ମାଞ୍ଚେଷ୍ଟର,୨୨/୦୭: ବୁଧବାରଠୁ ଆରମ୍ଭ ହେବାକୁ ଯାଉଥିବା ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳ ଗତ ଦୁଇ ଦିନ ହେଲା ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅଭ୍ୟାସ ଚଳାଇଛି । ମ୍ୟାଚ୍ ପାଖେଇ ଆସୁଥିବାବେଳେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶକୁ ନେଇ ଚିତ୍ର ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଯଶପ୍ରୀତ ବୁମରା ଚତୁର୍ଥ ଟେଷ୍ଟ ଖେଳିବା ଏକ ପ୍ରକାର ନିଶ୍ଚିତ ରହିଛି । ସୋମବାର ସାମ୍ବାଦିକ ସମ୍ବିଳନୀରେ ମହମ୍ମଦ ସିରାଜ ଏ ବିଷୟରେ ଜଣାଇଛନ୍ତି । ଲର୍ଡ୍ସରେ ଆହତ ହୋଇଥିବା ରିଷଭ ପନ୍ତ ମଧ୍ୟ ଖେଳିବାର ସମ୍ଭାବନା ରହିଛି । ସେ ୱିକେଟ କିପିଙ୍ଗ୍ ଅଭ୍ୟାସ କରିଛନ୍ତି ।
ଉଭୟ ଷ୍ଟାର ଖେଳାଳିଙ୍କୁ ନେଇ ଗତ ସପ୍ତାହେ କାଳ ଧରି ଲାଗି ରହିଥିବା ସବୁ ଆଲୋଚନାର ଅନ୍ତ ଘଟିଥିଲେ ହେଁ ଆହତ ହୋଇ ସିରିଜରୁ ବାଦ ପଡ଼ିଥିବା ନୀତିଶ କୁମାର ରେଡ୍ଡୀଙ୍କ ସ୍ଥାନକୁ ନେଇ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଛି । ନୀତିଶଙ୍କ ସ୍ଥାନରେ କୁଲଦୀପ ଯାଦବ ଖେଳିବା ଆଶା କରାଯାଉଥିବାବେଳେ ସର୍ଦୁଲ ଠାକୁରଙ୍କ ସମେତ କାମ୍ବୋଜ ମଧ୍ୟ ନୂଆ ପ୍ରତିଦ୍ୱନ୍ଦ୍ୱୀ ଭାବେ ରହିଛନ୍ତି । ଆହତ ନୀତିଶଙ୍କ ସ୍ଥାନରେ ଯୁବ ପେସ୍ ବୋଲର ଅଂଶୁଲ କାମ୍ବୋଜ ଦଳରେ ଯୋଗ ଦେଇ ଅଭ୍ୟାସ ଆରମ୍ଭ କରିଛନ୍ତି ।
ସୁଦର୍ଶନ-ନାଏର-ସୁନ୍ଦର
ଓଲ୍ଡ ଟ୍ରାଫୋର୍ଡରେ ଭାରତର ଚୂଡ଼ାନ୍ତ ଏକାଦଶକୁ ନେଇ ବହୁ ଆଲୋଚନା ହେବା ସ୍ୱାଭାବିକ । ସିରିଜ ପରାଜୟରୁ ବଞ୍ଚିବା ପାଇଁ ହେଲେ ଏହି ମ୍ୟାଚ୍ ଜିତିବା ଜରୁରି । ତେଣୁ ସନ୍ତୁଳିତ ଏକାଦଶ ଗଠନ କରିବା ପାଇଁ ଟିମ ମ୍ୟାନେଜମେଣ୍ଟ ଲାଗି ପଡ଼ିଛି । ଚତୁର୍ଥ ଟେଷ୍ଟ ପାଇଁ ବାମ ହାତି ବ୍ୟାଟର ସାଇ ସୁଦର୍ଶନ ଏକାଦଶକୁ ଫେରିବାର ସମ୍ଭାବନା ରହିଛି । ସେ ଖେଳିଲେ କରୁଣ ନାଏର କିମ୍ବା ୱାସିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣେ ବାଦ ପଡ଼ିବେ । ପିଚ ଓ ୫ଦିନର ପାଗକୁ ନଜରରେ ରଖି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ପ୍ରଥମ ଟେଷ୍ଟ ଭଳି ଉଭୟ ସୁଦର୍ଶନ ଓ ନାଏରଙ୍କୁ ରଖି ସୁନ୍ଦରଙ୍କୁ ଏକାଦଶରୁ ବାଦ ଦିଆଯାଇପାରେ । ସୁନ୍ଦରଙ୍କ ସମେତ ଉଭୟ ନାଏର ଓ ସୁଦର୍ଶନଙ୍କୁ ମଧ୍ୟ ଖେଳାଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ନୀତିଶଙ୍କ ସ୍ଥାନରେ ସୁଦର୍ଶନଙ୍କୁ ସୁଯୋଗ ମିଳିବ ।
