ଧର୍ମଶାଳା, ୨୪/୦୫ : ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମିଳୁନି ବିଶ୍ରାମ। ଅକାରଣରେ ରାଜରାସ୍ତାରେ ଯାଉଛି ଜୀବନ। ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ରଥିଆ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। କଟକରେ ରୋଗୀ ଛାଡ଼ି ଫେରିବା ବେଳେ ଆମ୍ବୁଲାନ୍ସଟି ଏକ କଣ୍ଟେନରକୁ ପଛପଟୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର୍ ଓ ଅନ୍ୟ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ଧର୍ମଶାଳା ଥାନା ଅଞ୍ଚଳରେ କାର୍ଯ୍ୟ କରୁଥିବା ଆମ୍ବୁଲାନ୍ସ ଶୁକ୍ରବାର ରୋଗୀ ନେଇ କଟକ ମେଡ଼ିକାଲ ଯାଇଥିଲା। ବିଳମ୍ବିତ ରାତିରେ ରୋଗୀଙ୍କୁ ଛାଡ଼ି ଫେରୁଥିଲେ। ରାତି ପ୍ରାୟ ୨ଟା ବେଳେ ରଥିଆ ପେଟ୍ରୋଲ ପମ୍ପ ନିକଟରେ ଆମ୍ବୁଲାନ୍ସଟି ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କଣ୍ଟେନରକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହେଲପର ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର କୈଳାସ ପଣ୍ଡା ଓ ଇଏମଟି ତାପସ ପାତ୍ର ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଧର୍ମଶାଳା ମେଡ଼ିକାଲକୁ ପ୍ରାଥମିକ ଚିକିତ୍ସା ନିମନ୍ତେ ନିଆଯାଇଥିଲା। ପରେ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ସମ୍ଭବତଃ ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ପୁଲିସ ଆମ୍ବୁଲାନ୍ସକୁ ଜବତ କରି ତଦନ୍ତ ଜାରି ରଖିଛି।
ସୂଚନା ଥାଉକି, ଦଶରଥପୁରର ଏହି ୧୦୮ ଆମ୍ବୁଲାନ୍ସଟି ଦିନରେ ୬ଟି ରୋଗୀ ସେବା ଦେବା ପରେ ସନ୍ଧ୍ୟାରେ ରୋଗୀକୁ କଟକରେ ଛାଡି ଫେରିଲା ବେଳେ ଦୁର୍ଘଟଣା ଘଟିଛି। ଡ୍ରାଇଭରମାନଙ୍କୁ ବିଶ୍ରାମ ପାଇଁ ସମୟ ମିଳୁନଥିବାରୁ ଏପରି ଦୁର୍ଘଟଣା ଘଟୁଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ତେଣୁ କର୍ମଚାରୀମାନଙ୍କୁ ଶ୍ରମ ନିୟମାନୁସାରେ କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ଦାବି ହୋଇଛି।
ଏହି ଖବରଟିକୁ ପଢନ୍ତୁ-ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର