ଗ୍ରୀଷ୍ମ ଋତୁରେ ଶରୀରକୁ ଅଧିକ ଶକ୍ତିର ଆବଶ୍ୟକତା ପଡ଼ିଥାଏ। ତେଣୁ ଏହି ଦିନରେ ଆମକୁ ଆମର ଖାଦ୍ୟପେୟର ବିଶେଷ ଧ୍ୟାନ ଦେବା ଉଚିତ୍ । ଯାହାଦ୍ବାରା ଆମ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଶକ୍ତି ମିଳିବା ସହ ଆମେ ଦିନି ସାରା ନିଜକୁ ହାଇଡ଼୍ରେଟ ରଖୁ । ଡାଏଟିସିଆନଙ୍କ ମତରେ ଅନେକ ସମୟରେ ଆମେ ଅତ୍ୟଧିକ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଉ, ଯାହା ଫଳରେ ଆମର ପାଚନ କ୍ରିୟା ଧୀର ହୋଇଯାଏ। ଏହା ମେଟାବୋଲିଜିମକୁ ମଧ୍ୟ ପ୍ରଭାବିତ କରେ। କେଣୁ ଗ୍ରୀଷ୍ମ ଦିନରେ ନିଜକୁ ହାଇଡ଼୍ରେଟ ରଖିବା ପାଇଁ ଆପଣଙ୍କୁ ଆପଣଙ୍କ ଖାଦ୍ୟରେ କିଛି ବିଶେଷ ଜିନିଷ ସାମିଲ କରିବା ଉଚିତ। ଯାହାକୁ ଖାଇବା ଦ୍ୱାରା ଆପଣ ସାରା ଦିନ ସକ୍ରିୟ ରହିବେ। ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ...
ଦହି: ଗ୍ରୀଷ୍ମ ଋତୁରେ ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ଦହିରେ ପ୍ରୋବାୟୋଟିକ୍ସ ଥାଏ, ଯାହା ପାଚନକ୍ରିୟାକୁ ସୁସ୍ଥ ରଖେ। ଏହା ସହିତ ଦହି ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ। ଆପଣ ଏହାକୁ ଲସି କିମ୍ବା ରାଇତା ଆକାରରେ ମଧ୍ୟ ଖାଇପାରିବେ । ଯାହା ଶରୀରକୁ ଶକ୍ତି ଦେବା ସହିତ ପେଟକୁ ଥଣ୍ଡା ରଖେ।
ଭିଜା ବାଦାମ: ଭିଜା ବାଦାମ ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରେ। ଏଗୁଡ଼ିକ ସହଜରେ ହଜମ ମଧ୍ୟ ହୁଏ। ବାଦାମରେ ପ୍ରୋଟିନ୍, ଫାଇବର ଏବଂ ଭିଟାମିନ୍ ଇ ଭଳି ପୋଷକ ତତ୍ତ୍ୱ ରହିଛି। ଏହାକୁ ଭିଜାଇ ଖାଇବା ଦ୍ୱାରା, ବାଦାମରେ ଥିବା ଏନଜାଇମ ସକ୍ରିୟ ହୋଇଥାନ୍ତି ।
ମୁଗଡାଲି ସାଲାଡ଼: ଗ୍ରୀଷ୍ମ ଋତୁରେ ମୁଗଡାଲି ସାଲାଡ଼ ଏକ ଭଲ ଏବଂ ହାଲୁକା ଖାଦ୍ୟ ବିକଳ୍ପ। ମୁଗଡାଲିରେ ପ୍ରୋଟିନ, ଫାଇବର ଏବଂ ଖଣିଜ ପଦାର୍ଥ ଥାଏ । ଯାହା ଶରୀରକୁ ଆବଶ୍ୟକୀୟ ପୁଷ୍ଟିସାର ଯୋଗାଇଥାଏ। ଏହାକୁ କାକୁଡି, ଟମାଟୋ, ଲେମ୍ବୁ ଏବଂ କଞ୍ଚା ଲଙ୍କା ସହିତ ମିଶାଇ ଖାଇବା ଦ୍ୱାରା ଏହା ଏକ ଉତ୍ତମ ସାଲାଡ ହୋଇଥାଏ, ଯାହା କେବଳ ଶରୀରକୁ ହାଇଡ଼୍ରେଟ ରଖେନି ବରଂ ଶରୀରକୁ ଶକ୍ତି ମଧ୍ୟ ପ୍ରଦାନ କରେ।
କଦଳୀ: କଦଳୀରେ ପ୍ରାକୃତିକ ଚିନି ଏବଂ ଫାଇବର ଥାଏ। ଗ୍ରୀଷ୍ମ ଋତୁରେ ଜଳଖିଆରେ ଦୁଇଟି କଦଳୀ ଖାଇବା ଉଚିତ୍। ଏହା ଆପଣଙ୍କୁ ତୁରନ୍ତ ଶକ୍ତି ଦେବା ପାଇଁ କାମ କରେ। ଏଥିରେ ଥିବା ଭିଟାମିନ୍ ବି୬ ଶରୀରରେ ସେରୋଟୋନିନ୍ ସ୍ତର ବୃଦ୍ଧି କରି ମନୋଭାବକୁ ଉନ୍ନତ କରିବାରେ ସାହାଯ୍ୟ କରେ।