ଭୁବନେଶ୍ୱର/କଟକ,୦୭/୦୨: ପ୍ରଥମ ଦିନିକିଆ ନାଗପୁରରେ ଶେଷ ହେବା ପରେ ଉଭୟ ଭାରତ ଏବଂ ଇଂଲଣ୍ଡ ଦଳ ଶୁକ୍ରାବର ସନ୍ଧ୍ୟା ୭ଟା ୪୦ ମନିଟ୍ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ମେ' ଫେୟାର ହୋଟେଲରେ ଖେଳାଳି, କୋଚ୍ ଏବଂ ମ୍ୟାଚ୍ ଅଫିସିଆଲମାନଙ୍କ ରହିବାର ବ୍ୟବସ୍ଥା ହୋଇଛି । ବିମାନବନ୍ଦରରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯିବ । ଆସନ୍ତା ୮ ତାରିଖରେ ଉଭୟ ଦଳ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ ।
ମ୍ୟାଚ୍ ଦିବସ ଯେତେ ପାଖେଇ ଆସୁଛି ଲୋକଙ୍କ ଉତ୍ସାହ ସେତିକି ବଢ଼ି ବଢ଼ି ଚାଲିଛି । ରୋହିତ ବାହିନୀଙ୍କୁ ଦେଖିବା ନିମନ୍ତେ କ୍ରିକେଟପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଭରି ହୋଇ ରହିଛି । ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ୪ ୱିକେଟରେ ହରାଇଥିବା ଭାରତୀୟ ଦଳ ବାରବାଟୀରେ ବିଜୟୀ ହୋଇ ସିରଜ କବଜା କରିବା ଲକ୍ଷ୍ୟରେ ରହିଛି । ପୂର୍ବରୁ ବାରବାଟୀରେ ଏହି ଦୁଇ ଦଳ ମୋଟ୍ ୫ ଥର ମୁହାଁମୁହିଁ ହୋଇଛନ୍ତି । ଏଥରୁ ଭାରତ ୩ଟି ଜିତିଥିବାବେଳେ ଇଂଲଣ୍ଡ ୨ଟି ଜିତିଛି । ବାରବାଟୀରେ ଶେଷ ଦୁଇ ମ୍ୟାଚ୍ରେ ଭାରତ ଜିତିଛି ।
ବାରବାଟୀ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ ଚୂଡ଼ାନ୍ତ ହୋଇଛି । ମ୍ୟାଚ୍ ପାଇଁ ପ୍ରାୟ ୬୦ ପ୍ଲାଟୁନ୍ ଫୋର୍ସ ଅର୍ଥାତ୍ ୧୮୦୦ରୁ ଅଧିକ ସିପାହୀ ବା ରିଜର୍ଭ ଫୋର୍ସ ନିୟୋଜିତ ହେବେ । ଏଥିପାଇଁ ଗତକାଲିଠାରୁ ଷ୍ଟାଡିୟମ୍କୁ ଫୋର୍ସ ଆସିବା ଆରମ୍ଭ କରିଛନ୍ତି । ସେହିପରି ପ୍ରାୟ ୩୫୦ ଜଣ ଅଫିସର ମଧ୍ୟ ସୁରକ୍ଷା ତଦାରଖ କରିବେ ।
ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ତାଲିମ ନେଉଥିବା ୧୭୮ ଜଣ ଏସ୍ଆଇଙ୍କୁ ମଧ୍ୟ ସୁରକ୍ଷା ଦାୟିତ୍ୱ ତଦାରଖ ପାଇଁ ଡକାଯାଇଛି । ଏଥିସହିତ କଟକ, ଭୁବନେଶ୍ୱର ଓ ରାଜ୍ୟର ଅନ୍ୟ ଜିଲ୍ଲା ପୁଲିସରୁ ୧୫୦ ଏସ୍ଆଇ ଓ ଏଏସ୍ଆଇ ରହିବେ । ସେହିପରି ପ୍ରାୟ ୮୦ ଜଣ ଇନ୍ସପେକ୍ଟର ବା ସୁବେଦାର ର୍ୟାଙ୍କ୍ର ଅଧିକାରୀ, ଡିଏସ୍ପି ଓ ଏଏସ୍ପି ର୍ୟାଙ୍କ୍ର ୨୦ଜଣ ଅଧିକାରୀ ଓ ଟୁଇନ ସିଟିର ଦୁଇ ଡିସିପି ସୁରକ୍ଷା ତଦାରଖ କରିବେ । ଏଥିସହିତ ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ୱାଡ୍, ସ୍ପେସାଲ୍ ଟାକ୍ଟିକାଲ୍ ୟୁନିଟ୍ ଓ ଟ୍ରାଫିକ୍ ପୁଲିସ କର୍ମଚାରୀ ରହିବେ । ଖେଳାଳି ଓ ଭିଭିଆଇପି ଯାତାୟାତ ପାଇଁ ଭୁବନେଶ୍ୱରରୁ କଟକ ଲମ୍ବିଥିବା ଜାତୀୟ ରାଜପଥରେ ରୁଟ୍ ଲାଇନିଂ କରାଯିବ । ସେହିପରି ଓଡ୍ରାଫ୍ ଏବଂ ଅଗ୍ନିଶମ ଟିମ୍ ମଧ୍ୟ ଡ୍ୟୁଟି କରିବେ । ତେବେ ମ୍ୟାଚ୍ ପାଇଁ ସୁରକ୍ଷା ବନ୍ଦୋବସ୍ତରେ କେଉଁ ପୁଲିସ ଅଧିକାରୀଙ୍କ ଭୂମିକା କ’ଣ ରହିବ ସେ ସଂପର୍କରେ ଶୁକ୍ରବାର ଅପରାହ୍ନରେ ଡିସିପି ଜଗମୋହନ ମୀନା ଓ ସିପି ଏସ୍ ଦେବଦତ୍ତ ସିଂହ ପୁଲିସ କର୍ମଚାରୀମାନଙ୍କୁ ସୂଚନା ପ୍ରଦାନ କରିବେ । ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଏନେଇ ବ୍ରିଫିଂ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ମିଳିଛି।