ନୂଆଦିଲ୍ଲୀ ୧୮/୦୭: ବିବାହ ପରେ ଦମ୍ପତିଙ୍କ ଓଜନ ବୃଦ୍ଧି ସାଧାରଣ ସମସ୍ୟା ହୋଇଛି । ଆଇସିଏମ୍ଆର୍ (ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ) ସଦ୍ୟ ଅଧ୍ୟୟନ ମାଧ୍ୟମରେ ଏହାର କାରଣ କହିଛି । ଅଧ୍ୟୟନର ତଥ୍ୟ କରେଣ୍ଟ୍ ଡେଭ୍ଲପମେଣ୍ଟ୍ସ ଇନ୍ ନ୍ୟୁଟ୍ରିସନ୍ରେ ପ୍ରକାଶ ପାଇଛି । ଅଧ୍ୟୟନ ଅନୁସାରେ, ଫୁଡ୍ ଶେୟାରିଂ (ଖାଦ୍ୟ ବାଣ୍ଟି ଖାଇବା)ଠୁ ଆଡପ୍ଟ (ଗ୍ରହଣ କରିବା) ଅଭ୍ୟାସ ଯୋଗୁ ବିବାହିତ ଦମ୍ପତି ସେମାନଙ୍କର ଓଜନ ବଢ଼ାଉଛନ୍ତି । ଏଥିପାଇଁ ପ୍ରତି ୪ ଦମ୍ପତିଙ୍କ ମଧ୍ୟରୁ ଜଣେ ଦମ୍ପତି ମେଦବହୁଳତାର ଶିକାର ହେଉଛନ୍ତି । ୩୦ ବର୍ଷରୁ କମ୍ ବୟସର ଦମ୍ପତିଙ୍କ ମଧ୍ୟରେ ମେଦବହୁଳତାର ଚିନ୍ତାଜନକ ହାର ଦେଖିବାକୁ ମିଳିଛି । କେରଳ, ମଣିପୁର, ଦିଲ୍ଲୀ ଓ ଗୋଆ ଭଳି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ-କାଶ୍ମୀରରେ ଲୋକଙ୍କଠାରେ ଏହି ହାର ଅଧିକ ଜଣାପଡ଼ିଛି ।
ଦମ୍ପତିଙ୍କ ମଧ୍ୟରେ ମେଦବହୁଳତାର ସର୍ବାଧିକ ହାର କେରଳ (୫୧.୩ ଧ), ଜମ୍ମୁ-କାଶ୍ମୀର (୪୮.୫%), ମଣିପୁର (୪୭.୯%), ଦିଲ୍ଲୀ (୪୭.୧%), ତାମିଲନାଡୁରେ (୪୨.୭%) ଥିଲା । ସାଥୀହୋଇ ରହିବାର ଅଭ୍ୟାସ କିଭଳି ଦମ୍ପତିଙ୍କ ଓଜନ ବଢ଼ାଉଛି, ଅଧ୍ୟୟନ ତାହା ବର୍ଣ୍ଣନା କରିଛି । ଆଇସିଏମ୍ଆର୍, ରାଷ୍ଟ୍ରୀୟ କର୍କଟ ନିବାରଣ ଏବଂ ଅନୁସନ୍ଧାନ ସଂସ୍ଥା, ଟେରୀ ସ୍କୁଲ ଅଫ୍ ଆଡ୍ଭାନ୍ସଡ ଷ୍ଟଡିଜ୍ ଓ ଅନ୍ୟ ସଂସ୍ଥାର ଅଧ୍ୟୟନକର୍ତ୍ତା ମିଳିତଭାବେ ଏହି ଅଧ୍ୟୟନ କରିଛନ୍ତି । ସେମାନେ ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନ୍ଏଫ୍ଏଚ୍ଏସ୍-୫ ୨୦୧୯-୨୧)ରୁ ପ୍ରାପ୍ତ ଭାରତର ୫୨,୭୩୭ ବିବାହିତ ଦମ୍ପତିଙ୍କ ତଥ୍ୟର ବିଶ୍ଳେଷଣ କରିଥିଲେ । ସେଥିପାଇଁ ଏହାକୁ ଦେଶର ସବୁଠୁ ବଡ଼ ଅଧ୍ୟୟନ ଭାବେ ବିବେଚନା କରାଗଲା । ଅଧ୍ୟୟନରୁ ଜଣାପଡ଼ିଲା, ୨୭.୪ ପ୍ରତିଶତ ଦମ୍ପତିଙ୍କ ଓଜନ ଅଧିକ ଥିଲା । ସହରୀ, ଧନୀ ଓ ଗଣମାଧ୍ୟମ ସହ ସମ୍ପର୍କରେ ରହୁଥିବା ପରିବାରରେ ଏହି ହାର ଖୁବ୍ ଅଧିକ ଥିଲା ।
ବିବାହ ପରେ ପ୍ରାକ୍ପ୍ରସ୍ତୁତ ଖାଦ୍ୟ ଖାଇବା, ଫାଷ୍ଟ୍ ଫୁଡ୍, ଅଧିକ ଖାଇବା, ଲାପ୍ଟପ୍ରେ ଘଣ୍ଟା ଘଣ୍ଟା ଧରି କାମ କରିବା, ସପ୍ତାହାନ୍ତରେ ଆରାମ କରିବା ଦମ୍ପତିଙ୍କ ଓଜନ ବୃଦ୍ଧିର କାରଣ ହେଉଛି । ଲୋକେ ସହରରେ ପରିବାରଠୁ ଅଲଗା ରହି ଚାକିରି କରୁଥିବାରୁ ଖାଇବା ସମୟରେ ଗଡ଼ବଡ଼ ମଧ୍ୟ ମୋଟାପଣର କାରଣ । ସହରୀ ଦମ୍ପତିଙ୍କ ମେଦବହୁଳତା ହାର ୩୮.୪% ଏବଂ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୨୨.୧% ଥିଲା । ଅନ୍ୟପକ୍ଷେ, ସମ୍ପନ୍ନ ପରିବାରରେ ଏହି ଅନୁପାତ ୪୭.୬ ଧରେ ପହଞ୍ଚିଛି, ଯାହା ସ୍ପଷ୍ଟ ସଙ୍କେତ ଦେଉଛି ଯେ ଆର୍ଥିକ ସମୃଦ୍ଧି ସହିତ ମୋଟାପଣର ହାର ମଧ୍ୟ ବଢୁଛି । ଅଧ୍ୟୟନରେ ୨୩ ବଡି ମାସ୍ ଇଣ୍ଡେକ୍ସଯୁକ୍ତ ଦମ୍ପତିଙ୍କୁ ଅଧିକ ଓଜନ ବା ମୋଟା ଶ୍ରେଣୀରେ ରଖାଗଲା । ସବୁଠୁ ଧନୀ ବର୍ଗର ହାରାହାରି ଅଧା (୪୭.୬%) ଦମ୍ପତିଙ୍କଠାରେ ମୋଟାପଣର ସମସ୍ୟା ସମାନ ଥିଲା । ଅନ୍ୟପକ୍ଷେ, ସବୁଠୁ ଗରିବ ବର୍ଗର କେବଳ ୧୦.୨% ଦମ୍ପତିଙ୍କଠାରେ ମେଦବହୁଳତା ସମସ୍ୟା ଥିଲା ।
ଆଇସିଏମ୍ଆର୍-ରାଷ୍ଟ୍ରୀୟ କର୍କଟ ନିବାରଣ ସଂସ୍ଥାନର ବରିଷ୍ଠ ଲେଖକ ଡା. ଶାଲିନୀ ସିଂହଙ୍କ ଅନୁସାରେ, ବିବାହ ଓ ସାଥୀହୋଇ ରହିବାର ପରିବେଶ ମେଦବହୁଳତାର ପ୍ରସାର ଓ ସମ୍ଭାବ୍ୟ ରୂପେ ଏହାର ପ୍ରତିରୋଧ, ଉଭୟ ପାଇଁ ଶକ୍ତିଶାଳୀ କାରକ ହୋଇପାରେ । ୩୦ ବର୍ଷରୁ କମ୍ ବୟସର ଦମ୍ପତିଙ୍କ ମଧ୍ୟରେ ମେଦବହୁଳତାର ପ୍ୟାଟର୍ନରେ ଉଲ୍ଲେଖନୀୟ ସମାନତାକୁ ଦୃଷ୍ଟିରେ ରଖି ଅଧ୍ୟୟନର ଫଳ ଅତ୍ୟନ୍ତ ଚିନ୍ତାଜନକ ।