ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଗୁରୁବାରଠୁ ପ୍ରଥମ ଟେଷ୍ଟ : ୩ ସ୍ପିନର, ୨ପେସ୍‌ ବୋଲର ନେଇ ଖେଳିବ ଭାରତ, ଚୂଡ଼ାନ୍ତ ଏକାଦଶରେ ଗୋଟିଏ ସ୍ଥାନ ଖାଲି

ଚେନ୍ନାଇ, ୧୭/୦୯: ଗୁରୁବାର ଠାରୁ ଆରମ୍ଭ  ହେବାକୁ ଯାଉଛି ଭାରତୀୟ ଦଳର ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିଜନ । ବାଂଲାଦେଶ ବିପକ୍ଷ ୨ମ୍ୟାଚ୍‌ ବିଶିଷ୍ଟ ସିରିଜ  ସହ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌  ଫାଇନାଲ୍‌ ପାଇଁ ପଥ ପ୍ରସ୍ତୁତ କରିବ । ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ଦଳ ଗତ ୧୩ ତାରିଖ ଠାରୁ  ଅଭ୍ୟାସ ଚଳାଇଛି । ଇତି ମଧ୍ୟରେ ବାଂଲାଦେଶ  କ୍ରିକେଟ୍‌ ଦଳ ମଧ୍ୟ ଚେନ୍ନାଇରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଛି । ଚିପକ ଷ୍ଟାଡିୟମ୍‌ର ସେଣ୍ଟର ପିଚ୍‌ରେ ଦଳ ଅଭ୍ୟାସ କରୁଥିବାରୁ ପ୍ରଥମ ଟେଷ୍ଟ ପାଇଁ  ସମ୍ଭାବ୍ୟ ଏକାଦଶ ଏକ ପ୍ରକାର ସ୍ପଷ୍ଟ ହୋଇଛି । ଭାରତ ୩ ଜଣ ସ୍ପିନର ନେଇ ଖେଳିବା ନିଶ୍ଚିତ ରହିଥିବାବେଳେ ବ୍ୟାଟିଂ କ୍ରମରେ କେବଳ ଗୋଟିଏ ସ୍ଥାନ ପାଇଁ ଟଣା ଓଟରା ହୋଇପାରେ।

ନେଟ୍‌ସରେ ପ୍ରାୟତଃ ସବୁ ବ୍ୟାଟର ସ୍ପିନ  ବୋଲରଙ୍କ ବିପକ୍ଷରେ ମାତ୍ରାଧିକ ବ୍ୟାଟିଂ ଅଭ୍ୟାସ କରୁଥିବା ଗତ ୪ଦିନର ଅଭ୍ୟାସ ମଧ୍ୟରେ ଦେଖିବାକୁ  ମିଳିଛି । ଡିଫେନ୍ସ ଅପେକ୍ଷା ବିଶାଳ ସଟ୍‌ ଉପରେ  ଗୁରୁତ୍ୱ ଦିଆଯାଉଛି । ରୋହିତ ଅଧିକାଂଶ ସମୟ ସ୍ପିନରଙ୍କ ବିପକ୍ଷରେ ବ୍ୟାଟିଂ ଅଭ୍ୟାସ କରୁଛନ୍ତି ।  ବାଂଲାଦେଶ ଦଳରେ ଅନେକ ଦକ୍ଷ ସ୍ପିନର ରହିଥିବାରୁ ରୋହିତଙ୍କ ପ୍ରସ୍ତୁତି ସ୍ପିନରଙ୍କ ବିପକ୍ଷରେ  ଦ୍ୱିଗୁଣା ହୋଇଛି । 

ନେଟ୍ସରେ ଜୈସ୍ୱାଲଙ୍କ ସଂଘର୍ଷ: ଚତୁର୍ଥ  ଅଭ୍ୟାସ ଦିବସରେ ଯୁବ ଓପନର ଯଶସ୍ୱୀ ଜୈସ୍ୱାଲଙ୍କ ବ୍ୟାଟିଂ ଅଭ୍ୟାସକୁ ନେଇ ମୁଖ୍ୟ କୋଚ ଗୌତମ  ଗମ୍ଭୀର ଚିନ୍ତିତ ଜଣା ପଡୁଥିଲେ । ଜୈସ୍ୱାଲ୍‌ ବ୍ୟାଟିଂ କରୁଥିବାବେଳେ ତାଙ୍କୁ ବୋଲିଂ କରୁଥିଲେ ଯଶପ୍ରୀତ ବୁମରା । ବୁମରାଙ୍କ ବଲ୍‌କୁ ପରଖିବାରେ ବିଫଳ  ହୋଇଥିଲେ ଜୈସ୍ୱାଲ । ସେ ବାରମ୍ବାର ବୋଲ୍ଡ  ହୋଇଥିଲେ । ନେଟ୍ସ ବାହାରେ ବିରାଟ କୋହଲି ଓ ଗମ୍ଭୀର ଛିଡ଼ା ହୋଇ ତାଙ୍କ ବ୍ୟାଟିଂ ଦେଖୁଥିଲେ ।  ଜୈସ୍ୱାଲଙ୍କ ବିଫଳତା ଦେଖି କୋହଲି ତାଙ୍କ ନିକଟକୁ  ଯାଇଥିଲେ ଓ କିଛି ପରାମର୍ଶ ଦେଇଥିଲେ । ହେଲେ  କିଛି ଫଳ ମିଳି ନଥିଲା । ବୁମରାଙ୍କ ବଲ୍‌କୁ ଛୁଇଁବା  କଷ୍ଟକର ହେଉଥିଲା। ଏହା ଦେଖି ଗମ୍ଭୀର ଚିନ୍ତିତ ହୋଇ ପଡ଼ିଥିଲେ ।  ପରେ ମହମ୍ମଦ ସିରାଜ ଓ ଆକାଶ ଦୀପ ମଧ୍ୟ  ଜୈସ୍ୱାଲଙ୍କୁ ସଟ୍‌ ଖେଳାଇ ଦେଇ ନଥିଲେ। ଏହା  ଦେଖି ଗମ୍ଭୀର ତାଙ୍କୁ ଅନ୍ୟ ଏକ ନେଟ୍‌କୁ ଡାକି  ନେଇଥିଲେ । ସେଠାରେ ଜୈସ୍ୱାଲ ଥ୍ରୋ’ ଡାଉନ୍‌ରେ  ବ୍ୟାଟିଂ ଅଭ୍ୟାସ କରିଥିଲେ। 

ଡିଫେନ୍ସକୁ ଗୁରୁତ୍ୱ ଦେଉଛନ୍ତି ଗିଲ୍‌: ଅନ୍ୟ ଯୁବ ବ୍ୟାଟର ଶୁଭମନ ଗିଲ ବଡ଼ ସଟ୍‌  ଖେଳିବା ଅପେକ୍ଷା ନିଜର ଡିଫେନ୍ସ ଟେକ୍‌ନିକ୍‌  ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି ।  ନିକଟ ଅତୀତରେ ଗିଲ୍‌ ସ୍ପିନ ବୋଲରଙ୍କ ବିପକ୍ଷରେ  ବିଫଳ ହୋଇଥିଲେ । ଗତ ଇଂଲଣ୍ଡ ବିପକ୍ଷ ଟେଷ୍ଟ  ସିରିଜରେ ଏହା ଦେଖିବାକୁ ମିଳିଥିଲା । ଟେଷ୍ଟ ସିଜନ  ପୂର୍ବରୁ ଗିଲ୍‌ ଏହି ତ୍ରୁଟି ସୁଧାରିବାକୁ ଲାଗି ପଡ଼ିଛନ୍ତି ।  ବାଂଲାଦେଶ ଦଳରେ ସାକିବ ଅଲ୍‌ ହାସନ, ମେହଦି  ହାସାନ ମିରାଜଙ୍କ ଭଳି ଦକ୍ଷ ସ୍ପିନର ରହିଥିବାରୁ  ନିଷ୍ଠାର ସହ ଡିଫେନ୍ସ ଟେକ୍‌ନିକ୍‌ରେ ଉନ୍ନତି  ଆଣିବାରେ ଲାଗିଛନ୍ତି । ଆଗକୁ ନ୍ୟୁଜିଲାଣ୍ଡ ବିପକ୍ଷ  ଟେଷ୍ଟ ସିରିଜ ଓ ଅଷ୍ଟ୍ରେଲିଆ ଗସ୍ତ ରହିଛି । ଉଭୟ  ଦଳରେ ଅନେକ ଦକ୍ଷ ସ୍ପିନର ରହିଛନ୍ତି । 

ରାହୁଲ-ସର୍ଫରାଜ ପ୍ରତିଦ୍ୱନ୍ଦ୍ୱିତା: ପ୍ରଥମ  ଟେଷ୍ଟ ପାଇଁ ଏକପ୍ରକାର ଚୂଡ଼ାନ୍ତ ଏକାଦଶ ପ୍ରସ୍ତୁତ ହୋଇ  ସାରିଛି । ନେଟ୍ସରେ ସମସ୍ତ ୧୬ଜଣ ଯାକ ଖେଳାଳି  ଅଭ୍ୟାସ କରୁଛନ୍ତି । ତଥାପି ଏକାଦଶ ଚୟନ ହୋଇ  ସାରିଥିବା ଅଭ୍ୟାସରୁ ସ୍ପଷ୍ଟ ହୋଇଛି । ରିଷଭ ପନ୍ତ ଟେଷ୍ଟ  ଦଳକୁ ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚିତ । ତେଣୁ ଅନ୍ୟ  ୱିକେଟ କିପର ଧ୍ରୁବ ଜୁରେଲ ବିଶ୍ରାମ ପାଇବେ । ପନ୍ତଙ୍କ  ବ୍ୟତୀତ ଭାରତ ୫ଜଣ ବ୍ୟାଟର ନେଇ ଖେଳିବ ।  ଯଶସ୍ୱୀ ଜୈସ୍ୱାଲ୍‌, ରୋହିତ ଶର୍ମା, ଶୁଭମନ ଗିଲ ଓ  ବିରାଟ କୋହଲି ସ୍ଥାନ ବଜାୟ ରଖିବେ । କେବଳ  ଗୋଟିଏ ସ୍ଥାନ ପାଇଁ କେଏଲ ରାହୁଲ ଓ ସର୍ଫରାଜ  ଖାନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯିବ । ଅଭିଜ୍ଞତାକୁ  ଦେଖିଲେ ରାହୁଲ ଖେଳିବା ସମ୍ଭାବନା ଅଧିକ । 

୩ସ୍ପିନର, ୨ପେସର: ଭାରତ ୫ଜଣ  ବୋଲର ନେଇ ଗ୍ରାଉଣ୍ଡକୁ ଓହ୍ଲାଇବା ନିଶ୍ଚିତ ।  ଚିପକ ପିଚ ପାରମ୍ପରିକ ଭାବେ ସ୍ପିନରଙ୍କୁ  ସହାୟତା କରିଆସିଛି । ତେଣୁ ୩ ସ୍ପିନର ନିଶ୍ଚିତ ଜଣାପଡ଼ୁଛି । ରବିନ୍ଦ୍ର ଜାଡେଜା ଓ ରବି ଚନ୍ଦ୍ରନ  ଅଶ୍ୱିନ ଟେଷ୍ଟ ସ୍ପେଶାଲିଷ୍ଟ । ତୃତୀୟ ସ୍ପିନର ଭାବେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ । ଫଳରେ  ଅଲ୍‌ରାଉଣ୍ଡ ଦକ୍ଷତା ସତ୍ତେ୍ୱ ଅକ୍ଷର ପଟେଲ  ଏକାଦଶରୁ ବାଦ ପଡ଼ିବେ । ବୁମରା ଓ ସିରାଜ  ପେସ୍‌ ବିଭାଗ ସମ୍ଭାଳିବେ । ଫଳରେ ଆକାଶ  ଦୀପଙ୍କୁ ଏକାଦଶରେ ସ୍ଥାନ ମିଳିବ ନାହିଁ ।

ରେକର୍ଡ ଅପେକ୍ଷାରେ କୋହଲି

ଅନ୍ତର୍ଜାତୀୟ ପଦାର୍ପଣ ଦିନଠୁ ଗୋଟିଏ  ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଥିବା  ଭାରତୀୟ ଦଳର ଷ୍ଟାର୍‌ ବ୍ୟାଟର ବିରାଟ  କୋହଲିଙ୍କୁ ଆଉ କିଛି ରେକର୍ଡ ଅପେକ୍ଷା  କରି ରହିଛି । ଆଗାମୀ ବାଂଲାଦେଶ ବିପକ୍ଷ  ଟେଷ୍ଟ ସିରିଜ ଜରିଆରେ ସେ ଆଉ କିଛି  ରେକର୍ଡରେ ନିଜ ନାମ ସାମିଲ କରିବେ ।  

କୋହଲି ଆଉ ୧୫୨ ରନ୍‌ କଲେ ଟେଷ୍ଟ  କ୍ରିକେଟ୍‌ରେ ୯୦୦୦ ରନ୍‌ ପୂରଣ କରିବେ । ସେ  ଇତି ମଧ୍ୟରେ ୧୧୩ଟି ଟେଷ୍ଟ ଖେଳି ୪୯.୫୧  ହାରରେ ୮୮୪୮ ରନ୍‌ ସଂଗ୍ରହ କରିସାରିଛନ୍ତି ।  ଏଥିରେ ରହିଛି ୨୯ଟି ଶତକ ଓ ୩୦ଟି  ଅର୍ଦ୍ଧଶତକ । ସେ ସୁନୀଲ ଗାଭାସ୍କର, ସଚିନ  ତେନ୍ଦୁଲକର ଓ ରାହୁଲ ଦ୍ରାବିଡଙ୍କ ପରେ ଚତୁର୍ଥ  ଭାରତୀୟ ବ୍ୟାଟର ଭାବେ ଟେଷ୍ଟ କ୍ରିକେଟ୍‌ରେ  ୯୦୦୦ ରନ୍‌ ପୂରଣ କରିବେ । 

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ରନ୍‌  ତାଲିକାରେ କୋହଲି ବର୍ତ୍ତମାନ ଚତୁର୍ଥ ସ୍ଥାନରେ  ରହିଛନ୍ତି । ସେ ମୋଟ୍‌ ୫୩୩(ସବୁ ଫର୍ମାଟ୍‌କୁ ମିଶାଇ)ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୫୩.୩୫  ହାରରେ ୨୬,୯୪୨ ରନ୍‌ ସଂଗ୍ରହ କରିସାରିଛନ୍ତି ।  ଏଥିରେ ୮୦ଟି ଶତକ ଓ ୧୪୦ଟି ଅର୍ଦ୍ଧଶତକ  ରହିଛି । ଆଉ ୫୮ ରନ୍‌ କଲେ ଅନ୍ତର୍ଜାତୀୟ  କ୍ରିକେଟ୍‌ରେ ୨୭,୦୦୦ ରନ୍‌ ସମ୍ପୂର୍ଣ୍ଣ କରିବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.