ନୂଆଦିଲ୍ଲୀ: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶରେ ଆଜି (ମଙ୍ଗଳବାର) ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ୩୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ପାହାଡ଼ ତଳକୁ ଓଲଟି ପଡ଼ିଛି । ବସ୍ଟି ନିୟନ୍ତ୍ରଣ ହରାଇଥିବାରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଅତି କମରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ପୋଲିସ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି ।
ପଶ୍ଚିମ ସୁମାତ୍ରା ଟ୍ରାଫିକ୍ ପୋଲିସ ନିର୍ଦ୍ଦେଶକ ରେଜା ଚୈରୁଲ ଆକବର ସିଦିକ୍ କହିଛନ୍ତି ଯେ, ବସ୍ ଟି ଉତ୍ତର ସୁମାତ୍ରା ପ୍ରଦେଶର ମେଦାନରୁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ଅଭିମୁଖେ ଯାଉଥିଲା। ଏହି ସମୟରେ, ପଶ୍ଚିମ ସୁମାତ୍ରାର ପାଡାଙ୍ଗ ସହରର ଏକ ବସ୍ ଟର୍ମିନାଲ ନିକଟରେ ଏହାର ବ୍ରେକ୍ ସମ୍ଭବତଃ ଖରାପ ହୋଇଯାଇଥିଲା। ସେ କହିଛନ୍ତି ଯେ, ପୋଲିସ ଏହି ଦୁର୍ଘଟଣାର କାରଣ ଖୋଜୁଛି।
ଦୁର୍ଘଟଣାରୁ ବଞ୍ଚିଯାଇଥିବା ଲୋକମାନେ କହିଛନ୍ତି ଯେ, ପାଦାଙ୍ଗର ପାହାଡ଼ ଅଞ୍ଚଳରେ ବ୍ରେକ୍ ଫେଲ୍ ହୋଇଯିବାରୁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ସେ କହିଛନ୍ତି ଯେ ୨୩ ଜଣ ଆହତଙ୍କ ସମେତ ସମସ୍ତ ପୀଡିତଙ୍କୁ ନିକଟବର୍ତ୍ତୀ ଦୁଇଟି ହସ୍ପିଟାଲକୁ ପଠାଯାଇଛି। ଡ୍ରାଇଭରଙ୍କ ସମେତ ଅନେକଙ୍କ ଅବସ୍ଥା ଗୁରୁତର ଅଛି।