ପ୍ରମୂଖ ଖବର
  • ମୁନିଗୁଡ଼ା : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବାଲିପାଟଣା : କେନାଲକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ସହ କର୍ମଚାରୀ ଆହତ
  • ||
  • ଭୁବନେଶ୍ୱର : ଅଧିକ ଟଙ୍କା ଦେବା ପାଇଁ କରୁଥିଲେ ବାଧ୍ୟ, ୪ ଭଣ୍ଡ ବାବା ଅଟକ
  • ||
  • ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପୁରୀ ଜଗିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ଟିଟିଲାଗଡ଼ : ରେଳ ଧାରଣାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସାଲେପୁର : ଲଗାଣ ବର୍ଷା ଚାଷୀଙ୍କୁ ଦେଇଗଲା ଚିନ୍ତା, ପରିବା ଚାଷ ନଷ୍ଚ
  • ||
  • କଳାହାଣ୍ଡି : ଟ୍ରକ୍‌ ସହ ଧକ୍କା ହେଲା ଟ୍ରକ୍‌, ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ
  • ||
  • ବାଲେଶ୍ୱର : ଗୋରୁ ବୋଝେଇ କଣ୍ଟେନର ଜବତ: ୮ ଗୋରୁ ଉଦ୍ଧାର, ଦୁଇ ଅଟକ
  • ||

୨୦୨୪ ଥିଲା କ୍ରୀଡ଼ାବୀତ୍‌ଙ୍କ କ୍ୟାରିଅରର ଶେଷ ବର୍ଷ, ଜାଣନ୍ତୁ କେଉଁମାନେ ନେଇଥିଲେ ଅବସର...

Published By : Prameya | December 27, 2024 11:11 AM

ବିଶ୍ୱର ବହୁ ମହାନ କ୍ରୀଡ଼ାବିତଙ୍କ କ୍ୟାରିୟର ପାଇଁ ୨୦୨୪ ଥିଲା ଶେଷ ବର୍ଷ । ଦୀର୍ଘ ବର୍ଷ ଧରି କ୍ରୀଡ଼ାପ୍ରେମୀଙ୍କ ହୃଦୟରେ ରାଜୁତି କରିଥିବା ମହାନ ତାରକାମାନେ ନିଜ ନିଜର କ୍ୟାରିୟର୍‌ରେ ପୂର୍ଣ୍ଣଚ୍ଛେଦ ପକାଇ ଦର୍ଶକଙ୍କୁ କରିଥିଲେ ମର୍ମାହତ । କିଛି ଖେଳାଳିଙ୍କ ଅବସର ବେଶ ବିବାଦୀୟ ରହିଥିଲା । ଚଳିତ ବର୍ଷ ବିଦାୟ ନେଇଥିବା ଖେଳାଳିମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲେ ସ୍ପେନ୍‌ର ଟେନିସ୍‌ ତାରକା ରାଫେଲ ନାଦାଲ । ତାଙ୍କ ଅବସର ନିଷ୍ପତ୍ତି ଅନେକ କ୍ରୀଡ଼ାପ୍ରେମୀଙ୍କ ହୃଦୟ ଭାଙ୍ଗି ଦେଇଥିଲା । ସେହିପରି ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ, ଅଷ୍ଟ୍ରେଲିଆର ଦୁର୍ଦ୍ଧର୍ଷ ବ୍ୟାଟର ଡେଭିଡ୍‌ ୱାର୍ଣ୍ଣର ଓ ଇଂଲଣ୍ଡର ପେସ୍‌ ବୋଲର ଜେମ୍ସ ଆଣ୍ଡରସନଙ୍କ ଅବସର ନିଷ୍ପତ୍ତି ବିବାଦୀୟ ରହିଥିଲା । ସୁନୀଲ ଛେତ୍ରୀଙ୍କ ଅବସର ଭାରତୀୟ ଫୁଟବଲ୍‌ରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅବସର ନିଷ୍ପତ୍ତି ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କୁ ଚକିତ କରିଦେଇଥିଲା । ପିଆର ଶ୍ରୀଜେଶ ଓ ରାଣୀ ରାମପଲଙ୍କୁ ହକି ଇଣ୍ଡିଆ ସମ୍ମାନର ସହ ବିଦାୟ ଦେଇଥିଲା । 

ରାଫେଲ ନାଦାଲ (ଟେନିସ୍‌) 

ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ରାଫେଲ ନାଦାଲ ଅନ୍ୟତମ । ତାଙ୍କ ଅବସର ବର୍ଷର ସବୁଠୁ ଚର୍ଚ୍ଚିତ ଘଟଣା ରହିଥିଲା । ୨୦୨୪ରେ ଅନ୍ୟ କୌଣସି ଆଥଲେଟଙ୍କ ଅବସର ନାଡାଲଙ୍କ ଭଳି ପ୍ରଭାବ ପକାଇନଥିଲା । ୨୪ ବର୍ଷର ଟେନିସ କ୍ୟାରିୟରରେ ତାଙ୍କ ସଫଳତା ଅତୁଳନୀୟ । ରେକର୍ଡ ୧୪ଟି ଫ୍ରେଞ୍ଚ ଓପନ୍‌ ସହ ମୋଟ୍‌ ୨୨ଟି ଗ୍ରାଣ୍ଡ୍‌ ସ୍ଲାମ୍‌ ଟାଇଟଲ୍‌ ହାସଲ କରିଥିବା ସ୍ପେନର୍‌ ଏହି ଆଇକନ୍‌ଙ୍କ ଅ ବ ସ ର ନିଷ୍ପତ୍ତି ବହୁ ଟେନିସ୍‌ପ୍ରେମୀଙ୍କୁ ନିରାଶ କରିଥିଲା । କ୍ରୀଡ଼ା ପ୍ରତି ତାଙ୍କର ସମର୍ପଣ, ନିଷ୍ଠା, ଦକ୍ଷତା ତାଙ୍କୁ ବିଶ୍ୱର ଶ୍ରେଷ୍ଠ ରୂପେ ପରିଚୟ ଦେଇଥିଲା । ବିଗତ କିଛି ବର୍ଷ ଧରି ସେ ବାରମ୍ବାର ଆହତ ହେଉଥିଲେ । ଫଳରେ ତାଙ୍କ ପ୍ରତ୍ୟାବର୍ତ୍ତନ କଷ୍ଟକର ହୋଇଯାଇଥିଲା । ତଥାପି ସେ ପ୍ୟାରିସ୍‌ ଅଲିମ୍ପିକ୍ସ ଓ ଡେଭିସ୍‌ କପ୍‌ରେ ଦେଶ ପାଇଁ ପ୍ରତିନିଧିତ୍ୱ କରି ବିଦାୟ ନେଇଥିଲେ ।  

ଟୋନି କ୍ରୁସ୍‌ (ଫୁଟବଲ) 

ମାନୁଏଲ ନୁୟର, ଥୋମାସ ମୁଲର ଓ ଟୋନି କ୍ରୁସଙ୍କ ଭଳି ଜର୍ମାନୀର ବହୁ ପ୍ରସିଦ୍ଧ ଫୁଟବଲ୍‌ ଖେଳାଳି ଚଳିତ ବର୍ଷ ସନ୍ନ୍ୟାସ ନେଇଥିଲେ । ମାତ୍ର କ୍ରୁସଙ୍କ ଅବସର ଫୁଟବଲ ପ୍ରେମୀଙ୍କୁ ନିରାଶ କରିଥିଲା । କାରଣ ସେ ରିୟଲ ମାଦ୍ରିଦ କ୍ଲବ୍‌ ପକ୍ଷରୁ ଖେଳି ଅଗଣିତ ପ୍ରଶଂସକ ସୃଷ୍ଟି କରିଥିଲେ । ୟୁରୋ ଚାମ୍ପିଅନସିପ୍‌ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଣ୍ଟ ରହିଥିଲା । ଅସାଧାରଣ ପାସ୍‌ ଏବଂ ରଣକୌଶଳଗତ ସଚେତନତା ପାଇଁ ଜଣାଶୁଣା କ୍ରୁସ୍‌ ଏକବିଂଶ ଶତାବ୍ଦୀର ଅନ୍ୟତମ ପ୍ରଭାବଶାଳୀ ମିଡ୍‌ ଫିଲ୍ଡର୍‌ ଭାବରେ ପରିଚୟ ହାସଲ କରିଥିଲେ ।  

ଆଲେକ୍ସ ମୋର୍ଗାନ (ଫୁଟବଲ) 

ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ମହିଳା ଫୁଟବଲ ଖେଳାଳି ଭାବେ ଗଣା ହେଉଥିବା ୟୁଏସଏର ଆଲେକ୍ସ ମୋର୍ଗାନ ଚଳିତ ବର୍ଷ ଅବସର ଘୋଷଣା କରି ଫୁଟବଲ୍‌ ପ୍ରେମୀଙ୍କ ହୃଦୟ ଭାଙ୍ଗି ଦେଇଥିଲେ । ମୋର୍ଗାନ ୟୁଏସଏକୁ ୨୦୧୫ ଓ ୨୦୧୯ରେ ବିଶ୍ୱକପ୍‌ ଏବଂ ୨୦୧୨ରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ୧୨୩ ଅନ୍ତର୍ଜାତୀୟ ଗୋଲ ସହ ସେ ଆମେରିକା ଇତିହାସରେ ସର୍ବାଧିକ ଗୋଲ୍‌ ସ୍କୋର କରିଥିବା ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ।  

ଆଣ୍ଡି ମରେ(ଟେନିସ୍‌ ) 

ଟେନିସ୍‌ ଜଗତରେ ଏକଦା ‘ଫାବ-ଫୋର’ ଭାବେ ଗଣା ହେଉଥିବା ୪ ପ୍ରିସଦ୍ଧ ତାରକା ରୋଜର ଫେଡେରର, ରାଫେଲ ନାଦାଲ, ନୋଭାକ ଜୋକୋଭିକ୍‌ ଓ ଆଣ୍ଡି ମରେଙ୍କ ମଧ୍ୟରୁ ୩ ଜଣଙ୍କୁ ଆଉ ଟେନିସ୍‌ କୋର୍ଟରେ ଦେଖିବାକୁ ମିଳିବ ନାହିଁ । ଚଳିତ ବର୍ଷ ନାଦାଲ ଓ ମରେ ଅବସର ନେଇଛନ୍ତି । ପୂର୍ବରୁ ଫେଡେରର ଅବସର ନେଇ ସାରିଛନ୍ତି । ବାକି ରହିଯାଇଛନ୍ତି ଜୋକୋଭିକ୍‌ । ଦୀର୍ଘ ଦିନ ଧରି ଆହତ ଯନ୍ତ୍ରଣାରୁ ମୁକୁଳି ମରେ ଚଳିତ ବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇ ଅବସର ଘୋଷଣା କରିଥିଲେ । 

ଭିନେଶ ଫୋଗାଟ 

ପ୍ୟାରିସ୍‌ ୨୦୨୪ ଅଲିମ୍ପିକ୍ସରୁ ଦୁଃଖଦ ବିଦାୟ ପରେ ଭାଙ୍ଗି ପଡ଼ିଥିବା ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍‌ ଅବସର ଘୋଷଣା କରିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା । ପ୍ୟାରିସରେ ସେ ୫୦ କିଲୋ ଓଜନ ବର୍ଗରେ ଟୋକିଓ ଅଲିମ୍ପିକ୍ସ ଚାମ୍ପିଅନ ଜାପାନର ୟୁଇ ସୁସାକି, ୟୁକ୍ରେନର ପୂର୍ବତନ ୟୁରୋପୀୟ ଚାମ୍ପିଅନ ଓକ୍ସାନା ଲିଭାଚ୍‌ ଏବଂ ପାନ୍‌ ଆମେରିକୀୟ କ୍ରୀଡ଼ା ଚାମ୍ପିଅନ କ୍ୟୁବାର ୟୁସନେଲିସ୍‌ ଗୁଜମାନ୍‌ଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ପ୍ରଥମ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭାବେ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଥିଲେ ହେଁ ତାଙ୍କୁ ସ୍ୱର୍ଣ୍ଣ ପଦକ ଲଢେଇରୁ ବଞ୍ଚିତ ହେବାକୁ ପଡ଼ିଥିଲା । ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ତାଙ୍କୁ ନିଜ ଓଜନ କମାଇବାକୁ ପଡ଼ିଥିଲା । ବହୁ ଚେଷ୍ଟା କରିବା ସତ୍ତ୍ଵେ ନିର୍ଦ୍ଧାରିତ ଓଜନ ଠାରୁ ତାଙ୍କ ଓଜନ କମି ନଥିଲା । ଫଳରେ ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଯାଇଥିଲା ।  

ରାଣୀ ରାମପଲ 

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଚତୁର୍ଥ ସ୍ଥାନରେ ପହଞ୍ଚାଇଥିବା ଭାରତୀୟ ମହିଳା ହକିର ଷ୍ଟାର୍‌ ଖେଳାଳି ରାଣୀ ରାମପାଲ ଚଳିତ ବର୍ଷ ଅବସର ଘୋଷଣା କରିଥିଲେ । ୩୦ ବର୍ଷୀୟା ପୂର୍ବତନ ଅଧିନାୟିକା ମାତ୍ର ୧୪ ବର୍ଷ ବୟସରେ ପଦାର୍ପଣ କରି କନିଷ୍ଠ ଖେଳାଳି ଭାବେ ରେକର୍ଡ କରିଥିଲେ । ୨୦୦୮ରେ କାଜାନରେ ଅନୁଷ୍ଠିତ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ପଦାର୍ପଣ କରିଥିବା ରାଣୀ ୨୫୪ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୧୨୦ ଗୋଲ୍‌ ସ୍କୋର କରିଥିଲେ । ତାଙ୍କ ଅବସର ସହ ହକି ଇଣ୍ଡିଆ ୨୮ନଂ ଜର୍ସିକୁ ମଧ୍ୟ ବିଦାୟ ଦେଇଥିଲା ।  

ଦୀପା କର୍ମାକର 

ଗତ ଅକ୍ଟୋବର ୭ ତାରିଖରେ ଭାରତର ଏକମାତ୍ର ସଫଳ ଜିମ୍ନାଷ୍ଟ ଦୀପା କର୍ମାକର ଅବସର ଘୋଷଣା କରିଥିଲେ । ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରଥମ ମହିଳା ଜିମ୍ନାଷ୍ଟ ଭାବେ ଭାଗ ନେବା ପରେ ଦୀପା ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ । ପଦ୍ମଶ୍ରୀ ଏବଂ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରାପ୍ତ ଦୀପାଙ୍କ ସଫଳତା ଯୁବ ପିଢିଙ୍କୁ ଆକର୍ଷିତ କରିଥିଲା । ପ୍ରଥମ ଭାରତୀୟ ମହିଳା ଭାବେ ସେ ଗ୍ଲାସଗୋରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପ୍ରଥମ ଭାରତୀୟ ଭାବେ ୨୦୧୮ରେ ଅନୁଷ୍ଠିତ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ବିଶ୍ୱକପ୍‌ରେ ଭଲ୍ଟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହି ବର୍ଷ ଜର୍ମାନୀର କାଟବସରେ ଆୟୋଜିତ ବିଶ୍ୱକପରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । 

ସେଲି-ଆନ୍‌ ଫ୍ରେଜର-ପ୍ରାଇସ (ଆଥଲେଟିକ୍ସ) 

ଜାମାଇକାର ଏହି ପ୍ରସିଦ୍ଧ ଧାବିକା ସେଲି-ଆନ ଫ୍ରେଜର-ପ୍ରାଇସଙ୍କ ସନ୍ନ୍ୟାସ ବହୁ କ୍ରୀଡ଼ାପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଥିଲା । ସେ ୩ ଥର ଅଲିମ୍ପିକ୍‌ ଚାମ୍ପିଅନ । ବିଶ୍ୱ କ୍ରୀଡ଼ାର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଭାବେ ପରିଚିତ ଫ୍ରେଜର- ପ୍ରାଇସ ୨୦୦୮ ଓ ୨୦୧୨ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ବ୍ୟତୀତ ଟୋକିଓରେ ସେ ରିଲେ ଇଭେଣ୍ଟରେ ସ୍ୱର୍ଣ୍ଣ ପାଇଥିଲେ । ୨୦୧୭ରେ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ଫ୍ରେଜର- ପ୍ରାଇସ ଟ୍ରାକ୍‌କୁ ଫେରି ରାଜୁତି କରିବା ଏକ ଅସମ୍ଭବ ଘଟଣା ପରି ମନେ ହୋଇଥିଲା । ସେ କେବଳ ଅଲିମ୍ପିକ୍ସରେ ୩ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । 

ପେପେ (ଫୁଟବଲ) 

ପର୍ତ୍ତୁଗାଲର ପ୍ରସିଦ୍ଧ ଡିଫେଣ୍ଡର ପେପେ ୨୦ ବର୍ଷର ସଫଳ କ୍ୟାରିୟର ପରେ ୪୧ ବର୍ଷ ବୟସରେ ଆନୁଷ୍ଠାନିକ ଭାବେ ଅବସର ଘୋଷଣା କରିଥିଲେ । ସେ ରିୟଲ ମାଦ୍ରିଦ ଏବଂ ସ୍ପାର୍ଟା ଭଳି ଲୋକପ୍ରିୟ କ୍ଲବ ପାଇଁ ଖେଳିଥିଲେ । ମାଦ୍ରିଦ ସହିତ ସେ ୩ଟି ଚାମ୍ପିଅନ୍‌ସ ଲିଗ୍‌ ଟାଇଟଲ ଏବଂ ପର୍ତ୍ତୁଗାଲ ସହିତ ଏକ ୟୁରାପୀୟ ଚାମ୍ପିୟନସିପ୍‌ ଟାଇଟଲ ଜିତିଥିଲେ  । ଡିଫେନ୍ସ ଲାଇନ୍‌ରେ ସେ ଥିଲେ ପ୍ରାଚୀର ସଦୃଶ । ତାଙ୍କୁ ଅତିକ୍ରମ କରି ଗୋଲ୍‌ କରିବା ପ୍ରତିପକ୍ଷ ଖେଳାଳିଙ୍କ ପାଇଁ ଥିଲା ଅତ୍ୟନ୍ତ କଷ୍ଟକର । ତାଙ୍କୁ ଓଲ୍ଡ ସ୍କୁଲ୍‌ ଡିଫେଣ୍ଡର ଭାବେ ମାନ୍ୟତା ମିଳିଥିଲା ।

ପିଆର ଶ୍ରୀଜେଶ 

ଶ୍ରୀଜେଶଙ୍କ ସହ ଅବସର ନେଲା ୧୬ ନମ୍ବର ଜର୍ସି । ପ୍ରସିଦ୍ଧ ଗୋଲ୍‌ କିପର ପିଆର ଶ୍ରୀଜେଶ ଚଳିତ ବର୍ଷ ଅଲିମ୍ପିକ୍ସ ସହ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଥିଲେ । ହକି ଇଣ୍ଡିଆ ମଧ୍ୟ ତାଙ୍କ ସମ୍ମାନାର୍ଥେ ସେ ପରିଧାନ କରୁଥିବା ୧୬ନଂ ଜର୍ସିକୁ ଅବସର ଦେଇଥିଲା । ଆଗାମୀ ଦିନରେ କୌଣସି ଖେଳାଳି ଭାରତୀୟ ଦଳ ପକ୍ଷରୁ ଏହି ଜର୍ସି ପରିଧାନ କରିପାରିବେ ନାହିଁ । ପ୍ୟାରିସ୍‌ରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିଲା । ଶ୍ରୀଜେଶ ୧୨ ବର୍ଷ ବୟସରୁ ହକି ଖେଳିବା ଆରମ୍ଭ କରିଥିଲେ  । ସେ ୨୦୦୪ରେ ୧୬ ବର୍ଷ ବୟସରେ ଜୁନିୟର ଦଳରେ ପଦାର୍ପଣ କରିଥିଲେ ଏବଂ ୨୦୦୬ରେ ୧୮ ବର୍ଷ ବୟସରେ ସିନିୟର ପଦାର୍ପଣ କରିଥିଲେ । ଶ୍ରୀଜେଶ କ୍ରମାନ୍ୱୟରେ ୪ଟି ଅଲିମ୍ପିକ୍‌ ଖେଳିଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଦଳର ନେତୃତ୍ୱ ନେଇଥିଲେ । ଟୋକିଓ ୨୦୨୦ ଏବଂ ପ୍ୟାରିସ ୨୦୨୪ରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଏହା ବ୍ୟତୀତ ସେ ୨୦୧୪ ଓ ୨୦୨୩ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଓ ୨୦୧୮ରେ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ରହିଥିଲେ । ତାଙ୍କ ସମୟରେ ଭାରତ ୨୦୧୪ ଓ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲା । ୨୦୨୧ରେ ତାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । 

ଡେଭିଡ୍‌ ୱାର୍ଣ୍ଣର 

ବର୍ଷର ପ୍ରଥମ ବଡ଼ ଅବସର ରହିଥିଲା ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍‌ସମ୍ୟାନ୍‌ ଡେଭିଡ୍‌ ୱାର୍ଣ୍ଣରଙ୍କର । ଜାନୁଆରୀରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ସିଡନୀ ଟେଷ୍ଟ ଖେଳି ସେ ଅବସର ନେଇଥିଲେ । ସେ ୧୧୨ଟି ଟେଷ୍ଟ ଖେଳି ୨୬ ଶତକ ଓ ୩୭ ଅର୍ଦ୍ଧଶତକ ବଳରେ ମୋଟ୍‌ ୮୭୮୬ ରନ୍‌ ସଂଗ୍ରହ କରିଥିଲେ । ଏଥିରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା ଅପରାଜିତ ୩୩୫ ରନର ଇନିଂସ । ସେହିପରି ୧୬୧ଟି ଦିନିକିଆରୁ ୨୨ଶତକ ଓ ୩୩ ଅର୍ଦ୍ଧଶତକ ବଳରେ ୬୯୩୨ ରନ୍‌ ଓ ୧୧୦ଟି ଟି-ଟ୍ୱେଣ୍ଟିରୁ ୧ଶତକ ଓ ୨୮ ଅର୍ଦ୍ଧଶତକ ବଳରେ ୩୨୭୭ ରନ୍‌ ସଂଗ୍ରହ କରିଥିଲେ ।

ସୁନୀଲ ଛେତ୍ରୀ

ଭାରତୀୟ ଫୁଟ୍‌ବଲ୍‌ ପାଇଁ ଏକମାତ୍ର ଉ୍ୱଳ ଆଲୋକ ଥିଲେ ସୁନୀଲ ଛେତ୍ରୀ । ସେ ମଧ୍ୟ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ବିଦାୟ ନେଇଥିଲେ । କ୍ରିଷ୍ଟିଆନୋ ରାନାଲ୍ଡୋ ଏବଂ ଲିଓନେଲ ମେସିଙ୍କ ସହ ଅନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ସ୍କୋରର ତାଲିକାରେ ଛେତ୍ରୀଙ୍କ ନାମ ସ୍ଥାନ ପାଇଛି । କ୍ୟାରିୟରରେ ୯୪ଟି ଗୋଲ୍‌ ସ୍କୋର କରି ସେ ଭାରତର ଶ୍ରେଷ୍ଠ ଷ୍ଟ୍ରାଇକର ଭାବେ ପରିଚିତ ଥିଲେ । ଭାରତକୁ ୨୦୦୭, ୨୦୦୯ ଓ ୨୦୧୨ରେ ନେହରୁ କପ୍‌ ଚାମ୍ପିଅନ୍‌ କରାଇବାରେ ଛେତ୍ରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ୨୦୧୧, ୨୦୧୫, ୨୦୨୧ ଏବଂ ୨୦୨୩ରେ ଦଳକୁ ସାଫ୍‌ ଚାମ୍ପିଅନସିପ୍‌ ଜିତାଇଥିଲେ । ଛେତ୍ରୀଙ୍କ ନେତୃତ୍ୱରେ ଭାରତ ୨୦୦୮ ଏଏଫ୍‌ସି ଚ୍ୟାଲେଞ୍ଜ କପ୍‌ ଜିତି ୨୭ ବର୍ଷ ପରେ ପ୍ରଥମ କରି ଏଏଫ୍‌ସି ଏସିଆନ୍‌ କପ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା । 

