ପଞ୍ଜାବ ୧୮/୦୭: ପଞ୍ଜାବ ସରକାର ରାସ୍ତାରେ ବୟସ୍କମାନଙ୍କ ସହ ଭିକ ମାଗୁଥିବା ଛୋଟ ପିଲାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେ ଅନୁସାରେ, ସନ୍ଦେହାସ୍ପଦ ପରିସ୍ଥିତିରେ ଭିକ ମାଗୁଥିବା ଏହି ପିଲା ଓ ସେମାନଙ୍କ ସହ ଥିବା ଲୋକ(ମାତା-ପିତା)ଙ୍କର ଡିଏନ୍ଏ ପରୀକ୍ଷା କରାଯିବ । ଯଦି ସେମାନଙ୍କର ଡିଏନ୍ଏ ମ୍ୟାଚ୍ ନ ହୁଏ ତେବେ ପିଲାଙ୍କୁ ଧରି ଭିକ ମାଗୁଥିବା ଲୋକଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟର ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବଲଜିତ୍ କୌର ସବୁ ଜିଲ୍ଲାର ଡେପ୍ୟୁଟି କମିଶନରଙ୍କୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।
ଏଥିଲାଗି ଆରମ୍ଭ ହୋଇଥିବା ଅଭିଯାନର ନାମ ‘ଅପରେସନ୍ ଜୀବନଜ୍ୟୋତ’ ରଖାଯାଇଛି । ଅନେକ ସମୟରେ ଭିକ ମାଗୁଥିବା ପିଲା ଓ ତାଙ୍କ ସହ ଥିବା ପୁରୁଷ କିମ୍ବା ମହିଳାଙ୍କ ମଧ୍ୟରେ କୌଣସି ଜୈବିକ ସମ୍ବନ୍ଧ ନଥିବା ଭଳି ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଥାଏ । ସେମାନେ ପିଲାର ପ୍ରକୃତ ପରିଜନ ହୋଇନଥାନ୍ତି । ଏଭଳି ମାମଲାରେ ପିଲାଟିକୁ ମାନବ ଚାଲାଣ ମାଧ୍ୟମରେ ଅଣାଯାଇ ଭିକ ମାଗିବା ଲାଗି ବାଧ୍ୟ କରାଯାଇଥାଏ । ପିଲାଙ୍କୁ ଏଭଳି ଶୋଷଣ ଓ ମାନବ ଚାଲାଣରୁ ରକ୍ଷା କରିବା ହେଉଛି ଏହି ପଦକ୍ଷେପ ପଛର ଉଦ୍ଦେଶ୍ୟ । ‘ଅପରେସନ୍ ‘ଜୀବନଜ୍ୟୋତ’ର କାର୍ଯ୍ୟାନ୍ୱୟନ ଲାଗି ରାଜ୍ୟରେ ୮୧ଟି ଟିମ୍ ଗଠିତ ହୋଇଛି ।