ପନ୍ତ/ଜୁରେଲ ପନ୍ତ
ଚତୁର୍ଥ ଟେଷ୍ଟରେ ୱିକେଟ କିପିଙ୍ଗ କଲେ ନୀତିଶଙ୍କ ସ୍ଥାନରେ ସୁଦର୍ଶନଙ୍କୁ ଖେଳାଯାଇପାରିବ । ନଚେତ ଉଭୟ ପନ୍ତ ଓ ଜୁରେଲ ଖେଳିବେ । ପନ୍ତ ବ୍ୟାଟର ଭାବେ ଖେଳିବେ ଓ ଜୁରେଲ ୱିକେଟ୍ କିପିଙ୍ଗ୍ କରିବେ ।
ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ନୀତିଶ ଚତୁର୍ଥ ପେସ ବୋଲର ଦାୟିତ୍ୱ ତୁଲାଇଥିଲେ । ଓଲ୍ଡ ଟ୍ରାଫୋର୍ଡ ପିଚ୍ ପେସ୍ ବୋଲରଙ୍କୁ ସହାୟତା କଲେ ଭାରତ ଚତୁର୍ଥ ପେସ୍ ବୋଲର ଆବଶ୍ୟକ କରିବ । ଏବଂ ଏହି ସ୍ଥାନରେ ସର୍ଦୁଲ ଠାକୁର ଖେଳି ପାରିବେ । ଦଳର ଅନ୍ୟ ପେସ୍ ବୋଲର ଆକାଶ ଦୀପ ମଧ୍ୟ ଆହତ ଅଛନ୍ତି । ସେ ନେଟ୍ସରେ ବୋଲିଂ କରିଥିଲେ । ମାତ୍ର ତାଙ୍କ ଅଭ୍ୟାସକୁ ବୋଲିଂ କୋଚ୍ ସୀମିତ ରଖିଥିଲେ । ଫିଜିଓଙ୍କ ନଜର ମଧ୍ୟ ତାଙ୍କ ଉପରେ ରହିଥିଲା ।
ମଙ୍ଗଳବାର ତାଙ୍କ ଫିଟ୍ନେସ୍କୁ ପରଖିବା ପରେ ଖେଳିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଆକାଶ ଖେଳି ନପାରିଲେ ତାଙ୍କ ସ୍ଥାନରେ ଅଂଶୁଲ କାମ୍ବୋଜ କିମ୍ବା ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରୁ ଜଣେ ଏକାଦଶରେ ସ୍ଥାନ ପାଇବେ । ପ୍ରଥମ ୨ଟି ଟେଷ୍ଟରେ ପ୍ରସିଦ୍ଧ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । କାମ୍ବୋଜ ଗତ ୨ଟି ଘରୋଇ ପ୍ରଥମ ଶ୍ରେଣୀ ସିଜନରେ ୭୨ଟି ୱିକେଟ୍ ନେଇଛନ୍ତି । ତେଣୁ ତାଙ୍କୁ ମଧ୍ୟ ବିଚାରକୁ ନିଆଯିବ ।
କୁଲଦୀପଙ୍କ ପାଇଁ ସ୍ଥାନ ନାହିଁ
ଚତୁର୍ଥ ଟେଷ୍ଟରେ ବାମ ହାତି ଲେଗ୍ ସ୍ପିନର କୁଲଦୀପ ଯାଦବଙ୍କ ଖେଳିବା ସମ୍ଭାବନା କ୍ଷୀଣ । ନିୟମିତ ଅଭ୍ୟାସ କରୁଥିଲେ ହେଁ ତାଙ୍କ ଉପରେ ଟିମ ମ୍ୟାନେଜମେଣ୍ଟ ଭରସା କରିପାରୁ ନଥିବା ଅନୁମାନ କରାଯାଉଛି । ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ ସମୟରେ ପ୍ରଥମ, ଦ୍ୱିତୀୟ ଓ ପଞ୍ଚମ ଦିବସରେ ବର୍ଷା ହେବାର ସମ୍ଭାବନା ରହିଛି । କୋହଲା ପାଗ ରହିଲେ ପିଚ୍ ପେସ ବୋଲରଙ୍କୁ ସହାୟତା କରିବ । ତେଣୁ ଅତିରିକ୍ତ ସ୍ପିନର ବଦଳରେ ପେସ୍ ବୋଲର ନେଇ ଖେଳିବାକୁ ଭାରତ ବିଚାର କରୁଛି ।