ନୂଆଦିଲ୍ଲୀ,୧୭/୫ : ପାକିସ୍ତାନ ଲାଗି ଗୁପ୍ତଚର କରିବା ଅଭିଯୋଗରେ ହରିୟାଣାର ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ । ୟୁଟ୍ୟୁବ ସହ ଇନଷ୍ଟାଗ୍ରାମରେ ବି ଜ୍ୟୋତି @travelwithjo1 ନାମରେ ଆକାଉଣ୍ଟ ଖୋଲିଛନ୍ତି । ଏଥିରେ ସେ ନିଜର ପାକିସ୍ତାନ ଟ୍ରିପର କେତେକ ଭିଡ଼ିଓ ଏବଂ ରିଲ୍ସ ପକାଇଛନ୍ତି । ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏକ ଫଟୋ ପକାଇଛନ୍ତି ଯେଉଁଥିରେ ଉର୍ଦ୍ଧୁରେ ଲେଖାଯାଇଛି କି, ଇସ୍କ ଲାହୋର ।
ଜ୍ୟୋତିଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପାକିସ୍ତାନ ସହ ଯୋଡ଼ି ହୋଇଥିବା କେତେକ ରିଲ୍ସ ଏବଂ ଭିଡ଼ିଓ ପୋଷ୍ଟ କରାଯାଇଛି । ପାକିସ୍ତାନରେ କରାଯାଇଥିବା ଟ୍ରାଭେଲ୍ ବ୍ଲଗିଂରେ ଯୋଡ଼ିହୋଇଥିବା ରିଲ୍ସ ଏବଂ ଭିଡ଼ିଓ ମାଧ୍ୟମରେ ଜ୍ୟୋତି ସେଠାକାର କେତେକ ପଜିଟିଜ ଜିନିଷ ଦେଖାଇବାକୁ ପ୍ରୟାସ କରିଛନ୍ତି । ସୂଚନା ଅନୁଯାୟୀ, ଜ୍ୟୋତିଙ୍କ ବିରୋଧରେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟମାନଙ୍କୁ ସମ୍ବେଦନଶୀଳ ସୂଚନା ଦେବାର ଗମ୍ଭୀର ଅଭିଯୋଗ ରହିଛି। ୨୦୨୩ ମସିହାରେ ଜ୍ୟୋତି ମାଲହୋତ୍ରା କମିଶନ ମାଧ୍ୟମରେ ପାକିସ୍ତାନ ଭିସା ପାଇଥିଲେ ଏବଂ ସେ ସେଠାକୁ ଯାଇଥିଲେ। ଏହି ସମୟ ମଧ୍ୟରେ, ସେ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ କର୍ମଚାରୀ ଦାନିଶଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ଏହିଠାରୁ ତାଙ୍କର ପାକିସ୍ତାନୀ ଗୁଇନ୍ଦା ବିଭାଗ ସହିତ ସମ୍ପର୍କ ଆରମ୍ଭ ହୋଇଥିଲା।
ଗୁଇନ୍ଦା ସଂସ୍ଥାଗୁଡ଼ିକ ଦାବି କରିଛନ୍ତି ଯେ ଭାରତ ଫେରିବା ପରେ ମଧ୍ୟ ଜ୍ୟୋତି ପାକିସ୍ତାନୀ ଏଜେଣ୍ଟମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ। ଭାରତ ସହ ଜଡିତ ସମ୍ବେଦନଶୀଳ ସୂଚନା ବାଣ୍ଟି ଚାଲିଥିଲେ। ଏହି କାର୍ଯ୍ୟକଳାପ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା। କୁହାଯାଉଛି ଯେ ୟୁଟ୍ୟୁବର ପାକିସ୍ତାନରୁ ଫେରିବା ପରେ ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ତାଙ୍କ ନଜରରେ ରଖିଥିଲେ। ତାଙ୍କର ଅନଲାଇନ୍ କାର୍ଯ୍ୟକଳାପ, ବିଦେଶ ଯାତ୍ରା ଏବଂ ସମ୍ପର୍କଗୁଡ଼ିକୁ କିଛି ସମୟ ଧରି ତଦନ୍ତ କରାଯାଉଥିଲା। ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରାଯାଇଛି। ହରିୟାଣା ପୋଲିସ ଆଇଏସଆଇ ପାଇଁ ଗୁପ୍ତଚର ଅଭିଯୋଗରେ ମୋଟ ୬ ଜଣଙ୍କୁ ଗିରଫ କରିଛି। ଏଥିରେ YouTuber ଜ୍ୟୋତି ମାଲହୋତ୍ରା ମଧ୍ୟ ସାମିଲ ଅଛନ୍ତି।