ନୂଆଦିଲ୍ଲୀ : ଦିଲ୍ଲୀ – NCRରେ ପୁଣି ଥରେ ପାଣିପାଗରେ ପରିବର୍ତ୍ତନ ଘଟିଛି। ଅନେକ ଅଞ୍ଚଳରେ ଧୂଳିଝଡ଼ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଛି। ପାଣିପାଗ ବିଭାଗ ଆଜି ବର୍ଷା ଓ ଝଡ଼ର ଆଶଙ୍କା ମଧ୍ୟ କରିଥିଲା। ଏଥିରେ ପାଗରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଲୋକଙ୍କୁ ଭୀଷଣ ଗରମରେ ଆଶ୍ୱସ୍ତି ମିଳି ପାରେ। ଅନ୍ୟପଟେ ନୋଏଡାରେ ଧୂଳଝଡ଼ ଓ ପ୍ରବଳ ବର୍ଷା ପରେ ଗଛ ଭାଙ୍ଗି ଖସି ପଡ଼ିବାର ଖବର ଆସିଛି। ସୂଚନା ମୁତାବିକ, ଖୁବ୍ ଜୋରରେ ପବନ ବହିବା ସହ ହୋଇଥିବା ବର୍ଷା କାରଣରୁ ନୋଏଡାର ଅନେକ ଅଞ୍ଚଳରେ ଗଛ ଉପୁଡ଼ି ଯାଇ ଗାଡ଼ି ଗୁଡିକ ଉପରେ ଖସି ପଡ଼ିଛି। ଯାନବାହନର ଯାତାୟାତରେ ବାଧାପ୍ରାପ୍ତ ହୋଇଛି।
ଅନ୍ୟପଟେ ଦିଲ୍ଲୀରେ ଶନିବାର ଝଡ଼ ବର୍ଷା କାରଣରୁ ଦିଲ୍ଲୀ ମୁନିସପାଲିଟି କର୍ପୋରେସନର ହିନ୍ଦୁ ରାଓ ହସ୍ପିଟାଲରେ ଅନେକ ଗଛ ଓ ତାର ଡାଳ ଭାଙ୍ଗି ଖସି ପଡ଼ିଛି। ହସ୍ପିଟାଲରେ ନିର୍ମିତ ଟିଣର ଆଶ୍ରୟ ଘର ମଧ୍ୟ ଭାଙ୍ଗି ଯାଇଛି। ଏହି ଘଟଣାରେ ଏବେସୁଦ୍ଧା କାହାର ହତାହତ ହେବାର କୌଣସି ସୂଚନା ମିଳିନାହିଁ। ନିଗମ ଅଧିକାରୀଙ୍କ ଅନୁସାରେ , କ୍ଷତିଗ୍ରସ୍ତ ଓ ଭାଙ୍ଗି ପଡ଼ିଥିବା ଗଛ ଓ ଟିଣର ଘରକୁ ହଟାଇବାକୁ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି।
ଦିଲ୍ଲୀରେ ହୋଇଥିବା ଝଡ଼ ବର୍ଷା କାରଣରୁ ବିଭିନ୍ନ ମେଟ୍ରୋ ଷ୍ଟେସନରେ ଜଳମଗ୍ନ କାରଣରୁ ଲୋକଙ୍କର ଅସୁବିଧା ହୋଇଛି। ଶନିବାର ୪ଟା ସମୟରେ ସଫେଇ କର୍ମଚାରୀଙ୍କୁ କାଶ୍ମୀରୀ ଗେଟ୍ ମେଟ୍ରୋ ଷ୍ଟେସନରେ ସଫେଇ କରିବା ପାଇଁ ମୁତୟନ କରାଯାଇଛି।
ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରି ଆଜି ଝଡ଼ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହାସହ ପାଣିପାଗ ବିଭାଗ ସପ୍ତାହର ପୂର୍ବାନୁମାନ ଜାରି କରି କହିଛି , ଯେଉଁଥିରେ ୫ଦିନ ଝଡ଼ ବର୍ଷାର ଆଶଙ୍କା କରାଯାଇଛି। ପାଣିପାଗ ବିଭାଗ ମୁତାବିକ ,୧୭ ମଇରେ ବିଜୁଳି ଘଡ଼ଘଡ଼ି ସହ ଝଡ ବର୍ଷା ପ୍ରବଳ ପବନ ବହି ପାରେ।