ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଘାତକ ଡ୍ରୋନ୍ ‘କ୍ୟାଟସ୍ ଓ୍ୱାରିୟର’ (CATS Warrior) ଏବେ ଅନ୍ତିମ ପରୀକ୍ଷଣ ପର୍ଯ୍ୟାୟରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ, ଏହି ଅତ୍ୟାଧୁନିକ ଡ୍ରୋନ୍ ୨୦୨୬ ମସିହାରେ ନିଜର ପ୍ରଥମ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଛି। ଏହି ଡ୍ରୋନ୍ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି।
‘କ୍ୟାଟସ୍ ଓ୍ୱାରିୟର’ ହେଉଛି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଏବଂ ନ୍ୟୁ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ଦ୍ୱାରା ମିଳିତ ଭାବେ ବିକଶିତ ଏକ ଅତ୍ୟାଧୁନିକ ଡ୍ରୋନ୍। ଏହା ଏକ ମଧ୍ୟମ ଉଚ୍ଚତାରେ ଦୀର୍ଘ ସମୟ ଉଡ଼ାଣ କରିବାରେ ସକ୍ଷମ (MALE - Medium Altitude Long Endurance) ଡ୍ରୋନ୍ ଭାବେ ଡିଜାଇନ୍ କରାଯାଇଛି। ଏହି ଡ୍ରୋନ୍ ନିରୀକ୍ଷଣ (ISR - Intelligence, Surveillance, and Reconnaissance) ଏବଂ ଯୁଦ୍ଧ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। ଏହା ଅତ୍ୟାଧୁନିକ ସେନ୍ସର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଏବଂ ସଠିକ ଆକ୍ରମଣ କ୍ଷମତାରେ ସଜ୍ଜିତ। ଯାହା ଏହାକୁ ଆଧୁନିକ ଯୁଦ୍ଧ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ କରିବ।
ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଡ୍ରୋନ୍ ଏବେ ଅନ୍ତିମ ପରୀକ୍ଷଣ ପର୍ଯ୍ୟାୟରେ ରହିଛି। ଏହାର ପ୍ରୋଟୋଟାଇପ୍ ବିକାଶ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଏବଂ ୨୦୨୬ ମସିହାରେ ଏହାର ପ୍ରଥମ ଉଡ଼ାଣ ପରୀକ୍ଷା କରାଯିବ। ଏହି ଡ୍ରୋନ୍ ଭାରତୀୟ ସେନା, ନୌସେନା ଏବଂ ବାୟୁସେନାରେ ସାମିଲ ହେବାକୁ ଯାଉଛି। ଯାହା ଦେଶର ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବ।
ଏହି ଡ୍ରୋନ୍ ଭାରତର ‘ଆତ୍ମନିର୍ଭର ଭାରତ’ ଅଭିଯାନର ଏକ ଅଂଶ ଭାବେ ବିକଶିତ ହେଉଛି। ଯାହା ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ପ୍ରଯୁକ୍ତିକୁ ପ୍ରୋତ୍ସାହନ ଦେଉଛି। ଇକନୋମିକ୍ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ‘ଅପରେସନ୍ ସିନ୍ଦୁର’ ଭଳି ଘଟଣା ଭାରତର ଡ୍ରୋନ୍ ସାମର୍ଥ୍ୟକୁ ବୃଦ୍ଧି କରିବାର ଆବଶ୍ୟକତାକୁ ଉଜାଗର କରିଛି। ଏହି ଡ୍ରୋନ୍ ସୀମା ନିରୀକ୍ଷଣ, ଶତ୍ରୁ ଅଞ୍ଚଳରେ ସଠିକ ଆକ୍ରମଣ ଏବଂ ଅନ୍ୟାନ୍ୟ ରଣନୈତିକ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇବ।
ପ୍ରଥମ ଉଡ଼ାଣ ପରୀକ୍ଷା ପରେ ଏହି ଡ୍ରୋନ୍ କୁ ବିଭିନ୍ନ ପରିସ୍ଥିତିରେ ପରୀକ୍ଷଣ କରାଯିବ। ଯାହା ପରେ ଏହାକୁ ପ୍ରତିରକ୍ଷା ବାହିନୀରେ ସାମିଲ କରାଯିବ। ଏହା ସହିତ, ଭାରତ ଅନ୍ୟାନ୍ୟ ସ୍ୱଦେଶୀ ଡ୍ରୋନ୍ ପ୍ରକଳ୍ପ ଉପରେ ମଧ୍ୟ କାମ କରୁଛି। ଯାହା ଦେଶର ଆଧୁନିକ ଯୁଦ୍ଧ କ୍ଷମତାକୁ ଆହୁରି ବୃଦ୍ଧି କରିବ।
ଏହି ଘଟଣା ଭାରତର ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟର ଆରମ୍ଭ କରିଛି। ଯାହା ଦେଶକୁ ଆନ୍ତର୍ଜାତୀୟ ସ୍ତରରେ ଆହୁରି ଶକ୍ତିଶାଳୀ କରିବ ବୋଲି ବିସେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।