମାନେ ଶବର ସମ୍ପ୍ରଦାୟର । ଭେଡ଼ା ମଝିରେ  ଜଙ୍ଗଲଘେରିର ଅବସ୍ଥିତି । ନିତି କାମକୁ ଗଲେ ଘରେ  ଚୁଲି ଜଳିବ । ପୂର୍ବ ଦିଗରେ ସିନ୍ଦୁରା ଫିଟିଲେ କାମଧନ୍ଦା  ପାଇଁ ବାହାରିପଡ଼ନ୍ତି ଗାଁ ଲୋକେ । ଦୁଃଖ ଏମାନଙ୍କର ଚିର  ସହଚର । ନିଜସ୍ୱ ଜମିବାଡ଼ି କାହାରି ନାହିଁ । ଅନେକ ଲୋକ  ଘରବାଡ଼ି ପଟ୍ଟାରୁ ବଞ୍ଚିତ । ଯେଉଁଥିପାଇଁ ସ୍ଥାୟୀ ବାସିନ୍ଦା,  ଆୟ, ଜାତି ପ୍ରମାଣପତ୍ର ବାହାର କରିବାରେ ସେମାନେ  ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁରେ ବସବାସ  କରୁଥିବା ଲୋକମାନଙ୍କର ଝୁମ୍ପୁଡ଼ି ଘର ହେଉଛି ଆଶ୍ରୟ  ସ୍ଥଳ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ  ପାଇବା ବି ଗାଁ ଲୋକଙ୍କ ପାଇଁ ଦୁଃସ୍ୱପ୍ନ । ଯେତେଥର  ନିର୍ବାଚନ ବେଳେ ନେତାଙ୍କୁ କୁହନ୍ତି ଉତ୍ତର ମିଳେ ଭୋଟ୍‌  ସରିଲେ ତୁମ କଥା ବୁଝାଯିବ । ଇତିମଧ୍ୟରେ କେତେ  ସରପଞ୍ଚ ଗଲେଣି । ବିଚରା ଜଙ୍ଗଲଘେରିବାସୀଙ୍କ  ଭାଗ୍ୟରେ ଆବାସ ଖଣ୍ଡେ ଜୁଟିଲାନି ।  

ଏହାଛଡ଼ା, ପାଇପ୍‌ ଯୋଗେ ପିଇବା ପାଣି ସଂଯୋଗ  ହୋଇପାରି ନାହିଁ ଗାଁକୁ । ୨ଟି ନଳକୂଅରେ କାମ  ଚଳାଇବାକୁ ପଡୁଛି । ଅନ୍ୟଥା ଗାଁ ଦେଇ ବହି ଯାଇଥିବା  ରାମଚଣ୍ଡୀ ନଦୀରେ ନିଜ ନିତିଦିନିଆ ଆବଶ୍ୟକତା  ମେଣ୍ଟାଉଛନ୍ତି ଲୋକେ । ନଈ ପୁଣି ମାଳମାଳ କୁମ୍ଭୀରରେ  ଭର୍ତ୍ତି। ଗାଁକୁ ସବୁଦିନିଆ ରାସ୍ତାଟିଏ ନିର୍ମାଣ ହୋଇପାରି  ନାହିଁ ଆଜିଯାଏ । ବାରମ୍ବାର ଅଭିଯୋଗ ହେବା ପରେ  କର୍ତ୍ତୃପକ୍ଷଙ୍କ ଦୃଷ୍ଟିଗୋଚର ପାଇଁ ଲୋକଦେଖାଣିଆକୁ  ୧୦୦ ମିଟର ଯାଏ ପେଭର୍‌ ବ୍ଲକ୍‌ ରାସ୍ତା କରି ଦିଆଯାଇଛି ।  ତା’ ପର ରାସ୍ତାରେ ଗାଡ଼ି ତ ଗାଡ଼ି, ଚାଲିଚାଲି ଯିବା ମଧ୍ୟ  କଷ୍ଟକର । ବଡ଼ ବଡ଼ ଗାଡ଼ ଓ କାଦୁଅ ପଚ୍‌ପଚ୍‌ ରାସ୍ତା । ସ୍ୱଚ୍ଛ  ଭାରତ ଯୋଜନା ଏଠି କାର୍ଯ୍ୟକାରୀ ହେଉନି, ଯଦିଓ ଗାଁଟା  ସାରା ହିତାଧିକାରୀଙ୍କୁ ପାଇଖାନାର ଆବଶ୍ୟକତା ରହିଛି ।  କେବଳ ସେତିକି ନୁହେଁ, ଗ୍ରାମର ସବୁ ଲୋକ ଆଧାର  କାର୍ଡରେ ସଂଯୁକ୍ତ ହୋଇପାରି ନାହାନ୍ତି । କିଛି ଲୋକଙ୍କର  ଆଧାର କାର୍ଡ ଥିବାବେଳେ ଆଉ କିଛି ଲୋକଙ୍କର ନାହିଁ ।  ଏବେ ମଧ୍ୟ କିଛି ଲୋକ ରାସନ୍‌ କାର୍ଡରେ ସାମିଲ ହେବା  ପାଇଁ ଚାହିଁ ବସିଛନ୍ତି । ଗାଁରେ ବାତ୍ୟା ଆଶ୍ରୟସ୍ଥଳୀ ନାହିଁ ।  

