ନୂଆଦିଲ୍ଲୀ,୧୮/୦୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାସଭବନରେ ରେଡ୍ କରିଛି । ଭିଲାଇ ସ୍ଥିତ ବାସଭବନରେ ଇଡି ଛାପା ମାରିଛି । ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କ ବିରୋଧରେ ମଦ ଦୁର୍ନୀତି ସହ ଜଡ଼ିତ ମାମଲାରେ ଏହି ଚଢାଉ ହୋଇଛି ।
ଇଡ଼ି ରେଡ଼ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମର 'ଏକ୍ସ'ରେ ଭୂପେଶ ବାଘେଲ କହିଛନ୍ତି, ''ଇଡି ଆସିଗଲା । ଆଜି ବିଧାନସଭା ଅଧିବେଶନର ଅନ୍ତିମ ଦିନ । ଆଦାନୀ ପାଇଁ ତମନାରରେ କଟା ଯାଉଥିବା ଗଛ ମୁଦ୍ଦା ଉଠାଇବାର ଥିଲା । ଏହା ପୂର୍ବରୁ ଭିଲାଇ ନିବାସରେ 'ସାହେବ' ଇଡି ପଠାଇ ଦେଲେ ।''
ପୂର୍ବରୁ ହୋଇଥିଲା ରେଡ୍- ଏହା ପ୍ରଥମ ନୁହେଁ କି ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ଇଡି ରେଡ୍ ହୋଇଛି । ଏହାପୂର୍ବରୁ ଅନେକ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛାପା ମାରିଛି । ଚଳିତବର୍ଷ ମାର୍ଚ୍ଚରେ ଇଡ଼ି ଦୁର୍ଗ ଜିଲ୍ଲାରେ ଥିବା ଭୂପେଶ ବଘେଲଙ୍କ ପୁଅ ଓ ତାଙ୍କ ସହଯୋଗୀଙ୍କ ଘର ସମେତ ୧୪ ଠିକଣାରେ ରେଡ଼ି କରିଥିଲା । ଏଥିରେ ନଗଦ ଟଙ୍କା ଜବତ ହୋଇଥିଲା ।
କ'ଣ ମଦ ଦୁର୍ନୀତି ମାମଲା ? ଛତିଶଗଡରେ ମଦ ଦୁର୍ନୀତିର ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରୁ ଜଣାପଡିଛି ଯେ, ରାଜ୍ୟରେ ଏକ ସଂଗଠିତ ମଦ ସିଣ୍ଡିକେଟ୍ କାର୍ଯ୍ୟ କରୁଥିଲା, ଯେଉଁଥିରେ ଅନୱର ଧେବର, ଅନିଲ ଟୁଟେଜା ଏବଂ ଅନେକ ଲୋକ ସାମିଲ ଥିଲେ। ଏହି ଦୁର୍ନୀତିରେ ପ୍ରାୟ ୨୧୬୧ କୋଟି ଟଙ୍କାର ବେଆଇନ ରୋଜଗାର ହୋଇଥିଲା । ତତ୍କାଳୀନ ଅବକାରୀ ମନ୍ତ୍ରୀ ଥିବା କାୱାସି ଲଖମାଙ୍କୁ ଏହି ଦୁର୍ନୀତିରୁ ପ୍ରତି ମାସରେ ବିପୁଳ ପରିମାଣର ନଗଦ ରାଶି ଦିଆଯାଉଥିଲା । ୨୦୧୯ରୁ ୨୦୨୨ ମଧ୍ୟରେ ଏହି ଦୁର୍ନୀତି ହୋଇଛି। ଏଥିରେ ବିଭିନ୍ନ ଉପାୟରେ ବେଆଇନ ରୋଜଗାର କରାଯାଇଥିଲା ।
ମଦ କ୍ରୟ ଉପରେ କମ୍ପାନୀ ଠାରୁ କମିଶନ ଭାବରେ ଲାଞ୍ଚ ନିଆଯାଇଥିଲା । ଏହି ମଦ ଛତିଶଗଡ ରାଜ୍ୟ ମାର୍କେଟିଂ କର୍ପୋରେସନ ଦ୍ୱାରା କିଣାଯାଇଥିଲା । କୌଣସି ରେକର୍ଡ ବିନା ଦୋକାନରୁ ମଦ ବିକ୍ରି କରାଯାଉଥିଲା । ଏହି ବିକ୍ରିରୁ ସରକାରଙ୍କୁ ଗୋଟିଏ ଟଙ୍କା ମଧ୍ୟ ମିଳିନଥିଲା ସମସ୍ତ ଟଙ୍କା ସିଣ୍ଡିକେଟ୍ ପକେଟକୁ ଯାଇଥିଲା । ଡିଷ୍ଟିଲରମାନଙ୍କଠାରୁ ଲାଞ୍ଚ ନିଆଯାଇଥିଲା । ଏହି ମାମଲାରେ ପ୍ରାୟ ୨୦୫ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି ।