ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ସିରିଜର ଶେଷ ଲଢେଇ; ଆଜି ଇଣ୍ଡିଆ-ଇଂଲଣ୍ଡ ତୃତୀୟ ଦିନିକିଆ, କ୍ଲିନ ସୁଇପ ଲକ୍ଷ୍ୟରେ ଭାରତ

Published By : Ankita S | February 12, 2025 8:19 AM

ଅହମ୍ମଦାବାଦ,୧୨ /୦୨: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଶେଷ ଲଢେଇ ଲଢିବ ଟିମ୍ ଇଣ୍ଡିଆ । ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି (ବୁଧବାର) ଖେଳାଯିବ ତୃତୀୟ ଦିନିକିଆ । ପ୍ରଥମ ୨ଟି ମ୍ୟାଚ୍‌ ଜିତି ଆଗୁଆ ସିରିଜ କବ୍‌ଜା କରିସାରିଥିବା ଭାରତ ଏଥର କ୍ଲିନ୍‌ ସୁଇପ୍‌ ପାଇଁ ପ୍ରସ୍ତୁତ ରହିଛି । ଇଂଲଣ୍ଡ ମଧ୍ୟ ବିଜୟ ସହ ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ମନୋବଳ ବଢ଼ାଇବାକୁ ଆଶା ରଖିଛି । ଭାରତ ସିରିଜ କ୍ଲିନ ସୁଇପ ଲକ୍ଷ୍ୟରେ ଥିବାବେଳେ ଇଂଲଣ୍ଡ ସମ୍ମାନ ପାଇଁ ମଇଦାନକୁ ଓହ୍ଲାଇବ । ଗତ ୨୦୨୩ ଦିନିକିଆ ବିଶ୍ୱକପ୍‌ ଫାଇନାଲ୍‌ ପରେ ଭାରତୀୟ ଦଳ ପ୍ରଥମ କରି ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍‌ରେ ଏକ ଦିନିକିଆ ଖେଳିବାକୁ ଯାଉଛି ।

ଉକ୍ତ ଫାଇନାଲ ମ୍ୟାଚ୍‌କୁ ଭାରତୀୟ କ୍ରିକେଟ୍‌ ପ୍ରେମୀ ଭୁଲିବା କଷ୍ଟକର । ଆଜି ରୋହିତ ଶର୍ମା ଓ ସାଥୀ ଗ୍ରାଉଣ୍ଡରେ ପ୍ରବେଶ କରିବା ମାତ୍ରେ ଫାଇନାଲ୍‌ ମ୍ୟାଚ୍‌ର ଚିତ୍ର ସବୁ ଆଖି ଆଗରେ ଭାସି ଉଠିବ । ତଥାପି ସବୁ ଭାବନାକୁ ନିୟନ୍ତ୍ରଣରେ ରଖି ଭାରତୀୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସମସ୍ତ ତ୍ରୁଟି ସୁଧାରିବା ଆବଶ୍ୟକ ରହିଥିଲା । ପ୍ରଥମ ୨ଟି ମ୍ୟାଚ୍‌ ଜିତି ଭାରତ ପ୍ରାୟତଃ ସବୁ ଦୁର୍ବଳତା ଦୂର କରି ସାରିଛି । କେବଳ ସିନିୟର ଖେଳାଳିଙ୍କ ଫର୍ମକୁ ନେଇ ଦଳ ଚିନ୍ତିତ ରହିଛି ।

ଭାରତୀୟ ଦଳର ୩ ସିନିୟର ବ୍ୟାଟର ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କ ଫର୍ମକୁ ନେଇ ଗତ କିଛିଦିନ ହେଲା ଜୋରଦାର ଚର୍ଚ୍ଚା ଚାଲିଥିଲା । ରୋହିତ ଅବସର ନିଅନ୍ତୁ ବୋଲି ଅନେକ ମତ ଦେଇଥିଲେ । ଏପରିକି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ତାଙ୍କୁ ଦଳରୁ ବାଦ ଦେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଚୟନ କରାଯିବ ବୋଲି ସୋସିଆଲ ମିଡ଼ିଆରେ ଆଲୋଚନା ଜୋର ଧରିଥିଲା । ବାରବାଟୀ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ରୋହିତ ଶତକ ଅର୍ଜନ କରି ଫର୍ମକୁ ଫେରିବା ସହ ସବୁ ସମାଲୋଚକଙ୍କୁ ଚୁପ୍‌ କରିସାରିଛନ୍ତି । ଏବେ କୋହଲି ଓ ରାହୁଲଙ୍କ ଉପରେ ନଜର । 

ଅଧିକ ପଢନ୍ତୁ...ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡିଲେ ଯଶପ୍ରୀତ ବୁମରା; ହର୍ଷିତଙ୍କୁ ସୁଯୋଗ, ଜାଣନ୍ତୁ କିଏ ରଜର୍ଭ ପ୍ଲେୟାର

କୋହଲି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଫର୍ମକୁ ଫେରିବା ଜରୁରୀ । ରୋହିତ ଆଉ ୧୩ ରନ୍‌ କଲେ ଦିନିକିଆ ଫର୍ମାଟ୍‌ରେ ୧୧,୦୦୦ ରନ୍‌ ପୂରଣ କରିବେ । ସେହିପରି କୋହଲି ୮୯ ରନ କଲେ ତୃତୀୟ ବ୍ୟାଟର ଭାବେ ୧୪,୦୦୦ ଦିନିକିଆ ରନ୍‌ କ୍ଲବ୍‌ରେ ସାମିଲ ହେବେ ।  ରାହୁଲଙ୍କୁ ବିଶ୍ରାମ ମିଳିପାରେ । ଦଳରେ ଦ୍ୱିତୀୟ ୱିକେଟ୍‌ କିପର ଭାବେ ରିଷଭ ପନ୍ତ ରହିଛନ୍ତି ।  ରାହୁଲ ପ୍ରଥମ ୨ଟି ମ୍ୟାଚ୍‌ରେ ବିଫଳ ହେବା ପରେ ପନ୍ତଙ୍କୁ ଏକ ସୁଯୋଗ ଦେବାର ଆବଶ୍ୟକତା ରହିଥିବା ଟିମ ମ୍ୟାନେଜମେଣ୍ଟ ଅନୁଭବ କରୁଛି ।  ଇଂଲଣ୍ଡ ମଧ୍ୟ ତାର ଏକାଦଶରେ ପରିବର୍ତ୍ତନ କରିବ । ଆହତ ହୋଇଥିବା ଜାକବ ବେଥେଲଙ୍କ ସ୍ଥାନରେ ଟମ ବାଣ୍ଟନ ଏକାଦଶରେ ସ୍ଥାନ ପାଇପାରନ୍ତି । ସେହିପରି ଦ୍ୱିତୀୟ ଦିନିକିଆ ଖେଳିନଥିବା ଜୋଫ୍ରା ଆର୍ଚରଙ୍କୁ ଏକାଦଶକୁ ଡ଼ାକରା ମିଳିପାରେ । 

ଅର୍ଶଦୀପଙ୍କୁ ସୁଯୋଗ: ବାମ ହାତୀ ପେସ୍‌ ବୋଲର ଅର୍ଶଦୀପ ସିଂହଙ୍କୁ  ଏକାଦଶରେ ସ୍ଥାନ ମିଳିବା ଆଶା କରାଯାଉଛି । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ତାଙ୍କୁ ମ୍ୟାଚ୍‌ ଅଭ୍ୟାସର ସୁଯୋଗ ଦେବା ଆବଶ୍ୟକ । ସେ ଚମତ୍କାର ଫର୍ମରେ ରହିଛନ୍ତି । ହେଲେ ଦିନିକିଆରେ ତାଙ୍କ ନିକଟରେ ଯଥେଷ୍ଟ ଅଭିଜ୍ଞତା ନାହିଁ ।  ମହମ୍ମଦ ସାମି କିମ୍ବା ହର୍ଷିତ ରାଣାଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେଇ ଅର୍ଶଦୀପଙ୍କୁ ଖେଳାଯାଇପାରେ ।

ଟସ୍‌ ଜିତିଲେ ଫିଲ୍ଡିଂ: ଅହମ୍ମଦାବାଦ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ମାତ୍ର ପ୍ରଥମ ଭାଗ ତୁଳନାରେ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଦିନରେ ପ୍ରବଳ ଗରମ ଅନୁଭୂତ ହେବ ।  ଦ୍ୱିତୀୟ ଭାଗରେ କାକର ପଡ଼ିବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ଭାରତ ସମ୍ଭାବ୍ୟ ଦଳ : ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌ (ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ୍‌ ରାହୁଲ/ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ/ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା, ମହମ୍ମଦ ସାମି/ଅର୍ଶଦୀପ ସିଂହ । 

ଇଂଲଣ୍ଡ ସମ୍ଭାବ୍ୟ ଦଳ: ବେନ ଡକେଟ୍‌, ଫିଲ ସଲ୍ଟ, ଟମ ବାଣ୍ଟନ, ଜୋ ରୁଟ୍‌, ହ୍ୟାରୀ ବ୍ରୁକ୍‌, ଜୋସ ବଟଲର (ଅଧିନାୟକ), ଲାଏମ ଲିଭିଙ୍ଗଷ୍ଟୋନ, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚର/ସାକିବ ମହମ୍ମଦ, ଆଦିଲ ରସିଦ, ମାର୍କ ଉଡ ।




















 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.