ବାଉଁଶୁଣୀ,୨୫/୫ : ବୌଦ୍ଧ ଜିଲ୍ଲା ବାଉଁଶୁଣୀରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି । ହେଲେ ପୁଲିସ ପ୍ରଶାସନ ଏହାର ସମାଧାନ ଦିଗରେ କିଛି ପଦକ୍ଷେପ ନେଉ ନ ଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ପ୍ରକାଶ ଯେ, ବାଉଁଶୁଣୀ ଅଞ୍ଚଳ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ । ଏହି ବଜାର ଉପରେ ୧୦ଟି ପଞ୍ଚାୟତର ଲୋକ ନିର୍ଭର କରନ୍ତି । ଦିନକୁ ଦିନ ଦୋକାନ ବଜାର ବଢିବା ସହ ଯାନବାହାନ ବଢ଼ିବାରେ ଲାଗିଛି । ଅନେକ ସମୟରେ ବାଉଁଶୁଣୀ ଛକ, ଗୁନ୍ଦୁଳିଆ ରୋଡ଼, ଥାନା ରୋଡ଼ରେ ଟ୍ରାଫିକ ସମସ୍ୟା ଦେଖାଦେଉଛି।
ବାରମ୍ବାର ବାଉଁଶୁଣୀ ଛକ ଉପରେ ଗାଡ଼ି ମୋଟର ଜାମ୍ ହେଉଛି । ତଥାପି କୌଣସି ପ୍ରତିକାର କରାଯାଉନାହିଁ। ପ୍ରତ୍ୟେକ ଦିନ ଛୋଟରୁ ବଡ଼ ସ୍କୁଲ ପିଲାମାନେ ପାଠ ପଢ଼ିବାକୁ ଯାତାୟାତ କରୁଛନ୍ତି । ବାଉଁଶୁଣୀ ଛକର ଉଭୟ କଡ଼ରେ ଥିବା ଦୋକାନ ଗୁଡିକ ସମ୍ମୁଖରେ ଲୋକମାନେ ରାସ୍ତା ଉପରେ ଗାଡ଼ି ରଖି ଦେଉଛନ୍ତି। ଛକ ଉପରେ ବାଉଁଶୁଣୀ ପୋଲିସ ପକ୍ଷରୁ ଏକ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି, ହେଲେ ସେହି କର୍ମଚାରୀ ଗହଳିକୁ ନିୟନ୍ତ୍ରଣ ନ କରି ଏ ଦୋକନ ସେ ଦୋକାନରେ ବସି ତାଙ୍କ ଡିୟୁଟି ସାରି ଦେଉଥିବା ନଜିର ହେଉଛି । ଏହା ସହିତ ଦିନ ୯ଟାଠାରୁ ଦିନ ୧ଟା ପର୍ଯ୍ୟନ୍ତ ବାଉଁଶୁଣୀ ଛକରେ ଜନ ଗହଳି ରହୁଛି । ହେଲେ ପୋଲିସ କର୍ମଚାରୀମାନେ ୧୧.୩୦ ହେଇଗଲେ ଏକ ସେଲଫି ଫଟୋ ଗୃପରେ ପଠାଇ ଘରକୁ ଚାଲି ଯାଉଛନ୍ତି। ବାଉଁଶୁଣୀରେ ପାଟ୍ରୋଲିଂ ମଧ୍ୟ ହେଉନାହିଁ। ବିଜାପଦରଠାରେ ଥିବା ୪ଟି ବେଆଇନ କ୍ରସର ଗୁଡ଼ିକର ଗାଡି ଏହି ରାସ୍ତା ଦେଇ ଯିବା ଆସିବା ଯୋଗୁଁ ପ୍ରତ୍ୟେକ ସମୟରେ ରାସ୍ତା ଜାମ ରହୁଥିବା ନଜିର ହେଉଛି । ଏଣୁ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଟ୍ରାଫିକ ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।