ସୁକିନ୍ଦା,୨୧/୦୫ : ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ହିତରେ ଆସିବା ପୂର୍ବରୁ ଠିକାଦାର ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ମାଟି କାମୁଡ଼ି ପଡ଼ିଛି । ଘର ନଗଢ଼ି କିସ୍ତି ଟଙ୍କା ହଡ଼ପ କରାଯାଇଛି । ଆବାସଗୁଡ଼ିକ ଅଧାଗଢ଼ା ଅବସ୍ଥାରେ ପଡ଼ିଥିବା ବେଳେ ହିତାଧିକାରୀ ଭଙ୍ଗାଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି ।
ମିଳିଥିବା ତଥ୍ୟ ମୁତାବକ, ୨୦୧୯- ୨୦ରୁ ୨୦୨୩-୨୪ ମଧ୍ୟରେ ସୁକିନ୍ଦା ବ୍ଲକର ରାଂସୋଳ ପଞ୍ଚାୟତ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଟ୍ ୧୯୨ଟି ଘର ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କୁ ଏହି ଯୋଜନାରେ ଗୃହ ଆବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ରଂସୋଳ ପଞ୍ଚାୟତର ମୋଟ୍ ୧୯୨ଟି ମଧ୍ୟରୁ କେବଳ ୧୮୮ଟି ଘରର ଖୋଜଖବର ସରକାରୀ ନାଲିଫିତା ତଳୁ ମିଳିଥିବା ବେଳେ ଅନ୍ୟ ୪ଟିର କୌଣସି ପତ୍ତା ମିଲୁନାହିଁ । ୪ବର୍ଷ ମଧ୍ୟରେ ଏହି ପଞ୍ଚାୟତରୁ ୧୪୧ଟି ଘର ସମ୍ପୂର୍ଣ୍ଣ ହୋଇଥିବାର ସରକାରୀ ସୂଚନା ମିଳିଥିବା ବେଳେ ବାସ୍ତବରେ ତାହା ଅଧାପନ୍ତରିଆ ଅବସ୍ଥାରେ ରହିଛି । ଆଉ ୫୧ଜଣ ହିତାଧିକାରୀଙ୍କ ଘର ନିର୍ମାଣାଧୀନ ବା ଅସମ୍ପୂର୍ଣ୍ଣ ରହିଥିବା ସରକାରୀ ଭାବେ ସୂଚନା ମିଳିଛି । ଏହି ପଞ୍ଚାୟତ ଅନ୍ତର୍ଗତ କଲରଙ୍ଗି ମୌଜା ପାଇଁ ୨୦୧୯-୨୦ ବର୍ଷରେ ମୋଟ୍ ୫୯ଟି ଘର ମଞ୍ଜୁର ହୋଇଥିଲା । ତନ୍ମଧ୍ୟରୁ ୧୦ଟି ଘର ଅର୍ଦ୍ଧନିର୍ମିତ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଉକ୍ତ ୧୦ଜଣ ହିତାଧିକାରୀଙ୍କ ଘର ତିଆରି କରିଦେବା ପାଇଁ ସେମାନଙ୍କ ଠାରୁ ଜଣେ ଗ୍ରାମ ପଞ୍ଚାୟତ କର୍ମଚାରୀ ଏବଂ ଠିକାଦାର ପ୍ରଲୋଭନ ଦେଖାଇ ତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇ ନେଇ ଚମ୍ପଟ ମାରିଥିବା ସେମାନେ ଅଭିଯୋଗ କରିଛନ୍ତି ।
ଅଧିକାଂଶ ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଚତୁର୍ଥ ଶ୍ରେଶୀ କର୍ମଚାରୀ ଏବଂ ଠିକାଦାର ୨ଟି କିସ୍ତିରେ ମିଳିଥିବା ଟଙ୍କାକୁ ଉଠାଇ ନେଇଛନ୍ତି । କଲରଙ୍ଗି ପୂରିଆଝର ଗାଁରୁ ରେବତୀ ହେମ୍ବ୍ରମଙ୍କ ଠାରୁ ଦୁଇଟି କିସ୍ତିରେ ମିଳିଥିବା ୫୫ହଜାର ଟଙ୍କା, ଲାଲମୋହନ ପିଙ୍ଗୁଆଙ୍କ ଠାରୁ ଲକ୍ଷେ ଟଙ୍କା, ବାସୁଦେବ ହୋଙ୍କ ଠାରୁ କିଛି କାମ ନକରି ୨୦ହଜାର ଟଙ୍କା, ବୁଦ୍ଧିରାମ ଜଙ୍କ ଠାରୁ ୫୫ହଜାର, ଲେମ୍ବୋ ମୁଣ୍ଡାଙ୍କ ଠାରୁ ୫୫ହଜାର, ମିଥୁନ ହେମ୍ବ୍ରମଙ୍କ ଠାରୁ ୫୫ହଜାର, ସୁକୁରମୁନି ଚାତାରଙ୍କ ଠାରୁ ୫୫ହଜାର, ସମାରି ସର୍ଦ୍ଦାରଙ୍କ ଠାରୁ ୫୫ହଜାର ଏବଂ ଟୁବୁନା ମୁଣ୍ଡାଙ୍କ ଠାରୁ ୨ଟି କିସ୍ତିରେ ୫୫ହଜାର ଟଙ୍କା ଉଠାଇ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି । ୨୦୧୯ରୁ ଅଦ୍ୟାବଧି ୫ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଠିକାଦାର କିମ୍ବା ପିଇଓଙ୍କ ଦେଖାନାହିଁ । ଘର ସଂପୂର୍ଣ୍ଣ ହୋଇନଥିବାରୁ ହିତାଧିକାରୀମାନେ ପର ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି ।
ସେହିପରି ୨୦୨୦-୨୧ରେ ଗୋଟିଏ ଘର ନିର୍ମାଣ ହୋଇଥିବା ବେଳେ ୨୦୨୧- ୨୨ରେ ମୋଟ୍ ୨୭ଟି ଘର ପାଇଁ କାର୍ଯ୍ୟାଦେଶ ମିଳିଥିଲା । ସେଥି ମଧ୍ୟରୁ କେବଳ ୩ଜଣଙ୍କ ଘର ପ୍ଲିନ୍ଥ ଲେବଲ ଯାଏ କାର୍ଯ୍ୟ ହୋଇ ପଡ଼ି ରହିଛି । ଅନ୍ୟ ୨୪ଟି ଘର ମଧ୍ୟରୁ କିଛି ଅଧା ହୋଇଥିବା ବେଳେ ଦୁଇରୁ ତିନୋଟି କିସ୍ତି ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆବାସ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଏହିପରି ହଡ଼ପ ହୋଇଛି । ଏବେ ହିତାଧିକାରୀମାନେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ମୁହଁ ବନ୍ଦ କରିବା ପାଇଁ ସେମାନଙ୍କ ଉପରେ ଚାପ ପକାଯାଉଥିବା କିଛି ହିତାଧିକାରୀ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ବିଡିଓ ପ୍ରଦୀପ କୁମାର ସେଠୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟସ୍ତ ରହୁଥିବାରୁ ଏ ସମ୍ପର୍କିତ ଅଭିଯୋଗ ତାଙ୍କ ନଜରକୁ ଆସିନଥିବା ସେ କହିଛନ୍ତି । ଏଥିପ୍ରତି ୌ ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଛନ୍ତି ।