ପ୍ରମୂଖ ଖବର

‘I.N.D.I.A’ରେ ଏକାଠି, ରାଜ୍ୟରେ ଭିନ୍ନ: ଆପ୍‌, କଂଗ୍ରେସର ନିର୍ବାଚନ ରଣନୀତି

ନୂଆଦିଲ୍ଲୀ,୦୫/୦୯: ଆସନ୍ତା ଲୋକସଭା  ନିର୍ବାଚନ ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ମୋଦି ସରକାର ବିରୋଧୀ ରଣନୀତି ପାଇଁ ଗଢ଼ିଛନ୍ତି  ‘ଇଣ୍ଡିଆ’(ଇଣ୍ଡିଆନ୍‌ ନ୍ୟାସନାଲ ଡେଭେଲପମେଣ୍ଟାଲ  ଇନ୍‌କ୍ଲୁସିଭ୍‌ ଆଲାଏନ୍ସ) ମେଣ୍ଟ । ଏଥିରେ କଂଗ୍ରେସ,  ଆମ୍‌ ଆଦମୀ ପାର୍ଟି(ଆପ୍‌) ସମେତ ଅନ୍ୟ ବିରୋଧୀ  ଦଳ ହାତ ମିଳାଇଛନ୍ତି । ହେଲେ ମଜାଦାର କଥା  ହେଉଛି ଇଣ୍ଡିଆ ମେଣ୍ଟରେ ଆପ୍‌ ଓ କଂଗ୍ରେସ ଏକମତ  ହୋଇଥିଲେ ହେଁ ଆଗକୁ ଏକାଧିକ ରାଜ୍ୟରେ  ହେବାକୁ ଥିବା ନିର୍ବାଚନରେ କିନ୍ତୁ ପରସ୍ପରର  ପ୍ରତିଦ୍ୱନ୍ଦ୍ୱୀ ହୋଇଛନ୍ତି । ନିର୍ବାଚନମଣ୍ଡଳୀଗୁଡ଼ିକରେ  ପରସ୍ପର ବିରୋଧରେ ପ୍ରାର୍ଥୀ ଦେବା ସହ ପରସ୍ପରର  ଗଡ଼ ଅକ୍ତିଆର କରିବାକୁ ଯୋଜନା କରୁଛନ୍ତି । 

ଆପ୍‌ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ  କେଜ୍‌ରିୱାଲ ବହୁ ପୁରାତନ ଦଳ କଂଗ୍ରେସକୁ  ଘନ ଘନ ଆକ୍ରମଣ କରିବା ସହ ଛତିଶଗଡ଼ ଏବଂ  ରାଜସ୍ଥାନରେ ଗ୍ୟାରେଣ୍ଟି କାର୍ଡ ଲଞ୍ଚ୍‌ କରିଛି । ଏହି  ଦୁଇଟି ଯାକ ରାଜ୍ୟରେ କଂଗ୍ରେସ ସରକାରରେ  ରହିଛି । ସେଠାକାର ଜନତାଙ୍କୁ କେଜରିୱାଲ ଏକ  ସୁଯୋଗ ଦେଇ କଂଗ୍ରେସକୁ ହଟାଇବାକୁ ବାରମ୍ବାର  ଆହ୍ୱାନ ଦେଉଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀରେ ଆପ୍‌  ନିର୍ବାଚିତ ହୋଇ ସରକାରରେ ଥିବାବେଳେ  ସେଠାରେ ସମସ୍ତ ୭ ଲୋକସଭା ନିର୍ବାଚନମଣ୍ଡଳୀରେ  କଂଗ୍ରେସ ନୂଆ ସଂଯୋଜକ ନିଯୁକ୍ତ କରିଛି । ରାଜସ୍ଥାନରେ କେଜରିୱାଲ ସୋମବାର ୬ ଗ୍ୟାରେଣ୍ଟି  ଘୋଷଣା କରି ରାଜ୍ୟବାସୀଙ୍କୁ ନିଜ ଆଡ଼କୁ ଆକର୍ଷିତ  କରିବାକୁ ଉଦ୍ୟମ କରିଛନ୍ତି । 

ଆପ୍‌ ସରକାରକୁ  ଆସିଲେ ସେନା, ପୁଲିସରେ କାର୍ଯ୍ୟରତ କର୍ମଚାରୀଙ୍କ  ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ୧ କୋଟି  ଟଙ୍କା ସମ୍ମାନଜନକ ରାଶି, ଠିକାରେ କାର୍ଯ୍ୟରତ  କର୍ମଚାରୀଙ୍କୁ ସ୍ଥାୟୀ ଚାକିରି, ମାଗଣା ସ୍କୁଲ ଶିକ୍ଷା  ଏବଂ ଚିକିତ୍ସା ସେବା, ୧୮ ବର୍ଷରୁ ଊଦ୍ଧ୍ୱର୍ ମହିଳାଙ୍କୁ  ପ୍ରତି ମାସରେ ୧ ହଜାର ଟଙ୍କା, ରାଜସ୍ଥାନକୁ ଦୁର୍ନୀତି  ମୁକ୍ତ କରିବା ଏବଂ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା  ବିଜୁଳି ଯୋଗାଇବା ପାଇଁ କେଜ୍‌ରିୱାଲ ଗ୍ୟାରେଣ୍ଟି  ଦେଇଛନ୍ତି । ପୂର୍ବରୁ ଛତିଶଗଡ଼ରେ ମଧ୍ୟ କେଜ୍‌ରିୱାଲ  ୩୦୦ ୟୁନିଟ୍‌ ମାଗଣା ବିଜୁଳି ସମେତ ୯ ଗ୍ୟାରେଣ୍ଟି ଦେଇଥିଲେ । ଏଥିସହ ଛତିଶଗଡ଼ରେ ସରକାରୀ  ସ୍କୁଲକୁ ନେଇ କ୍ଷମତାରେ ଥିବା କଂଗ୍ରେସ ସରକାରକୁ  ସମାଲୋଚନା କରିଥିଲେ । 

ଅପରପକ୍ଷେ କଂଗ୍ରେସ ମଧ୍ୟ ଦିଲ୍ଲୀରେ ନିଜ  ଉପସ୍ଥିତି ବଢ଼ାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ।  ଦିଲ୍ଲୀ କଂଗ୍ରେସର ନବନିଯୁକ୍ତ ସଭାପତି ଅରବିନ୍ଦର  ସିଂ ଲଭ୍‌ଲି କହିଛନ୍ତି, ୨/୩ ମାସରେ ସଙ୍ଗଠନକୁ  ସମ୍ପୂର୍ଣ୍ଣ ଭାବେ ପୁନର୍ଗଠନ କରିବା ଆମର ଲକ୍ଷ୍ୟ ।  ଗତମାସରେ କଂଗ୍ରେସର ଜଣେ ମୁଖପାତ୍ର ଦିଲ୍ଲୀର  ସମସ୍ତ ୭ ଲୋକସଭା ଆସନରେ ଦଳ ଲଢ଼ିବା  ପାଇଁ ପ୍ରସ୍ତୁତି କରୁଥିବା ନେଇ କହିବା ପରେ ଆପ୍‌  ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

 ଏପରିକି  ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକ ବର୍ଜନ  କରିବାକୁ ମଧ୍ୟ ଆପ୍‌ ପକ୍ଷରୁ ଧମକ ଦିଆଯାଇଥିଲା ।  ପରେ କଂଗ୍ରେସକୁ ଏଥିପାଇଁ ସ୍ପଷ୍ଟୀକରଣ ଦେବାକୁ  ପଡ଼ିଥିଲା । ଏହା ତାଙ୍କ ବ୍ୟକ୍ତିଗତ ମତ ବୋଲି  କଂଗ୍ରେସ କହି ଆପ୍‌କୁ ମନାଇଥିଲା । ଦିଲ୍ଲୀର  ଲୋକସଭା ଆସନରେ କଂଗ୍ରେସ ଲଢ଼ିବ ବୋଲି  ଘୋଷଣା କରିବା ପରେ ଆପ୍‌ ରାଜସ୍ଥାନର ସମସ୍ତ  ୨୦୦ ବିଧାନସଭା ଆସନରେ ପ୍ରାର୍ଥୀ ଦେଇ  କଂଗ୍ରେସର କଡ଼ା ମୁକାବିଲା କରିବା ଲାଗି ପ୍ରସ୍ତୁତ  ଥିବା କହିଥିଲା । ବିଭିନ୍ନ ରାଜ୍ୟରେ ଇଣ୍ଡିଆ ମେଣ୍ଟର  ରଣନୀତି ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ କଂଗ୍ରେସ ଓ ଆପ୍‌  ମଧ୍ୟରେ ପ୍ରେସର୍‌ ଗେମ୍‌ ଖେଳିବା ଜାରି ରଖିବେ  ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମତ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.