ଚେନ୍ନାଇ,୨୫/୦୧: ଶନିବାର ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚିପକ ଷ୍ଟାଡ଼ିୟମ୍ରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ୫ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଯଥା ସମ୍ଭବ ସହଳ ସିରିଜକୁ ଫେରିବା ପାଇଁ ତତ୍ପର ଥିବା ଇଂଲଣ୍ଡ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଭାରତୀୟ ଦଳର ସ୍ପିନ୍ ବୋଲିଂ ଶକ୍ତିକୁ ନେଇ ଇଂଲଣ୍ଡର ଚିନ୍ତା ବଢି ଯାଇଛି । ଇଂଲଣ୍ଡ ଦଳରେ ବହୁ ଯୁବ ଖେଳାଳି ରହିଛନ୍ତି । ଭାରତରେ ଖେଳିବାର ଅଭିଜ୍ଞତା ଅଧିକାଂଶ ଖେଳାଳିଙ୍କ ନିକଟରେ ନାହିଁ । ଚିପକ୍ ପିଚ୍ ମଧ୍ୟ ପାରମ୍ପରିକ ଭାବେ ସ୍ପିନରଙ୍କୁ ସହାୟତା କରିବାର ରେକର୍ଡ ରହିଛି । ଏଠାରେ ଭାରତୀୟ ସ୍ପିନରଙ୍କୁ ସାମ୍ନା କରିବା ସହଜ ହେବ ନାହିଁ ।
ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସେମି ଫାଇନାଲ୍ରେ ମଧ୍ୟ ଇଂଲଣ୍ଡ ବ୍ୟାଟରମାନେ ଭାରତୀୟ ସ୍ପିନରଙ୍କ ମୁକାବିଲା କରିପାରି ନଥିଲେ । କୁଲଦୀପ ଯାଦବ, ରବିନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲଙ୍କୁ ନେଇ ଗଠିତ ସ୍ପିନ ବାହିନୀ ଉକ୍ତ ମ୍ୟାଚ୍ରେ ୧୧ ଓଭର ବୋଲିଂ କରି ୫୮ ରନ୍ରେ ୬ଟି ୱିକେଟ୍ ନେଇଥିଲେ । ସେହିପରି କୋଲକାତାରେ ବରୁଣ ଚକ୍ରବର୍ତ୍ତୀଙ୍କ ଚକ୍ରବ୍ୟୁହରେ ଫଶିଥିଲା ଇଂଲଣ୍ଡ ଦଳ ।
ଶନିବାର ଭାରତ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ । ଫଳରେ କୋଲକାତା ଭଳି ଚିପକରେ ମଧ୍ୟ ମହମ୍ମଦ ସାମିଙ୍କୁ ବିଶ୍ରାମ ମିଳିବ । ଆଗକୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଓ ଚାମ୍ପିଅନ୍ସ ଟ୍ରଫି ରହିଛି । ଉଭୟ ଦଳରେ ସାମି ସ୍ଥାନ ପାଇଛନ୍ତି । ତେଣୁ ତାଙ୍କୁ ଯଥା ସମ୍ଭବ ବିଶ୍ରାମ ଦେଇ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତ ରଖିବା ଜରୁରି ।
ଇଂଲଣ୍ଡ ଏକାଦଶରେ ପରିବର୍ତ୍ତନ ହୋଇପାରେ । ଯୁବ ବ୍ୟାଟିଂ ବିସ୍ମୟ ଜାକବ ବେଥେଲ ଅସୁସ୍ଥ ରହିଥିବାରୁ ଶୁକ୍ରବାର ଅଭ୍ୟାସକୁ ଓହ୍ଲାଇ ନଥିଲେ । ସେ ଶନିବାର ବାଦ ପଡ଼ିପାରନ୍ତି । ତାଙ୍କ ସ୍ଥାନରେ ଜାମି ସ୍ମିଥ୍ଙ୍କୁ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା ରହିଛି । ସେହିପରି ପ୍ରଥମ ମ୍ୟାଚ୍ରେ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିବା ଗସ ଆଟକିନସନଙ୍କ ସ୍ଥାନରେ ପେସ୍ ବୋଲର ବ୍ରାଇଡନ କାର୍ସଙ୍କୁ ସୁଯୋଗ ମିଳିପାରେ ।
ଅର୍ଶଦୀପ ମ୍ୟାଚ୍ରେ ଏକ ରେକର୍ଡ କରିପାରନ୍ତି । କୋଲକାତାରେ ୨ଟି ୱିକେଟ୍ ନେଇଥିବା ଅର୍ଶଦୀପ ଆଉ ୩ଟି ୱିକେଟ୍ ନେଲେ ପ୍ରଥମ ଭାରତୀୟ ଭାବେ ଟି-ଟ୍ୱେଣ୍ଟିରେ ୧୦୦ ୱିକେଟ୍ ପୂରଣ କରିବେ ।
ଏହି ମ୍ୟାଚ୍ ପାଇଁ ଏକ କଳା ମାଟିର ପିଚ୍ ପ୍ରସ୍ତୁତ କରାଯାଇଛି । ଏଠାରେ ଘରୋଇ କ୍ରିକେଟ୍ ଖେଳାଯାଇ ନଥିବାରୁ ପିଚ୍ ସମ୍ପୂର୍ଣ୍ଣ ସତେଜ ରହିଛି । ଫଳରେ ସ୍ପିନରମାନେ ଏହି ପିଚ୍ର ଭରପୁର ଫାଇଦା ଉଠାଇ ପାରିବେ । ରାତ୍ରିରେ କାକର ପ୍ରଭାବ ରହିବ ।ଫଳରେ ପ୍ରଥମ ଭାଗ ତୁଳନାରେ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ଭାରତ: ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ରବି ବିଷ୍ଣୋଇ/ମହମ୍ମଦ ସାମି, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ।
ଇଂଲଣ୍ଡ: ଫିଲ ସଲ୍ଟ, ବେନ ଡକେଟ୍, ଜୋସ ବଟଲର (ଅଧିନାୟକ), ହ୍ୟାରୀ ବ୍ରୁକ୍, ଲାଏମ ଲିଭିଙ୍ଗଷ୍ଟୋନ, ଜାକବ ବେଥେଲ/ଜାମି ସ୍ମିଥ, ଜାମି ଓଭରଟନ, ବ୍ରାଇଡନ କାର୍ସ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ୍ ।