ସମ୍ବଲପୁର, ୨୫।୫: ସମ୍ବଲପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦୁର୍ଗାପାଲି ରେଳବାଇ ଓଭରବ୍ରିଜର ଉଦଘାଟନ କରିଛନ୍ତି । ୬୦ କୋଟି ୪୩ ଲକ୍ଷ ୭୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ବ୍ରିଜ୍ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି ଓଭରବ୍ରିଜ୍ ସମ୍ବଲପୁର ସହରକୁ ଅଧିକ ସୁନ୍ଦର ଓ ଆଧୁନିକ କରିବା ପାଇଁ ଏହା ଏକ ଭଲ ପଦକ୍ଷେପ । ଏହି ବ୍ରିଜ୍ ନିର୍ମାଣ ପରେ ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ହ୍ରାସ ହେବା ସହ ଜନସାଧାରଣଙ୍କ ଯାତାୟତ ସୁରକ୍ଷିତ ଓ ସୁଗମ ହେବ ।
ଆଗାମୀ ଦିନରେ ଡବଲ୍ ଇଞ୍ଜିନ ସରକାରରେ ସମ୍ବଲପୁର ସହରକୁ ଏକ ଶ୍ରୀମନ୍ତ ସହରରେ ବିକଶିତ କରାଯିବ । ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଅଣାଯିବ । ଯୋଗାଯୋଗ ଏବଂ ଆନୁଷଙ୍ଗିକ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ । ସମ୍ବଲପୁରରେ ରିଙ୍ଗ୍ ରୋଡ୍ କରାଯିବ । ସହର ମଧ୍ୟରେ ଥିବା ଆଭ୍ୟନ୍ତରୀଣ ରାସ୍ତା ତିଆରି କରାଯିବ । ମହାନଦୀ ଉପରେ ବ୍ରିଜ୍ ନିର୍ମାଣ ହେବ, ଯାହା ବୁର୍ଲା ଓ ହୀରାକୁଦକୁ ସଂଯୋଗ କରିବ । ଏହି ଅବସରରେ ଶ୍ରୀ ପ୍ରଧାନ ସମ୍ବଲପୁରରେ ଦେବଦମ୍ପତ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଅନନ୍ୟ ପର୍ବ ଶୀତଳ ଷଷ୍ଠୀ ପର୍ବରେ ସାମିଲ ହେବା ପାଇଁ ରାଜ୍ୟ ଏବଂ ଦେଶବାସୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ସେ ଆହୁରି କହିଛନ୍ତି, ସମ୍ବଲପୁର ସହରକୁ ଏକ ବୃହତ୍ ମହାନିଗମ ନିଗମରେ ପରିଣତ କରିବା ପାଇଁ ଆମ ସରକାର ଅଙ୍ଗିକାରବଦ୍ଧ ।