ନୂଆଦିଲ୍ଲୀ,୧୮/୦୭: ପୁଣି ବୋମା ଧମକ। ରାଜଧାନୀ ଦିଲ୍ଲୀର ୨୦ରୁ ଅଧିକ ସ୍କୁଲକୁ ବୋମା ଧମକ ମିଳିଛି। ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳର ଏକ ସ୍କୁଲ ଓ ରୋହିଣୀ ସେକ୍ଟର ୩ରେ ଥିବା ଅଭିନବ ପବ୍ଲିକ୍ ସ୍କୁଲକୁ ବୋମାରେ ଉଡ଼ାଇଦେବା ନେଇ ଧମକପୂର୍ଣ୍ଣ ମେଲ୍ ମିଳିଛି। ମେଲ୍ ବିଷୟରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଏବଂ ଦିଲ୍ଲୀ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଠାରେ ସର୍ଚ୍ଚ ଅପରେସନ୍ ଚାଲିଛି।
ତୃତୀୟ ଧମକପୂର୍ଣ୍ଣ ମେଲ୍ ରୋହିଣୀର ସେକ୍ଟର ୨୪ ସ୍ଥିତ ସୋଭରେନ୍ ସ୍କୁଲରେ ମିଳିଥିଲା। ତେବେ ବର୍ତ୍ତମାନ,ଦିଲ୍ଲୀ ପୁଲିସ ସୂଚନା ଦେଇଛି ଯେ, ଏପର୍ଯ୍ୟନ୍ତ ଶୁକ୍ରବାର ଦିନ ୨୦ରୁ ଅଧିକ ସ୍କୁଲକୁ ବୋମା ମାଡ଼ ସମ୍ପର୍କରେ ଧମକପୂର୍ଣ୍ଣ ମେଲ୍ ମିଳିଛି। ବର୍ତ୍ତମାନ ଧମକପୂର୍ଣ୍ଣ ମେଲ୍ ପାଇବା ପରେ ପୁଲିସ ବିଭାଗରେ ଆତଙ୍କ ଖେଳିଯାଇଛି। ଅଗ୍ନିଶମ ବାହିନୀ ଏବଂ ବମ୍ ସ୍କ୍ୱାଡ୍ ଦଳ ଘଟଣାସ୍ଥଳର ତଦନ୍ତ କରୁଛନ୍ତି। ପ୍ରକାଶ ଥାଉକି, ପୂର୍ବରୁ ମଧ୍ୟ ସମାନ ଭଳି ଧମକପୂର୍ଣ୍ଣ ମେଲ୍ ମିଳିଥିଲା। ଯାହାର ଅନେକ ଥର ତଦନ୍ତ ପରେ, ଧମକପୂର୍ଣ୍ଣ ମେଲ୍ ପଛରେ ସ୍କୁଲର ଛାତ୍ରଙ୍କ ନାମ ସାମ୍ନାକୁ ଆସିଛି। ସେହିପରି ଆଜି ମଧ୍ୟ ଏହି ମେଲ୍ ପାଇବା ପରେ ତଦନ୍ତ ଚାଲିଛି। ସେହିପରି ବୁଧବାର ପୂର୍ବରୁ ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ ମିଳିଥିଲା। ଦିଲ୍ଲୀର ଦ୍ୱାରକାରେ ଥିବା ସେଣ୍ଟ ଥମାସ ଏବଂ ବସନ୍ତ କୁଞ୍ଜ ଅଞ୍ଚଳର ବସନ୍ତ ଭ୍ୟାଲି ସ୍କୁଲ ସମେତ ଅନେକ ସ୍କୁଲକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା। ମଙ୍ଗଳବାର ଦିନ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜ ଏବଂ ସେଣ୍ଟ ଥମାସ ସ୍କୁଲକୁ ବୋମା ମାଡ଼ ଧମକ ଦିଆଯାଇଥିଲା।