ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ ବିଷୟରେ ପାକିସ୍ତାନକୁ ଆଗୁଆ ସୂଚନା ଦେବା ମାମଲାକୁ ନେଇ ମାହୋଲ ହୋଇଛି ସରଗରମ। ବିଦେଶ ମନ୍ତ୍ରଣାଳୟର ଏଏସପି ଡିଭିଜନ ପକ୍ଷରୁ ଏହାକୁ ନେଇ ଶନିବାର ସଫେଇ ଜାରି କରାଯାଇଛି। ଏଥିରେ କୁହାଯାଇଛି, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ, ଆମେ ପୂର୍ବରୁ ହିଁ ପାକିସ୍ତାନକୁ ଚେତାବନୀ ଦେଇଥିଲୁ , ଯାହା ସ୍ପଷ୍ଟ ଭାବେ ଅପରେସନ ସିନ୍ଦୂର ଆରମ୍ଭ ହେବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲା। ଏହାକୁ ଭୁଲ ଉପାୟରେ ଅପରେସନ ଆରମ୍ଭ ହେବା ପୂର୍ବରୁ ଚେତାବନୀ ଭାବେ ଉପସ୍ଥାପିତ କରାଯାଉଛି। ତଥ୍ୟକୁ ସଂପର୍ଣ୍ଣ ରୂପେ ଭୁଲ୍ ବ୍ୟାଖା କରାଯାଇଛି , ଯାହାର ନିନ୍ଦା କରାଯାଉଛି।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ଦାବି କରିଛନ୍ତି ଯେ, ସରକାର ‘ଅପରେସନ ସିନ୍ଦୂର’ର ଆରମ୍ଭରେ ହିଁ ପାକିସ୍ତାନକୁ ଏହି ବିଷୟରେ ସୂଚିତ କରିଥିଲେ , ଯାହା ଏକ ଅପରାଧ। ସେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ବୟାନର ଏକ ଭିଡିଓ ଏକ୍ସରେ ପୋଷ୍ଟ କରିଛନ୍ତି। ରାହୁଲ ଦାବି କରିଛନ୍ତି ଯେ, ସରକାର ଏହା ସ୍ୱୀକାର କରିଛନ୍ତି ଯେ, ସେ ଏୟାର ଷ୍ଟ୍ରାଇକର ଆରମ୍ଭରେ ପାକିସ୍ତାନକୁ ସୂଚିତ କରିଥିଲେ। ସେ କହିଛନ୍ତି ଯେ, ନିଜେ ବିଦେଶ ମନ୍ତ୍ରୀ ସାର୍ବଜନିକ ଭାବେ ସ୍ୱୀକାର କରିଛନ୍ତି ଯେ, ଭାରତ ସରକାର ଏମିତି କରିଛନ୍ତି। କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି,ଏହାକୁ କିଏ ଅନୁମୋଦନ କରିଛନ୍ତି ? ଏଥିଯୋଗୁଁ ଆମର ବାୟୁସେନା କେତେ ବିମାନ ହରାଇଲା ?
ଏସ୍ . ଜୟଶଙ୍କରଙ୍କୁ ଏହି ଭିଡ଼ିଓରେ ଏହା କହିବାର ଶୁଣିପାରିବା , ଅପରେସନର ଆରମ୍ଭରେ ଆମେ ପାକିସ୍ତାନକୁ ଏକ ମେସେଜ୍ ପଠାଇ ଥିଲୁ , ଯେଉଁଥିରେ କୁହାଯାଇ ଥିଲା ଯେ, ଆମେ ଆତଙ୍କବାଦର ଭିତ୍ତିଭୂମି ଉପରେ ହମଲା କରୁଛୁ ଏବଂ ଆମେ ସେନା ଉପରେ ହମଲା କରୁ ନାହୁଁ। ଏଥିପାଇଁ (ପାକିସ୍ତାନୀ)ସେନା ପାଖରେ କିଛି ନକରିବା ଓ ଏହି ପ୍ରକ୍ରିୟାରେ ହସ୍ତକ୍ଷେପ ନକରିବାର ବିକଳ୍ପ ଅଛି। ସେ ଭଲ ପରାମର୍ଶ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଲେ। ପିଆଇବି ଏହି ଦାବି ଗୁଡ଼ିକୁ ଖାରଜ କରିଛି ଯେ, ଜୟଶଙ୍କର କହିଥିଲେ, ଭାରତ ଅପରେସନ ସିନ୍ଦୂର ପୂର୍ବରୁ ପାକିସ୍ତାନକୁ ସୂଚିତ କରିଥିଲେ। ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ ଏକ୍ସରେ ଏକ ପୋଷ୍ଟ ରେ କୁହାଯାଇଛି ଯେ, ମନ୍ତ୍ରୀ ଏମିତି କୌଣସି ବିବୃତ୍ତି ଦେଇ ନାହାନ୍ତି ଏବଂ ତାଙ୍କୁ ଭୁଲ ଉପାୟରେ ଉପସ୍ଥାପିତ କରାଯାଉଛି।