ନୂଆଦିଲ୍ଲୀ,୨୮।୧: ଆଇସିସି ଓ୍ବିମେନ୍ସ ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ବକପ୍ ୨୦୨୫ ରେ ଭାରତର ବିଜୟ ରଥ ଜାରି ରହିଛି। ଭାରତ ମଙ୍ଗଳବାର ସୁପର ସିକ୍ସ ରାଉଣ୍ଡରେ ନିଜର ଶେଷ ମ୍ୟାଚ୍ରେ ସ୍କଟଲାଣ୍ଡକୁ ୧୫୦ ରନ୍ରେ ଧୁଳି ଚଟାଇଛି। ଭାରତର ଏହି ବିଜୟ ଖୁବ୍ ବଡ଼ ରହିଛି। ଭାରତର ଭାରତର ଟୁର୍ଣ୍ଣାମେଣ୍ଟରେ ନିଜର ସବୁଠାରୁ ବଡ଼ ବିଜୟ ହାସଲ କରିଛି। ନିକି ପ୍ରସାଦଙ୍କ ନେତୃତ୍ବାଧୀନ ଟିମ୍ ପୂର୍ବରୁ ହିଁ ସେମିଫାଇନାଲରେ ପ୍ରବେଶ କରିସାରିଛି। ଡିଫେଣ୍ଡିଂ ଚମ୍ପିଆନ୍ ଭାରତ ଲଗାତାର ପଞ୍ଚମ ମ୍ୟାଚ୍ ଜିତିଛି।
ଓପନର ଗୋଗାଣ୍ଡି ତୃଷ୍ଣାଙ୍କ ବିସ୍ଫୋରକ ଶତକୀୟ ଇନିଂସ ସ୍କଟଲାଣ୍ଡର ବିଜୟ ଆଶାକୁ କରିଥିଲା ଧୂଳିସାତ। ସେ କୁଆଲାଲମ୍ପୁରର ବୟୁମାସ ଓଭଲ ଷ୍ଟାଡିୟରେ ୫୯ ବଲରେ ୧୩ ଚୌକା ଓ ୪ଟି ଛକା ମାରି ୧୧୦ ରନ୍ କରିଛନ୍ତି। ସେ ଅଣ୍ଡର-୧୯ ଟି-୨୦ ବିଶ୍ବକପ୍ରେ ଶତକ କରିଥିବା ପ୍ରଥମ ଖେଳାଳି। କେବଳ ଭାରତ ନୁହେଁ, ବଂର ପୁରା ବିଶ୍ବର ହୋଇଛନ୍ତି ସର୍ବ ପ୍ରଥମ ଖେଳାଳି। ତୃଷ୍ଣାଙ୍କ ଶତକ ବଦଳରେ ଭାରତ ୧ ଓ୍ବିକେଟ ହରାଇ ୨୦୮ ରନ୍ କରିଥିଲା ଓ ସ୍କଟଲାଣ୍ଡକୁ ୧୪ ଓଭରରେ ମାତ୍ର ୫୮ ରନ୍ରେ ଅଲ୍ଆଉଟ୍ କରିଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ତୃଷ୍ଣାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଟିମ୍ କରିପାରିଥିଲା ଭଲ ସ୍କୋର। ଜି କମାଲିନିଙ୍କ ସହ ତୃଷ୍ଣା ପ୍ରଥମ ଓ୍ବିକେଟ୍ରେ କରିଥିଲେ ୧୪୭ ରନ୍ର ପାର୍ଟନରସିପ୍। କମାଳିନି ୪୨ ବଲ୍ରେ ୯ଟି ଚୌକା ଜରିଆରେ ୫୧ ରନ୍ କରିଥିଲେ ଓ ୧୪ ତମ ଓଭରରେ ମେସି ମେସିରାଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଏହାପରେ ସାନିକାଙ୍କ ସହ ୬୧ ରନ୍ର ଅତୁଟ ପାର୍ଟନରସିପ୍ କରିଥିଲେ ତୃଷ୍ଣା। ଭାରତ ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ସବୁଠାରୁ ବଡ଼ ସ୍କୋର କରିପାରିଥିଲା। ଲିଷ୍ଟର ଟପ୍ରେ ରହିଛି ଭାରତ। ଭାରତ ୨୦୨୩ ରେ ୟୁଏଇ ବିରୋଧରେ ୩ ଓ୍ବିକେଟ ହରାଇ କରିଥିଲା ୨୧୯ ରନ୍। ସେତେବେଳେ ଭାରତୀୟ ଟିମ୍ ୧୨୨ ରନ୍ରେ ଜିତିଥିଲା।
ସେଭଳି ଭାରତ ବିରୋଧରେ ବଡ଼ ସ୍କୋରକୁ ଲକ୍ଷ୍ୟ କରି ପ୍ରଥମରୁ ସ୍କଟଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଓପନର ବ୍ୟାଟର ପିପ୍ପା କେଲି ୧୨ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଗଡି ଚାଲିଥିଲା ଗୋଟିଏ ପରେ ଗୋଟିଏ ଓ୍ବିକେଟ। ସ୍କଟଲାଣ୍ଡ ୭ ଓ୍ବିକେଟ ହରାଇ ମାତ୍ର ୪୨ ରନ୍ କରିଥିଲା। ସ୍କଟଲାଣ୍ଡର ୭ ଖେଳାଳି ଦୁଇ ଅଙ୍କ ପର୍ଯ୍ୟନ୍ତ ସ୍କୋର କରିପାରିନଥିଲେ। ତାଙ୍କ ଭିତରୁ ୩ ଜଣ ଖାତା ମଧ୍ୟ ଖୋଲି ପାରିନଥିଲେ। ଭାରତ ପକ୍ଷରୁ ଆୟୁଷି ଶୁକ୍ଲା ସର୍ବାଧିକ ୪ଟି ଓ୍ବିକେଟ ନେଇଥିଲେ। କେବଳ ବ୍ୟାଟିଂ ନୁହେଁ ବୋଲିଂରେ ବି କମାଲ କରିଥିଲେ ତୃଷ୍ଣା। ବୈଷ୍ଣଭି ଶର୍ମା ଓ ତୃଷ୍ଣା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ତୃଷ୍ଣାଙ୍କୁ ପ୍ଲେୟାର ଅପ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଥିଲା।