ଯାଜପୁର, ୨୫/୦୫: ନିଜ ଘରେ ବିଦ୍ୟୁତ୍ କାର୍ଯ୍ୟ କରୁଥିବା ବେଳେ ଅଘଟଣ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ । ମୃତ ଯୁବକ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଅଳୁକଣ୍ଡ ଥାନା ଚିକଣା ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମଣୀଗାଁର ରାମଚନ୍ଦ୍ର ରାଉତଙ୍କ ସାନ ପୁଅ ଦେବଦର୍ଶୀ ବିଶ୍ୱମୋହନ ରାଉତ । ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।
ସୂଚନା ମୁତାବକ, ରବିବାର ନିଜ ଘରେ ବିଦ୍ୟୁତ୍ କାର୍ଯ୍ୟ କରୁଥିଲେ ଦେବଦର୍ଶୀ ବିଶ୍ୱମୋହନ । ଏହି ସମୟରେ କୌଣସି କାରଣ ବଶତଃ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଅଚେତ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଅଳକୁଣ୍ଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇଛି । ଅନ୍ୟପଟେ ତାଙ୍କର ଛୋଟ ଛୋଟ ପିଲା ଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।