ନୀଳଗିରି, ୨୫।୫: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଶିକାରୀ ଗୁଳିରେ ଫରେଷ୍ଟଗାର୍ଡ ପ୍ରହ୍ଲାଦ ପ୍ରଧାନଙ୍କ ମୃତ୍ୟୁ ଘଟଣା । ଏବେ ଆକ୍ସନ ମୋଡ୍ରେ ବନବିଭାଗ । ଢେଙ୍କାନାଳ ପରଜଙ୍ଗରେ ଥିବା ପ୍ରହ୍ଲାଦ ନୀଳଗିରିର କୂଳଡ଼ିହା ରେଞ୍ଜର ଦାୟିତ୍ୱରେ ଥିବା ଏସିଏଫ୍ ସୁବ୍ରତ ବେହେରାଙ୍କ ପାଖରେ ଫରେଷ୍ଟଗାର୍ଡ ଭାବେ କାମ କରୁଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ଏସିଏଫ୍ ଏବେ ଆକ୍ସନ ମୋଡ୍କୁ ଆସିଛନ୍ତି ।
ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟ ଚେମଚଟା ବିଟ୍ ଅଞ୍ଚଳରେ ଆତର୍କିତ ଚଢ଼ାଉ କରି ଗୋଟିଏ ଦେଶୀ ବନ୍ଧୁକ,ମାରଣାସ୍ତ୍ର ଓ କୁଟୁରା ସିଙ୍ଗ ସହ ୫ଜଣ ଶିକାରୀ ଗିରଫ କରିବାରେ ସଫଳ ହୋଇଛନ୍ତି । କୂଳଡ଼ିହା ଅଭୟାରଣ୍ୟ ଭିତରେ ଚେମଚଟା ବିଟ୍ ଅଧୀନ ଜଙ୍ଗଲରେ ଶିକାରୀମାନେ ଟ୍ରାପ୍ କ୍ୟାମେରା ଚୋରି ସମୟରେ ଅନ୍ୟ ଏକ ଗୁପ୍ତ କ୍ୟାମେରାରେ ତାଙ୍କର ମୁହଁ କଏଦ୍ ହୋଇଥିଲା । ଏନେଇ କୂଳଡ଼ିହା ବନବିଭାଗ ତାଙ୍କୁ ଚିହ୍ନଟ କରି ଗିରଫ କରିଛି ।
ଗତକାଲି ରାତିରେ ଶ୍ରୀ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଅତର୍କିତ ଚଢ଼ାଉ କରିବା ପରେ ୫ଜଣ ଶିକାରୀଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ଗୁଳିଭର୍ତ୍ତି ଗୋଟିଏ ବନ୍ଧୁକ, ଧନୁତୀର, ତାରରେ ନିର୍ମିତ ଫାଶ ଓ ଗୋଟିଏ କୁଟାରୀ ଶିଙ୍ଗ ଜବତ କରିଛନ୍ତି । ଗିରଫ ଶିକାରୀ ମଧ୍ୟରୁ ୪ଜଣ ଔପଦା ଥାନା ଅଞ୍ଚଳର ଓ ଜଣେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ କୂଳଡ଼ିହାକୁ ଶିକାରୀ ମୁକ୍ତ କରିବା ନେଇ ପ୍ରୟାସ ଚାଲିଥିବା ଏସିଏଫ୍ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।