ନୂଆଦିଲ୍ଲୀ: କଂଗ୍ରେସ ନେତା ଜୟରାମ ରମେଶ ନିର୍ବାଚନ ଆୟୋଗର ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ବର୍ତ୍ତମାନ ସମୟରେ ନିର୍ବାଚନୀ ପ୍ରକ୍ରିୟାରେ ନିରପେକ୍ଷତା ହ୍ରାସ ହେଉଥିବା ନେଇ ଇସିଆଇ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ଜୟରାମ ରମେଶ । ଆୟୋଗ ନିଜର ପାରଦର୍ଶିତା ବଜାୟ ରଖିବାରେ ଅସଫଳ ହୋଇଛି । ନିର୍ବାଚନୀ ପ୍ରକ୍ରିୟାରେ ଦୁର୍ନୀତିକୁ ନିର୍ବାଚନ ଆୟୋଗ ପ୍ରୋତ୍ସାହନ କରୁଛି ବୋଲି ସେ କହିଛନ୍ତି ।
ଜୟରାମ ରମେଶ ନିଜର ଏହି ପୋଷ୍ଟରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ରାୟକୁ ଉଲ୍ଲେଖ କରିଛନ୍ତି । ନିର୍ବାଚନ ଆୟୋଗ ଜନତାଙ୍କ ସହ ପାରଦର୍ଶିତା ରଖିବା ନେଇ ସମସ୍ତ ଆବଶ୍ୟକୀୟ ସୂଚନା ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ସହ କହିଥିଲେ, ଜନତାଙ୍କ ସହ ସୂଚନା ଶେୟାର କରିବା ନା କେବଳ ବିଶ୍ବାସ ଜନ୍ମାଏ ବରଂ ଆଇନଗତ ଭାବରେ ଏହାର ଆବଶ୍ୟକତା ରହିଛି । ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଆୟୋଗ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ପାଳନ କରିବା ପରିବର୍ତ୍ତେ, ସୂଚନା ଦେବାର ସୀମାକୁ ସଂକୁଚିତ କରିବାର ନିୟମକୁ ସଂଶୋଧନ କରିବାକୁ ତତ୍ପରତା ଦେଖାଇଛି ।
ନିର୍ବାଚନ ଆୟୋଗର ଏହି ତତ୍ପରତା ଉପରେ ପ୍ରଶ୍ନ ଉଠାଇ ଜୟରାମ ପଚାରିଛନ୍ତି, ଇସିଆଇ ପାରଦର୍ଶିତାକୁ ଏତେ ଭୟ କାହିଁକି କରୁଛନ୍ତି ? ଏହା ସହ ନିର୍ବାଚନ ଆୟୋଗର ଏହି ଆଭିମୁଖ୍ୟ ବିରୋଧରେ ଖୁବଶୀଘ୍ର ଆଇନଗତ ଚ୍ୟାଲେଞ୍ଜ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ପାରଦର୍ଶିତା ଏବଂ ଖୋଲାପଣ ଲୋକତନ୍ତ୍ରକୁ ମଜଭୁତ କରିବା ଲାଗି ଆବଶ୍ୟକ । ନିର୍ବାଚନ ଆୟୋଗର ଏହି ଆଭିମୁଖ୍ୟ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ କମଜୋର କରିବ ।
ନିର୍ବାଚନ ଆୟୋଗର କାର୍ଯ୍ୟଶୈଳୀ ଉପରେ ବିରୋଧୀ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି । ଜୟରାମ ରମେଶଙ୍କ ଏଭଳି ଅଭିଯୋଗ ପରେ ପୁଣି ଥରେ ନିର୍ବାଚନ ଆୟୋଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିରୋଧୀଙ୍କ କହିବା କଥା ହେଲା, ନିର୍ବାଚନୀ ପ୍ରକ୍ରିୟାରେ ପାରଦର୍ଶିତା ରଖିବା ନିର୍ବାଚନ ଆୟୋଗର ଦାୟିତ୍ବ । ଏଥିରେ କୌଣସି ପ୍ରକାର ଅବହେଳା ଲୋକତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବ ।