ମନମୁଣ୍ଡା,୨୫/୫ : ୧୯୬୪ମସିହାରେ ତଥା ଆଜକୁ ୬୦ବର୍ଷ ତଳେ ସ୍ଥାପିତ ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବିକୁ ସମର୍ଥନ ଜଣାଇଛନ୍ତି ମନମୁଣ୍ଡା ତଥା କଣ୍ଟାମାଳ ବ୍ଲକ ଅଞ୍ଚଳବାସୀ । ଏହି ଐତିହାସିକ ମହାବିଦ୍ୟାଳୟ ଶିକ୍ଷାଦାନ ଓ ମେଧାବୀ ଛାତ୍ରଛାତ୍ରୀ ଗଢିବାରେ ବେଶ ସୁନାମ ରହିଛି ଓ ଏହାର ଅନୁଶାସନ ବିଶ୍ଵବିଦ୍ୟାଳୟ ସ୍ତରରେ ସୁଖ୍ୟାତି ମଧ୍ୟ ରହି ଆସିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏଠାରେ ସ୍ନାତକୋତ୍ତର ବିଭାଗ ଖୋଲି ନ ଥିବାବେଳେ ଅଦ୍ୟାବଧି ସରକାରୀ ମାନ୍ୟତା ପାଇ ନାହିଁ । ଏହି ମହାବିଦ୍ୟାଳୟରେ କେବଳ ସୁବର୍ଣ୍ଣପୁର ଜିଲ୍ଲା ନୁହଁ ବରଂ ପଡୋଶୀ ମନମୁଣ୍ଡା ତଥା କଣ୍ଟାମାଳ ବ୍ଲକ ଅଞ୍ଚଳର ଛାତ୍ରଛାତ୍ରୀ ନିର୍ଭର କରିଥାନ୍ତି।
ଏହି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି ନେଇ ଆଜି ପୁରାତନ ଛାତ୍ରଛାତ୍ରୀଙ୍କ ଏକ ମହା ଅଧିବେଶନ କଲେଜ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ନିମନ୍ତ୍ରଣକ୍ରମେ ମନମୁଣ୍ଡା ତଥା କଣ୍ଟାମାଳ ବ୍ଲକ ଅଞ୍ଚଳର ଏହି ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ସାମ୍ବାଦିକ ବୈଦ୍ୟନାଥ ହୋତା, ସ୍ଵାଧୀନ ମେହେର, ରତନ ପଟ୍ଟନାୟକ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ବଲପୁର ମଣ୍ଡଳ ମୁଖ୍ୟ ଅଜିତ ମେହେର, ଗତ ନିର୍ବାଚନରେ କଣ୍ଟାମାଳ କଂଗ୍ରେସ ବିଧାୟକ ପ୍ରାର୍ଥୀ ସରୋଜ ପ୍ରଧାନ, ଆମ୍ବଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ପଣ୍ଡା, ଧୋବେଇ ଚରଣ ମହାପାତ୍ରଙ୍କ ସମେତ ଅନେକ ପୁରାତନ ଛାତ୍ରଛାତ୍ରୀ ଆଜି ଉକ୍ତ ଅଧିବେଶନରେ ଯୋଗଦେଇ ଦାବି ପ୍ରତି ସମର୍ଥନ ଜଣାଇଥିଲେ।
ମନମୁଣ୍ଡା - କଣ୍ଟାମାଳ ଅନ୍ୟ ଜିଲ୍ଲାର ହେଲେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟବସାୟ ଏବଂ ସାମାଜିକ, ସାଂସ୍କୃତିକ ଇତ୍ୟାଦି କ୍ଷେତ୍ରରେ ସୋନପୁର ସହ ଓତପ୍ରୋତଃ ଭାବେ ଜଡ଼ିତ। ତେଲ ନଦୀ ଓ ଉଭୟ ପାର୍ଶ୍ଵରେ ରହିଥିବା ମନମୁଣ୍ଡା - ସୋନପୁର ଦ୍ଵେତ ସହର ହୋଇ ରହିଛି। ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା, ସ୍ନାତକୋତ୍ତର ବିଭାଗ ଖୋଲିବା ଏପରିକି ଏହାକୁ ସ୍ଵୟଂଶାସିତ ମହାବଦ୍ୟାଳୟ କରାଯିବା ପର୍ଯ୍ୟନ୍ତ ସମର୍ଥନ ରହିବ ଓ ଆବଶ୍ୟକ ପଡ଼ିଲେ ଗଣ ଆନ୍ଦୋଳନରେ ଝାସ ଦିଆଯିବ ବୋଲି ମନମୁଣ୍ଡା ଅଞ୍ଚଳର ପୁରାତନ ଛାତ୍ରମାନେ ମତବ୍ୟକ୍ତ କରିଥିଲେ।