ଭୁବନେଶ୍ବର, ୧୧।୬ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ବିଜେପି ଘୋଷଣା କରିଛି । କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ସେହିପରି କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳର ନେତା ଚୟନ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପିର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ବିଧାୟକ ଦଳର ନେତା ଚୟନ ପାଇଁ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ , ଭୁପେନ୍ଦ୍ର ଯାଦବ ଯୋଗ ଦେଇଥିଲେ। ସେହିପରି ବରିଷ୍ଠ ନେତା ସୁରେଶ ପୂଜାରୀ, ଲତା ଉଶେଣ୍ଡି, ଅଶ୍ବନୀ ବେଷ୍ଣବ, ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ରହି ନବନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା କରିଥିଲେ। ନବନିର୍ବାଚିତ ସାଂସଦ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମ ଉପରେ ମୋହର ବାଜିଥିଲା । ସେହିପରି କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଥିଲା।
କନକବର୍ଦ୍ଧନ ୧୯୫୪ ମସିହାରେ ବଲାଙ୍ଗୀର ରାଜ ପରିବାରରେ ଜନ୍ମଗହଣ କରିଛନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଗ୍ରାଜୁଏସନ କରିଛନ୍ତି। ପରବର୍ତ୍ତୀ ସମୟରେ ସେ ବିଜେପିରେ ଯୋଗ ଦେଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୫ରୁ ପ୍ରଥମେ ବିଧାନସଭାକୁ ପାଟଣାଗଡରୁ ନିର୍ବାଚିତ ହୋଇଥିଲେ। ୬ ଥର ସେ ବିଧାୟକ ହୋଇଛନ୍ତି। ୧୯୯୫ରୁ କ୍ରମାଗତ ଭାବେ ୨୦୧୪ ପର୍ଯ୍ୟନ୍ତ ପାଟଣାଗଡ ବିଧାନସଭା ଆସନରୁ ବିଜୟୀ ହୋଇ ପାଟଣାଗଡକୁ ନିଜ ଗଡ ଭାବେ ରଖିଥିଲେ। ୨୦୧୯ ମସିହାରେ ସେ ସରୋଜ କୁମାର ମେହେରଙ୍କ ଠାରୁ ପରାଜିତ ହୋଇଥିଲେ। ପରେ ୨୦୨୪ରେ ସେ ନିଜ ଗଡ ଫେରାଇ ଆାଣିବା ସହ ପାଟଣାଗଡରୁ ବିଜୟୀ ହୋଇଛନ୍ତି। ପୂର୍ବରୁ ୨୦୦୦-୨୦୦୪ ଏବଂ ୨୦୦୪-୨୦୦୯ରେ ବିଜେପି-ବିଜେଡି ମେଣ୍ଟ ସରକାରରେ କ୍ୟାବିନେଟ ମନ୍ତ୍ରୀ ରହିଥିଲେ। ଏଥିସହ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି।