ରାୟପୁର: ଇଣ୍ଟରନ୍ୟାସନାଲ୍ ମାଷ୍ଟର୍ସ ଲିଗ୍ ୨୦୨୫ ଟାଇଟଲ ଜିତିଲା ଭାରତ । ଭାରତୀୟ ମାଷ୍ଟର୍ସ ଦଳ ୱେଷ୍ଟଇଣ୍ଡିଜ୍ ମାଷ୍ଟର୍ସକୁ ୬ ୱିକେଟରେ ପରାସ୍ତ କରି ଟ୍ରଫି ଜିତିଛି । ଏହି ଟାଇଟଲ୍ ମୁକାବିଲାରେ, ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୧୪୮ ରନ କରିଥିଲା । ଜବାବରେ ଭାରତ ୧୭ ବଲ ବାକି ଥାଇ ଏହି ଲକ୍ଷ୍ୟକୁ ସହଜରେ ହାସଲ କରି ନେଇଛି । ଭାରତର ବିଜୟର ସବୁଠାରୁ ବଡ଼ ନାୟକ ଅମ୍ବାତି ରାୟୁଡୁ । ସେ ୫୦ ବଲ୍ରେ ୭୪ ରନ୍ର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି ।
ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା । ଓପନର ସ୍ମିଥ୍ ୪୫ ରନ୍ କରିଥିଲେ କିନ୍ତୁ ବ୍ରାଏନ୍ ଲାରା ଓ ୱିଲିୟମ ପାର୍କିସନ ୬ ରନ୍ କରି ଆଉଟ୍ ହୋଇଥିଲେ । ଶାହବାଜ ନଦୀମ ୪ ଓଭରରେ ମାତ୍ର ୧୨ ରନ ଦେଇ ୨ଟି ୱିକେଟ ନେଇଥିଲେ । ଲେଣ୍ଡଲ ସିମନ୍ସ ୫୭ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । କିନ୍ତୁ ନଦୀମଙ୍କ ବ୍ୟତୀତ ବିନୟ କୁମାର ମଧ୍ୟ ଭାରତ ପାଇଁ ବୋଲିଂରେ ବିପର୍ଯ୍ୟୟ ଘଟାଇଥିଲେ । କୁମାର ମ୍ୟାଚ୍ରେ ମୋଟ ୩ଟି ୱିକେଟ୍ ନେଇଥିଲେ।
ବ୍ୟାଟିଂରେ ଅମ୍ବାତି ରାୟୁଡୁ କମାଲ ପ୍ରଦର୍ଶନ କରିଥିଲେ । ସଚିନ ୨୫ ରନ କରି ଆଉଟ ହେବା ପୂର୍ବରୁ ରାୟୁଡୁ ସଚିନ ତେନ୍ଦୁଲକରଙ୍କ ସହ ୬୭ ରନର ଓପନିଂ ପାର୍ଟନରସିପ୍ କରିଥିଲେ । ଗୁରକିରତ ସିଂହ ମାନ ୧୪ ରନ କରି ଆଉଟ ହୋଇଥିଲେ। ରାୟୁଡୁ ଗୋଟିଏ ପାର୍ଶ୍ୱରେ ଦୃଢ଼ ଭାବରେ ଠିଆ ହୋଇଥିଲେ ଏବଂ ୫୦ ବଲ୍ରେ ୭୪ ରନ୍ କରିଥିଲେ । ଏହି ସମୟରେ ସେ ୯ ଚୌକା ଏବଂ ୩ ଛକା ମାରିଥିଲେ । ଶେଷ ଓଭର ଆଡ଼କୁ ଷ୍ଟୁଆର୍ଟ ବିନ୍ନି ୯ ବଲ୍ରେ ୧୬ ରନ୍ର ଏକ କ୍ୟାମିଓ ଇନିଂସ ଖେଳି ଭାରତର ବିଜୟରେ ଏକ ବଡ଼ ଯୋଗଦାନ ଦେଇଥିଲେ ।
ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଜିତିବାର ମାତ୍ର ଗୋଟିଏ ସପ୍ତାହ ବିତିଛି । ୭ ଦିନ ମଧ୍ୟରେ, ସଚିନ ତେନ୍ଦୁଲକରଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ମାଷ୍ଟର୍ସ ଇଣ୍ଟରନ୍ୟାସନାଲ ମାଷ୍ଟର୍ସ ଲିଗ୍ ଟାଇଟଲ ଜିତିଛି । ଟୁର୍ଣ୍ଣାମେଣ୍ଟରେ ଭାରତ ୭ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ମ୍ୟାଚ୍ ହାରିଥିଲା ।