ନୂଆଦିଲ୍ଲୀ: ସୀମାରେ ବଢ଼ୁଥିବା ଚ୍ୟାଲେଞ୍ଜ ମଧ୍ୟରେ ଭାରତ ନିଜର ସାମରିକ ଶକ୍ତିକୁ ଆହୁରି ମଜଭୁତ କରୁଛି । ଭାରତ କ୍ଷେପଣାସ୍ତ୍ର ବିକାଶ ଦିଗରେ ନିରନ୍ତର କାର୍ଯ୍ୟ ଜାରି ରଖିଛି । ଭାରତର ‘ପ୍ରୋଜେକ୍ଟ ବିଷ୍ଣୁ’ ଏବେ ଶତ୍ରୁମାନଙ୍କ ନିଦ ହଜାଇବାକୁ ପ୍ରସ୍ତୁତ ହେଉଛି । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏହି ପ୍ରକଳ୍ପ ଉପରେ ଦ୍ରୁତ ଗତିରେ କାମ କରୁଛି । ପ୍ରୋଜେକ୍ଟ ବିଷ୍ଣୁ ଜରିଆରେ ଡିଆରଡିଓ ବିଭିନ୍ନ ହାଇପରସୋନିକ ମିସାଇଲ୍ ତିଆରି କରିବ । ବିଶେଷକରି, ଦୂରଗାମୀ କ୍ଷେପଣାସ୍ତ୍ର ନିର୍ମାଣ ଲାଗି ଭାରତ ସରକାରଙ୍କ ଏହା ଏକ ଗୁପ୍ତ ଯୋଜନା । ଏହି କ୍ଷେପଣାସ୍ତ୍ରଗୁଡ଼ିକର ଗତି ମାକ୍ ୮, ଅର୍ଥାତ୍ ଘଣ୍ଟା ପ୍ରତି ପ୍ରାୟ ୧୧୦୦୦ କିଲୋମିଟର ହେବ । ଏହି ଗତି ହାସଲ କରି ଭାରତ, ଆମେରିକା, ରୁଷ ଏବଂ ଚୀନ୍ ଭଳି ଦେଶମାନଙ୍କ ସମକକ୍ଷ ହେବ ।
ପ୍ରୋଜେକ୍ଟ ବିଷ୍ଣୁ ମାଧ୍ୟମରେ କେବଳ ଆକ୍ରମଣାତ୍ମକ କ୍ଷେପଣାସ୍ତ୍ର ତିଆରି ହେବ ନାହିଁ, ବରଂ ଏହା ଅଧୀନରେ ଏକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପ୍ରଣାଳୀ ମଧ୍ୟ ତିଆରି କରାଯିବ । ଯାହା ଶତ୍ରୁର କ୍ରୁଜ୍ କିମ୍ବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ଧ୍ୱଂସ କରିବ । ଏହାର ଅର୍ଥ ହେଉଛି, ଭାରତର ବାୟୁ ସୁରକ୍ଷା ମଧ୍ୟ ପୂର୍ବ ଅପେକ୍ଷା ବହୁ ଗୁଣ ଅଧିକ ମଜଭୁତ ହେବାର ସମ୍ଭାବନା ରହିଛି । ଡିଆରଡିଓ ୨୦୩୦ ସୁଦ୍ଧା ହାଇପରସୋନିକ୍ ଗ୍ଲାଇଡ୍ ଭେଇକିଲ୍ (HGV) ପ୍ରଯୁକ୍ତିବିଦ୍ୟାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରୁଛି । ଏହା ସାହାଯ୍ୟେର କିଛି ମିନିଟ୍ ମଧ୍ୟରେ ପାକିସ୍ତାନର ଯେକୌଣସି ଅଂଶକୁ ଟାର୍ଗେଟ କରାଯାଇପାରିବ ।
ବିଶେଷ କଥା ହେଉଛି, ଶତ୍ରୁ ପକ୍ଷରେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ରୋକିବା ପ୍ରାୟ ଅସମ୍ଭବ ହୋଇଯିବ । ଏହି କ୍ଷେପଣାସ୍ତ୍ରଗୁଡ଼ିକରେ ଉନ୍ନତ ନାଭିଗେସନ୍ ଏବଂ ନିୟନ୍ତ୍ରଣ ପ୍ରଣାଳୀ ରହିବ । କ୍ଷେପଣାସ୍ତ୍ର ଲଞ୍ଚ କରିବା ପରେ ମଧ୍ୟ ଏହାର ଲକ୍ଷ୍ୟକୁ ମଝି ରାସ୍ତାରେ ପରିବର୍ତ୍ତନ କରାଯାଇପାରିବ। ଏହା ବ୍ୟତୀତ ଏହା ଶତ୍ରୁର ରାଡାରକୁ ଚକମା ଦେଇପାରିବ । ସ୍କ୍ରାମଜେଟ୍ ଇଞ୍ଜିନ୍ ଆଶ୍ଚର୍ଯ୍ୟଜନକ ଗତି ଦେବ। ET-LDHCM ନାମକ କ୍ଷେପଣାସ୍ତ୍ରଗୁଡ଼ିକ ସ୍କ୍ରାମଜେଟ୍ ଇଞ୍ଜିନ୍ ସହିତ ସଜ୍ଜିତ ହେବ । ଏହା ସେଗୁଡ଼ିକୁ ହାଇପରସୋନିକ୍ ଗତି ଦେବ । DRDO ଏହାର ପ୍ରାରମ୍ଭିକ ପରୀକ୍ଷଣ ମଧ୍ୟ କରିଛି । ଏଗୁଡ଼ିକୁ ମୋବାଇଲ୍ ଲଞ୍ଚର୍, ବିମାନ କିମ୍ବା ନୌସେନା ଯୁଦ୍ଧଜାହାଜରୁ ଯେକୌଣସି ସ୍ଥାନରୁ ନିକ୍ଷେପ କରାଯାଇପାରିବ ।
ଏହି କ୍ଷେପଣାସ୍ତ୍ରଗୁଡ଼ିକର ଲକ୍ଷ୍ୟେଭେଦ କ୍ଷମତା ପ୍ରାୟ ୨୦୦୦ କିଲୋମିଟର ହେବ । ଏଗୁଡ଼ିକ ପାରମ୍ପରିକ ଏବଂ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ ହେବେ । ଚୀନ୍ ଭଳି ଦେଶର ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାଇଁ ଏଗୁଡ଼ିକୁ ଧରିବା ସହଜ ହେବ ନାହିଁ । ପ୍ରୋଜେକ୍ଟ ବିଷ୍ଣୁ ସମାପ୍ତ ହେବା ମାତ୍ରେ, ଭାରତ ପାଖରେ ବିଶ୍ୱର ସବୁଠାରୁ ଉନ୍ନତ ଏବଂ ଘାତକ ହାଇପରସୋନିକ୍ କ୍ଷେପଣାସ୍ତ୍ର ଶକ୍ତି ରହିବ । ଏହା ଯେକୌଣସି ଶତ୍ରୁ ପାଇଁ ସବୁଠାରୁ ବଡ଼ ଭୟ ପ୍ରମାଣିତ ହେବ ବୋଲି ଚର୍ଚ୍ଚା ହେଉଛି ।