ମୁମ୍ବାଇ,୧୫/୦୨: ଖୁବ୍ ଶୀଘ୍ର ଆଗାମୀ ଆଇପିଏଲ୍ର ୧୮ତମ ସଂସ୍କରଣ ପାଇଁ କ୍ରୀଡ଼ାସୂଚୀ ଘୋଷଣା କରାଯିବ । ଆଇପିଏଲ ଆୟୋଜକ କମିଟି ସମ୍ପ୍ରତି କ୍ରୀଡ଼ାସୂଚୀ ପ୍ରସ୍ତୁତରେ ବ୍ୟସ୍ତ ।
ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି, ଆସନ୍ତା ମାସ ୨୨ ତାରିଖରେ ଆଇପିଏଲ୍ ଆରମ୍ଭ ହେବ । ଉଦ୍ଘାଟନୀ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରକୁ ଭେଟିବେ । ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ୍ ଆୟୋଜିତ ହେବ । ସେହିପରି ଗତ ବର୍ଷର ରନର୍ସ ଅପ୍ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିଜ ଘରୋଇ ଗ୍ରାଉଣ୍ଡ୍ରେ ଅଭିଯାନ ଆରମ୍ଭ କରିବ । ୨୩ ତାରିଖରେ ଦଳ ଉପଲ ଗ୍ରାଉଣ୍ଡ୍ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ।
ବିସିସିଆଇ ବିଧିବଦ୍ଧ ଭାବେ କ୍ରୀଡ଼ାସୂଚୀ ଘୋଷଣା କରିନଥିଲେ ହେଁ ଫ୍ରାଞ୍ଚାଇଜମାନଙ୍କୁ ଏବିଷୟରେ ଅବଗତ କରାଯାଇଛି । ମେ’ ମାସ ୨୫ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । କୋଲକାତା ନାଇଟ ରାଇଡର୍ସ ଗତ ବର୍ଷ ଚାମ୍ପିଅନ୍ ହୋଇଥିବାରୁ ସେହି ଦଳର ଘରୋଇ ଗ୍ରାଉଣ୍ଡକୁ ଉଭୟ ଉଦଘାଟନୀ ଓ ଫାଇନାଲ ମ୍ୟାଚ୍ ଆୟୋଜନ କରିବାକୁ ସୁଯୋଗ ମିଳିବ ।
ଗତ ବର୍ଷର ରନର୍ସ ଅପ୍ ଦଳର ଘରୋଇ ଭେନ୍ୟୁ (ଉପଲ ଗ୍ରାଉଣ୍ଡ)କୁ କ୍ୱାଲିଫାୟର ୧ ଓ ଏଲିମିନେଟର ମୁକାବିଲା ଆୟୋଜନ କରିବାକୁ ସୁଯୋଗ ମିଳିବ । କୋଲକାତା ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା ମଧ୍ୟ ଆୟୋଜନ କରିବ । ପ୍ରତ୍ୟେକ ଫ୍ରାଞ୍ଚାଇଜ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବେ । କେବଳ ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ନିକଟରେ ୨ଟି ଲେଖାଏଁ ଘରୋଇ ଗ୍ରାଉଣ୍ଡ ରହିଛି । ପଞ୍ଜାବ କିଙ୍ଗ୍ସ ଧର୍ମଶାଳାକୁ ଓ ରାଜସ୍ଥାନ ରୟାଲ୍ସ ଗୌହାଟୀକୁ ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ୍ ରୂପେ ରଖିଛନ୍ତି ।
ରାଜସ୍ଥାନ ରୟାଲ୍ସ ଗୌହାଟୀରେ ୨ଟି ମ୍ୟାଚ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୨୬ ତାରିଖରେ ରୟାଲ୍ସ ଏହି ଗ୍ରାଉଣ୍ଡ୍ରେ କୋଲକାତା ନାଇଟ ରାଇଡର୍ସ ଓ ୩୦ ତାରିଖରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିବ । ପଞ୍ଜାବ କିଙ୍ଗ୍ସ ଧର୍ମଶାଳାରେ ୩ଟି ମ୍ୟାଚ୍ ଆୟୋଜନ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି ।