ନୂଆଦିଲ୍ଲୀ, ୧୫/୦୫: ଆସନ୍ତା ମାସରେ ଭାରତୀୟ ଦଳ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଯାତ୍ରା କରିବ । ଜୁନ ୨୦ ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ ହେବ । ଏହା ପୂର୍ବରୁ ଭାରତ ଏ’ ଦଳ ଇଂଲଣ୍ଡ ଯାତ୍ରା କରି ୩ ମ୍ୟାଚ ବିଶିଷ୍ଟ ଅନଫିସିଆଲ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି । ମେ ୩୦ ତାରିଖରୁ ଏ’ ସିରିଜ ଆରମ୍ଭ ହେବ । ସମୟ ଗଡ଼ି ଚାଲିଥିଲେ ହେଁ ବିସିସିଆଇ ଚୟନ କମିଟି ଏପର୍ଯ୍ୟନ୍ତ ଦଳ ଘୋଷଣା କରିପାରି ନାହିଁ । ଦୁଇ ଷ୍ଟାର ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିସାରିଥିବାରୁ କ୍ରିକେଟ୍ ପ୍ରେମୀ ଟେଷ୍ଟ ଦଳ ଘୋଷଣାକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।
ଯାହା ଜଣା ପଡ଼ୁଛି, ଆସନ୍ତା ୨୩ କିମ୍ବା ୨୪ ତାରିଖରେ ଦଳ ଘୋଷଣା କରାଯାଇପାରେ । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଯୋଗୁଁ ଆଇପିଏଲ୍କୁ ସାପ୍ତାହେ କାଳ ସ୍ଥଗିତ ରଖିବାକୁ ପଡ଼ିଥିଲା । ଯାହା ଫଳରେ ଦଳ ଚୟନ କରିବାରେ ମଧ୍ୟ ବିଳମ୍ବ ହୋଇଥିଲା । ଆସନ୍ତା ୧୭ ତାରିଖରୁ ଆଇପିଏଲ୍ର ବାକି ଭାଗ ଆରମ୍ଭ ହେବ । ପ୍ଲେ- ଅଫ୍ ଦୌଡରୁ ବାଦ ପଡ଼ିସାରିଥିବା ଦଳଗୁଡ଼ିକ ମଧ୍ୟରୁ ଖେଳାଳିମାନଙ୍କୁ ନେଇ ଏ’ ଦଳ ଚୟନ କରାଯିବ।