ଚାନ୍ଦବାଲି,୨୫/୦୫: ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ଦିଗ ପରିବର୍ତ୍ତନକୁ ନେଇ ବିଜେପି-ବିଜେଡ଼ି ମୁଁହାମୁହିଁ । ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିଥିଲେ ନବୀନ ସରକାର ଏବେ ଛଡେଇ ନେବାକୁ ବସିଛନ୍ତି ମୋହନ ସରକାର । ତେବେ ଏଭଳି କିଛି ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା ,ଚାନ୍ଦବାଲି ବ୍ଲକର ତେନ୍ତୁଳିଡିହ ପଞ୍ଚାୟତ ଅନ୍ତର୍ଗତ କମ୍ବଳପୁର ଗ୍ରାମବାସୀ ।
ସୂଚନା ମୁତାବକ ଉକ୍ତ ଗ୍ରାମରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଗାଁକୁ ସବୁଦିନିଆ ରାସ୍ତା ନ ଥିଲା । ବିଛିନ୍ନାଚଳ ଭବେ ପରିଚିତ ଉକ୍ତ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିଥିଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ଦାବିକୁ ରକ୍ଷା କରି ପୂର୍ବ ସରକାରଙ୍କ ସମୟରେ ଉକ୍ତ ଗ୍ରାମ ସହ ନିକଟସ୍ଥ କିଛି ଗ୍ରାମକୁ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ପାଞ୍ଚ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରାୟ ୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ଯାହାକୁ ୨୦୨୪ ମସିହା ମାର୍ଚ୍ଚ ୭ତାରିଖ ଦିନ ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ ଶିଳାନ୍ୟାସ କରିଥିଲେ । ଏବେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମାତ୍ର ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ରାସ୍ତା ନିର୍ମାଣ ନ କରି ରାଜନୈତିକ ଉଦେଶ୍ୟରେ ରାସ୍ତା ନିର୍ମାଣ କରିବା ପାଇଁ ମସୁଧା ଚଳାଇଛନ୍ତି ଶାସକ ଦଳର ଜଣେ ଠିକାଦାର । ଯଦି ରାସ୍ତାରେ ଦିଗ ପରିବର୍ତ୍ତନ ହୁଏ ତେବେ କମ୍ବଳପୁର ଗ୍ରାମବାସୀ ରାସ୍ତାରୁ ବଞ୍ଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି । ଯାହାକୁ ବିରୋଧ କରିଛନ୍ତି ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ବିଜେଡ଼ି ନେତା ।
କମ୍ବଳପୁର ଗ୍ରାମକୁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରି ରଖିବା ପାଇଁ ବିଜେପି ହୀନ ଚକ୍ରାନ୍ତ କରୁଛି ବୋଲି ଅଭିଯୋଗ କରିଛି ବିଜେଡ଼ି । ଯଦି ପୂର୍ବ ନିର୍ଦ୍ଧାରିତ ସ୍ଥାନ ଅନୁସାରେ ରାସ୍ତା ନିର୍ମାଣ କରାନଯାଏ ତେବେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ରାସ୍ତା ପୂର୍ବ ନିର୍ଦ୍ଧାରିତ ସ୍ଥାନ ଅନୁସାରେ ହେବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।