ବା’ ବତାସ ହେଲେ ଏମାନଙ୍କର ଧନଜୀବନ ବାଜିରେ  ଲାଗେ । ଜଙ୍ଗଲଘେରିଠାରୁ ଅଙ୍ଗନବାଡ଼ି କେନ୍ଦ୍ରର ଦୂରତା  ପ୍ରାୟ ୨ କିଲୋମିଟର । ଶିଶୁମାନେ ଅଙ୍ଗନବାଡ଼ି ସେବାରୁ  ସମ୍ପୂର୍ଣ୍ଣ ଭାବେ ବଞ୍ଚିତ । ଦୀନେଶ ଭକ୍ତାଙ୍କ ୩ବର୍ଷର  ପୁଅ ବାପୁନି ଭକ୍ତାଙ୍କ ସମେତ ଗାଁର ଏକାଧିକ ଶିଶୁ  ପୁଷ୍ଟିହୀନତାର ଶିକାର । ଗର୍ଭବତୀ, ପ୍ରସୂତି ଏବଂ ଶିଶୁଙ୍କ  ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଭାଗୀୟ ଅଧିକାରୀଙ୍କ ପାଦ କାଁ  ଭାଁ କେତେବେଳେ କେମିତି ଗାଁରେ ପଡ଼ିଥାଏ । ପ୍ରାଥମିକ  ବିଦ୍ୟାଳୟ ମାଟି ମାଡ଼ିବା ଏ ପିଲାମାନଙ୍କ ପାଇଁ କଷ୍ଟ ।  ପୋଲିଓ ଟିକା ନେବା ପାଇଁ ପ୍ରାୟ ୨ କିଲୋମିଟର ବାଟ  ମା’ ଛୁଆକୁ କାନ୍ଧରେ ପକାଇ ଚାଲିଚାଲି ଯିବାକୁ ପଡ଼ିଥାଏ ।  ଦୂର ବାଟ ହୋଇଥିବାରୁ ଅଙ୍ଗନବାଡ଼ି ସେବା ଓ ପ୍ରାଥମିକ  ବିଦ୍ୟାଳୟରେ ପଢ଼ିବାର ସୁଯୋଗ ବହୁତ ଶିଶୁଙ୍କୁ  ଆଦୌ ମିଳୁନାହିଁ । ଗାଁର ଖୋଦ୍‌ ୱାର୍ଡସଭ୍ୟାଙ୍କ ପୁଅ ସଞ୍ଜୁ  ଭକ୍ତା(୩), ଝିଅ ସଞ୍ଜନା ଭକ୍ତା(୫)ଙ୍କ ଭଳି ଅନେକ  ଶିଶୁଙ୍କୁ ପ୍ରି-ସ୍କୁଲର ସୁବିଧା ମିଳୁନାହିଁ ବୋଲି ଅଭିଯୋଗ  କରିଛନ୍ତି ପରିବାର ଲୋକେ । ସଞ୍ଜୁ ଓ ସଞ୍ଜନାଙ୍କ ବାପା  ଶ୍ରୀମନ୍ତ ଭକ୍ତା କୁହନ୍ତି, ଦୂରବାଟ ହେତୁ ଅଙ୍ଗନବାଡ଼ିର  ରନ୍ଧା ଖାଦ୍ୟ ଆମ ପିଲା ପାଇ ପାରୁନାହାନ୍ତି ।  

ଏସବୁ ବାଦ୍‌ ଆଧାରକାର୍ଡ, ଭୋଟ୍‌ ପରିଚୟପତ୍ରରେ  ବୟସର ତାଳମେଳ ନଥିବାରୁ କିଛି ଯୋଗ୍ୟ ହିତାଧିକାରୀ  ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଗୌର  ମଲିକଙ୍କୁ ୭୦ ଛୁଇଁଥିଲେ ମଧ୍ୟ ଆଧାର ଓ ଭୋଟର୍‌  କାର୍ଡରେ ବୟସ ତାରତମ୍ୟ ଥିବାରୁ ଭତ୍ତା ମିଳୁନଥିବା  ସେ କହିଛନ୍ତି । ଏସବୁ ଅସୁବିଧା, ସମସ୍ୟା ସମ୍ପର୍କରେ  ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ  ପଚାରିବାରେ ସେ କହିଛନ୍ତି ଯେ, ସ୍ଥାନୀୟ ବିଡିଓଙ୍କ ସହ  ସେ ଏନେଇ ଆଲୋଚନା କରିବେ । ତଦନ୍ତ କରାଯାଇ  ନିଶ୍ଚୟ ପଦକ୍ଷେପ ଗ୍ରହଣ କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.