ପ୍ରମୂଖ ଖବର
  • ରାଜଧାନୀରେ ସମାଜସେବୀଙ୍କୁ ଗୋଡ଼ାଇ ହାଣିଲେ, ଆତଙ୍କ ଖେଳାଇଲେ ଦୁର୍ବୃତ୍ତ: ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସରେ ଭର୍ତ୍ତି
  • ||
  • କାର ଧକ୍କାରେ ଆଇକନିକ୍‌ ଟ୍ରାଫିକ୍‌ ପୋଷ୍ଟ ଛିନ୍‌ଛତ୍ର, ମହିଳାଙ୍କ ସମେତ ୩ ଆହତ
  • ||
  • ସ୍ୱାମୀକୁ ଗଛରେ ବାନ୍ଧି ପତ୍ନୀଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟି ନେଲେ ସୁନା ଗହଣା
  • ||
  • ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତ, ୪୨ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ, ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ
  • ||

ସ୍ୱାମୀକୁ ଗଛରେ ବାନ୍ଧି ପତ୍ନୀଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟି ନେଲେ ସୁନା ଗହଣା

କୋରାପୁଟ/ନନ୍ଦପୁର,୦୫/୧୧: ବୀଭତ୍ସ, ହୃଦୟ ବିଦାରକ, ଛାତି ଥରାଇଦେଲା ଭଳି ଅଘଟଣ । ସ୍ୱାମୀଙ୍କୁ ନିସ୍ତୁକ ପିଟିଲେ,  ଗଛରେ ବାନ୍ଧିଦେଲେ । ପତ୍ନୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ପତ୍ନୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଅଚେତ୍‌ ଅବସ୍ଥାରେ ସ୍ୱାମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛି ପୁଲିସ । ସୋମବାର ରାତି ପ୍ରାୟ ସାଢ଼େ ୭ଟାରୁ ୮ଟା  ଭିତରେ ଏଭଳି ଅମାନୁଷିକ ଘଟଣା ଘଟିଛି ଲମତାପୁଟ ବ୍ଲକ୍‌  କୁମ୍ଭାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ରାସ୍ତାରେ ।  

ମୃତା ମହିଳା ହେଲେ ସାବିତ୍ରୀ ଖରା । ସ୍ୱାମୀ ମହେନ୍ଦ୍ର ଖରା । ସୋମବାର ଏହି ଦମ୍ପତି କୌଣସି କାମରେ ନନ୍ଦପୁର ବ୍ଲକ୍‌  ଯାଇଥିଲେ । ସେଠାରେ କାମ ସାରି ଉଭୟ ବାଇକ୍‌ ଯୋଗେ  ଫେରୁଥିଲେ । ବାଟରେ ୪ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ । ହଣ୍ଡାଲତୋଟା ନିକଟରେ ରାସ୍ତାରେ ଦୁର୍ବୃତ୍ତମାନେ ଏହି ଦମ୍ପତିଙ୍କୁ  ଅଟକାଇବା ପରେ ଅଚାନକ ମହେନ୍ଦ୍ରଙ୍କୁ ଠେଙ୍ଗାରେ ଆକ୍ରମଣ  କରିଥିଲେ । ପ୍ରବଳ ମାଡ଼ ମାରି ମହେନ୍ଦ୍ରଙ୍କୁ ଗଛରେ ବାନ୍ଧି  ଦେଇଥିଲେ । ମହେନ୍ଦ୍ର ନିସ୍ତେଜ ଅବସ୍ଥାରେ ଝୁଲି ରହିଥିଲେ । ଏହାପରେ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ମାଡ଼ ମାରିଥିଲେ। ଏପରିକି  ସାବିତ୍ରୀଙ୍କୁ ସେମାନେ ଅସଦାଚରଣ କରିଥିବା ମଧ୍ୟ ସ୍ଥାନୀୟ ଲୋକେ  ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତଙ୍କ ଶକ୍ତ ମାଡ଼ରେ ସାବିତ୍ରୀଙ୍କ ସେଠାରେ  ମୃତ୍ୟୁ ହୋଇଥିଲା । ଏହାପରେ ଦୁର୍ବୃତ୍ତମାନେ ତାଙ୍କର ସମସ୍ତ ସୁନା  ଅଳଙ୍କାର, ଟଙ୍କା ଆଦି ଲୁଟି ନେଇଥିଲେ । ଅସଦାଚରଣ ସମ୍ପର୍କରେ  ପୁଲିସ ସ୍ପଷ୍ଟ କରିନି । ତଦନ୍ତ ପରେ ଏ ସମ୍ପର୍କରେ ସ୍ପଷ୍ଟ ହେବ । ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା  ପୁଲିସ । ସଂଜ୍ଞାହୀନ ଅବସ୍ଥାରେ ଥିବା ମହେନ୍ଦ୍ରଙ୍କୁ ତୁରନ୍ତ ନନ୍ଦପୁର  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ  ପଠାଇଥିଲା । ସେଠାରେ ଚିକିତ୍ସା ପରେ ମହେନ୍ଦ୍ରଙ୍କ ଚେତା  ଫେରିଥିଲା । ଏହାପରେ ସେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ କହିଥିଲେ । ପୁଲିସ ଘଟଣାସ୍ଥଳରୁ ଶବ ଜବତ କରିଛି । ମଙ୍ଗଳବାର ମୃତା ସାବିତ୍ରୀଙ୍କ ଶବ ବ୍ୟବଚ୍ଛେଦ କରାଯିବ । ମହେନ୍ଦ୍ର ଉକ୍ତ  ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ପୁଲିସ ଦୁର୍ବୃତ୍ତମାନଙ୍କୁ  ଧରିବା ପାଇଁ ଅନୁସନ୍ଧାନ ଆରମ୍ଭ କରିଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ନନ୍ଦପୁର  ଥାନା ଆଇଆଇସି ପାଣ୍ଡବ ଶବର ଏବଂ ସହକାରୀ  ଥାନା ଅଧିକାରୀ ମମତା ପଣ୍ଡା । ଦୁର୍ବୃତ୍ତଙ୍କୁ ତୁରନ୍ତ  ଗିରଫ କରିବା ସହ ସେମାନଙ୍କ ବିରୋଧରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇଛି । ଏଭଳି ଅମାନବୀୟ ଘଟଣା ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇ ଦେଇଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.