ବିରାଟ କାହଲି, ରାହିତ ଶର୍ମା, ରବୀନ୍ଦ୍ର ଜାଡେଜା (ଟି-୨୦) 

୩ ଭାରତୀୟ ଷ୍ଟାର ବିରାଟ କୋହଲି, ରୋହିତ ଶର୍ମା ଓ ରବିନ୍ଦ୍ର ଜାଡେଜା ଚଳିତ ବର୍ଷ ଟି-ଟ୍ୱେଣ୍ଟି ଫର୍ମାଟ୍‌ରୁ ଅବସର ନେବା ଚର୍ଚ୍ଚାର ବିଷୟ ରହିଥିଲା । ଭାରତ ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଜିତିବା ମାତ୍ରେ ବିରାଟ ଗ୍ରାଉଣ୍ଡ୍‌ ଭିତରେ ଅବସର ଘୋଷଣା ରି ଚକିତ କରିଦେଇଥିଲେ । ପରେ ପରେ ରୋହିତ ଓ ଜାଡେଜା ଅବସର ନେଇଥିଲେ । 

ଟିମ୍‌ ସାଉଦି (ଟେଷ୍ଟ) 

ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ ସହ ନ୍ୟୁଜିଲାଣ୍ଡର ଏହି ସଫଳ ଦ୍ରୁତ ବୋଲର ଟିମ୍‌ ସାଉଦି ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି । ସାର୍‌ ରିଚାର୍ଡ ହାଡଲିଙ୍କ ଉପସ୍ଥିତିରେ ଆୟାଜିତ ଏକ ବିଦାୟୀ ସମାରୋହରେ ବକ୍ତବ୍ୟ ଦେବା ପୂର୍ବରୁ ସାଉଦିଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା । ସାଉଦି ଟେଷ୍ଟ କ୍ରିକେଟ୍‌ରେ ୩୯୧ଟି ୱିକେଟ୍‌ ଅକ୍ତିଆର କରିଛନ୍ତି । ନ୍ୟୁଜିଲାଣ୍ଡର ଅନ୍ୟତମ ପେସ୍‌ ବୋଲର ନିଲ ୱାଗନର ମଧ୍ୟ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘାଷଣା କରିଥିଲେ  । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ରେ ଭାରତକୁ ହରାଇ ଟାଇଟଲ ଜିତିବା ପଛରେ ୱାଗନରଙ୍କ ପ୍ରମୁଖ ଭୂମିକା ରହିଥିଲା ।  

ଶିଖର ଧାୱନ 

ଭାରତର ଅନ୍ୟତମ ଲୋକପ୍ରିୟ କ୍ରିକେଟ ଖେଳାଳି ଶିଖର ଧାୱନଙ୍କ ଅବସର ସମସ୍ତଙ୍କୁ ବ୍ୟଥିତ କରିଥିଲା । ଯୁବ ତାରକାଙ୍କ ଆବିର୍ଭାବ ପରେ ଧାୱନଙ୍କୁ ଅଣଦେଖା କରାଯାଇଥିଲା । ବେଶ୍‌ କିଛି ଦିନ ଅପେକ୍ଷା କରିବା ପରେ ଗତ ଅଗଷ୍ଟ ୨୪ ତାରିଖରେ ସେ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଧାୱନ ଶେଷ ଥର ପାଇଁ ୨୦୨୨ ଡିସେମ୍ବରରେ ବାଂଲାଦେଶ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ପାଇଁ ଖେଳିଥିଲେ ଏବଂ ଶୁଭମନ ଗିଲଙ୍କ ଆବିର୍ଭାବ ପରେ ତାଙ୍କୁ ଆଉ ଦଳରେ ସ୍ଥାନ ମିଳି ନଥିଲା । 

ଦିନେଶ କାର୍ତ୍ତିକ 

ପୂର୍ବତନ ୱିକେଟ୍‌ କିପର ଦିନେଶ କାର୍ତ୍ତିକ ଗତ ଜୁନ୍‌ ୧ ତାରିଖରେ ଆଇପିଏଲ୍‌ ସହ ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ନିଜର ୩୯ତମ ଜନ୍ମଦିନରେ ସେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଥିଲେ ।  

ରବିଚନ୍ଦ୍ରନ ଅଶ୍ୱିନ 

ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଶେଷ ହେବା ସହ ବିଶ୍ୱ ପ୍ରସିଦ୍ଧ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଅଶ୍ୱିନଙ୍କ ବିଦାୟ ସହ ଏକ ପାରମ୍ପରିକ ଅଫ ସ୍ପିନ୍‌ ବୋଲିଂର ଯୁଗ ଶେଷ ହୋଇଯାଇଛି । ୧୪ ବର୍ଷର କ୍ୟାରିୟର ମଧ୍ୟରେ ସେ ଅନେକ ସଫଳତା ଅର୍ଜନ କରିଛନ୍ତି ଏବଂ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି । ୧୦୬ଟି ଟେଷ୍ଟ ଖେଳି ସେ ୨୪ ହାରରେ ମୋଟ ୫୩୭ଟି ୱିକେଟ୍‌ ହାସଲ କରିଛନ୍ତି । ଅନୀଲ କୁମ୍ବଲେଙ୍କ ପରେ ସେ ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ୱିକେଟ ଅକ୍ତିଆର କରିଛନ୍ତି । ଟେଷ୍ଟ କ୍ରିକେଟରେ ତାଙ୍କ ନାମରେ ୬ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ସହ ମୋଟ ୩୫୦୩ ରନ୍‌ ରହିଛି । କେବଳ ଟେଷ୍ଟ କ୍ରିକେଟ୍‌ରେ ଅଶ୍ୱିନ ୧୧ ଥର ପ୍ଲେୟାର ଅଫ ସିରିଜ ବିବେଚିତ ହେବା ସହ ୩୭ ଥର ୫ ୱିକେଟ୍‌ ସଫଳତା ଅର୍ଜନ କରି ସେନ ୱାର୍ଣ୍ଣଙ୍କ ସମକକ୍ଷ ହୋଇଥିଲେ । 

ଜେମ୍ସ ଆଣ୍ଡରସନ୍‌ (କ୍ରିକେଟ୍‌) 

ପ୍ରସିଦ୍ଧ ଇଂଲଣ୍ଡ ପେସ୍‌ ବୋଲର ଜେମ୍ସ ଆଣ୍ଡରସନଙ୍କ ବିଦାୟ ସାମାନ୍ୟ ବିବାଦୀୟ ରହିଥିଲା । ତାଙ୍କୁ ଅବସର ନେବା ପାଇଁ ଏକ ପ୍ରକାର ବାଧ୍ୟ କରାଯାଇଥିଲା । ତାଙ୍କ ଯୋଗୁଁ ଯୁବ ତାରକାଙ୍କୁ ସୁଯୋଗ ମିଳିପାରୁନଥିବା ଟିମ ମ୍ୟାନେଜମେଣ୍ଟ ଜଣାଇଥିଲା । ଶେଷରେ ଜୁଲାଇ ୧୨ରେ ଅନୁଷ୍ଠିତ ୱେଷ୍ଟ ଇଣ୍ଡିଜ ବିପକ୍ଷ ଲର୍ଡସ ଟେଷ୍ଟ ଖେଳି ଆଣ୍ଡରସନ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେଇଥିଲେ । ଶେଷ ଥର ପାଇଁ ପଡ଼ିଆକୁ ଓହ୍ଲାଇବା ବେଳେ ତାଙ୍କ କନ୍ୟା ବେଲ୍‌ ବଜାଇଥିଲେ । ଟେଷ୍ଟ କ୍ରିକେଟ୍‌ରେ ଆଣ୍ଡରସନ ନେଇଥିଲେ ୭୦୪ଟି ୱିକେଟ୍‌ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.