ନୂଆଦିଲ୍ଲୀ,୨୩/୦୭: ଭାରତ ପାଇଁ ଖୁସି ଖବର। ବିଶ୍ୱରେ ସର୍ବାଧିକ ଅନଲାଇନ୍ କାରବାର କରୁଥିବା ଦେଶ ପାଲଟିଛି ଭାରତ। ଏନେଇ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏହାର ରିପୋର୍ଟ ପ୍ରକାଶ କରିଛି। 'ଗ୍ରୋଇଂ ରିଟେଲ୍ ଡିଜିଟାଲ ପେମେଣ୍ଟସ୍: ଦି ଭାଲ୍ୟୁ ଅଫ୍ ଇଣ୍ଟରଅପରେବିଲିଟି' ରିପୋର୍ଟରେ କୁହାଯାଇଛି ଯେ, ଭାରତ ଡିଜିଟାଲ ପେମେଣ୍ଟରେ ଦ୍ରୁତ ପ୍ରଗତି କରିଛି। କେବଳ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ମାଧ୍ୟମରେ ଭାରତରେ ପ୍ରତି ମାସରେ ୧୮ ବିଲିୟନରୁ ଅଧିକ କାରବାର ହୁଏ।
UPI କେବଳ ଭାରତରେ ନୁହେଁ ବରଂ ସୀମା ବାହାରେ ମଧ୍ୟ ଲୋକଙ୍କୁ ସୁବିଧା ପ୍ରଦାନ କରୁଛି। ଏହି ସୁବିଧା UAE, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଏବଂ ମରିସସ ସମେତ ୭ଟି ଦେଶରେ ପୂର୍ବରୁ ଉପଲବ୍ଧ। ଏବେ ଏହା ଫ୍ରାନ୍ସରେ ମଧ୍ୟ ପ୍ରବେଶ କରିଛି। ସେଠାରେ ଯାତ୍ରା କରୁଥିବା କିମ୍ବା ରହୁଥିବା ଭାରତୀୟମାନେ ବିଦେଶୀ କାରବାରର କୌଣସି ଅସୁବିଧା ବିନା ଦେୟ ସୁବିଧା ପାଆନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ଚଳିତ ବର୍ଷ ଜୁନ୍ ମାସରେ UPI ମାଧ୍ୟମରେ ୧୮.୩୯ ବିଲିୟନ କାରବାର ହୋଇଛି। ଗତ ବର୍ଷ ଜୁନ୍ ମାସରେ ଏହି ସଂଖ୍ୟା ମାତ୍ର ୧୩.୮୮ ବିଲିୟନ ଥିଲା।
ଗୋଟିଏ ବର୍ଷ ମଧ୍ୟରେ UPI ପେମେଣ୍ଟ ପ୍ରାୟ ୩୨ ପ୍ରତିଶତ ବୃଦ୍ଧି ପାଇଛି। UPI ସିଷ୍ଟମ୍ ବର୍ତ୍ତମାନ ୪୯୧ ନିୟୁତ ବ୍ୟକ୍ତି ଏବଂ ୬୫ ନିୟୁତ ବ୍ୟବସାୟୀଙ୍କୁ ସେବା ପ୍ରଦାନ କରୁଛି। ଏହି ସିଷ୍ଟମ୍ ୬୭୫ ବ୍ୟାଙ୍କକୁ ଗୋଟିଏ ପ୍ଲାଟଫର୍ମରେ ସଂଯୋଗ କରୁଛି। ଭାରତରେ ସମସ୍ତ ଡିଜିଟାଲ୍ କାରବାରରେ UPI ୮୫ ପ୍ରତିଶତ ଅବଦାନ ରଖେ। ଏହା ଆନ୍ତର୍ଜାତୀୟ ରିଅଲ୍-ଟାଇମ୍ ଡିଜିଟାଲ୍ ପେମେଣ୍ଟର ପ୍ରାୟ ୫୦ ପ୍ରତିଶତକୁ କଭର୍ କରେ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ୨୦୧୬ ମସିହାରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଲଞ୍ଚ କରିଥିଲା। ଏହା ୟୁଜରଙ୍କ ଗୋଟିଏ କିମ୍ବା ଅଧିକ ବ୍ୟାଙ୍କ ଆକାଉଣ୍ଟକୁ ଗୋଟିଏ ମୋବାଇଲ୍ ଆପରେ ଆଣିବା ପାଇଁ କାମ କରିଛି। ପ୍ରତି ମାସରେ ଭାରତରେ ୧୮ ବିଲିୟନରୁ ଅଧିକ କାରବାର ହୁଏ। ଏହି ସୁବିଧା କାର୍ଡ ଏବଂ ନଗଦ ଦେୟକୁ ବହୁତ ହ୍ରାସ କରିଛି।