ନୂଆଦିଲ୍ଲୀ,୨୭/୧୨ : ମେଲବର୍ଣ୍ଣରେ ଟଳ ମଳ ଭାରତୀୟ ଦଳ । ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣରେ ଖେଳାଯାଉଛି । ପ୍ରଥମ ଇନିଂସର ଦ୍ବିତୀୟ ଦିନରେ ଭାରତୀୟ ଦଳ ଆରମ୍ଭରୁ ବିପର୍ଯ୍ୟୟର ଶିକାର ହୋଇଛି । ୪୭୪ ରନର ପାହାଡ ଛିଡା କରିଥିବା ଅଷ୍ଟ୍ରେଲିଆ ବ୍ୟାଟିଂ ପରେ ବୋଲିଂରେ କମାଲ କରିଛି । ଦ୍ବିତୀୟ ଦିନ ଷ୍ଟମ୍ପ ଘୋଷଣା ସୁଦ୍ଧା ୫ ୱିକେଟ ହରାଇ ୧୬୪ ରନ କରିଛି ଭାରତ । ୩୧୦ରନ ଟ୍ରାଏଲ କରୁଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ଓ ବୋଲାଣ୍ଡ ୨ଟି ଲେଖାଏଁ ୱିକେଟ ନେଇଛନ୍ତି ।
ଦ୍ବିତୀୟ ଦିନ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଅଧିନାୟକ ରୋହିତ ଶର୍ମା ଓ ଯଶ୍ବସୀ ଜୈସ୍ବାଲ ଓପନିଂ କରିଥିଲେ । ସଅଳ ପାଭିଲିୟନ ପେରିଥିଲେ ରୋହିତ । ମାତ୍ର ୩ରନ କରି ପାଟ୍ କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ । ପରେ ପରେ ଏକ ରାହୁଲ ୨୪ ରନ କରି କମିନ୍ସଙ୍କ ଶିକାର ହୋଇଥିଲେ । ଟି ବ୍ରେକ ସୁଦ୍ଧା ଭାରତ ୫୧ରନରେ ଦୁଇଟି ୱିକେଟ ହରାଇଥିଲା । ସ୍ଥିତି ସମ୍ଭାଳି ଖେଳିଥିଲେ ଯଶ୍ବସୀ ଓ କୋହିଲି । ଅର୍ଦ୍ଧଶତକ ହାସଲ କରିଥିଲେ ଜୈସ୍ବାଲ । ଏହା ତାଙ୍କର ୯ମ ଟେଷ୍ଟ ଅର୍ଦ୍ଧଶତକ । ୪୦ତମ ଓଭରରେ ୮୨ ରନ କରି ରନ ଆଉଟ ହୋଇଥିଲେ ଯଶ୍ବସୀ । ପରେ ପରେ କୋହଲି ୩୬ ରନ କରି ସ୍କଟ ବୋଲାଣ୍ଡଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ଆକାଶ ଦୀପ ବୋଲାଣ୍ଡଙ୍କ ବଲରେ ଖାତା ଖୋଲି ନ ପାରି ପାଭିଲିୟନ ଫେରିଥିଲେ । ଦ୍ବିତୀୟ ଦିନ ଷ୍ଟମ୍ପ ଘୋଷଣା ସୁଦ୍ଧା ଭାରତ ୫ ୱିକେଟ ହରାଇ ୧୬୪ ରନ କରିଛି । କମିନ୍ସ ଓ ବୋଲାଣ୍ଡ ୨ଟି ଲେଖାଏଁ ୱିକେଟ ନେଇଛନ୍ତି ।
ମେଲବର୍ଣ୍ଣ ଟେଷ୍ଟ ପ୍ରଥମ ଇନିଂସର ପ୍ରଥମ ଦିନରେ ଘରୋଇ ଅଷ୍ଟ୍ରେଲିଆ ୬ ୱିକେଟ ହରାଇ ୩୧୧ ରନ କରିଥିଲା । ବୁମରା ୩ ୱିକେଟ ହାସଲ କରିଥିଲେ । ଦ୍ବୀତିୟ ଦିନ ଅପରାଜିତ ଥିବା ଷ୍ଟିଭ ଓ ସ୍ମିଥ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦମଦାର ଶତକ ହାସଲ କରିଛନ୍ତି ଷ୍ଟିଭ ସ୍ମିଥ୍ । ୧୯୭ ବଲରେ ୧୪୦ ରନ କରିଥିଲେ । ଲଗାତାର ଦ୍ବିତୀୟ ସହ ଭାରତ ବିପକ୍ଷରେ ଏହା ତାଙ୍କର ୧୧ତମ ଶତକ ଥିଲା । ଟେଷ୍ଟ କ୍ୟାରିୟରରେ ଏହା ୩୪ତମ ଶତକ । ଅନ୍ୟମାନଙ୍କ ମଧ୍ୟରେ ପାଟ୍ କମିନ୍ସ ୪୯ ରନ, ମିଚେଲ ଷ୍ଟାର୍କ ୧୫ ରନ, ନାଥନ ଲାୟନ ୧୩ ରନ କରି ଆଉଟ ହୋଇଥିଲେ । ୪୭୪ ରନ କରି ଅଲଆଉଟ ହୋଇଥିଲା ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଥିଲେ ।