ପ୍ରମୂଖ ଖବର

ହାଇକୋର୍ଟ ଓକିଲରୁ ଉପମୁଖ୍ୟମନ୍ତ୍ରୀର ଯାତ୍ରା: ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୧୧/୦୬: ଜୁନ୍‌ ୧୧ ତାରିଖ ସୋମବାର ବିଜେପି ବିଧାୟକ ଦଳ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। କେନ୍ଦୁଝର ସଦର ଆସନରୁ ବିଧାୟକ ହୋଇଥିବା ମୋହନ ମାଝୀଙ୍କୁ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିବା ବେଳେ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହ ଦେଓ ଉପମୁଖ୍ୟମନ୍ତ୍ରୀ ଭାବେ ମନାନିତ କରାଯାଇଛି। 

ମଙ୍ଗଳବାର ବିଜେପି ବିଧାୟକ ଦଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି ଘୋଷଣା କରିଛନ୍ତି।  ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ପୁରୀ ନିମାପଡ଼ା ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରଭାତୀ। ସେ ତାଙ୍କ ନିକଟତର ପ୍ରତିଦ୍ୱନ୍ଦୀ ବିଜେଡିର ଦିଲ୍ଲୀପ କୁମାର ନାୟକଙ୍କୁ ପାଖାପାଖି ୪,୫୮୮ ଖଣ୍ଡ ଭୋଟ୍‌ରେ ପରାଜିତ କରିଥିଲେ। ତାଙ୍କ ବିଜୟ ଯାତ୍ରାରେ ସମୀର ଦାଶଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବା କୁହାଯାଉ‌ଥିଲା। 

ପ୍ରଭାତୀ ପରିଡ଼ା ୧୯୯୫ ମସିହାରେ ଉତ୍କଳ ୟୁନିଭର୍ସିଟିରୁ ଏଲ୍ଏଲ୍‌ବି ପାସ୍ କରିବା ପରେ ସେହି ବର୍ଷ ଓଡ଼ିଶା ହାଇକୋର୍ଟରେ ଆଡ୍‌ଭୋକେଟ୍ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ୨୦୦୫ ମସିହାରେ ସେ ଉତ୍କଳ ୟୁନିଭର୍ସିଟିରେ ପବ୍ଲିକ ଆଡ୍ମିନିଷ୍ଟ୍ରେସନ୍‌ରେ ସ୍ମାତକୋତ୍ତର ପାସ୍‌ କରିଥିଲେ। ପ୍ରଭାତୀ ପରିଡ଼ା ଶ୍ୟାମ ସୁନ୍ଦର ନାୟକଙ୍କୁ ବିବାହ କରିଛନ୍ତି। ଶ୍ୟାମ ସୁନ୍ଦର ପୂର୍ବରୁ ସରକାରୀ ଚାକିରି କରିଥିଲେ। ତାଙ୍କର ସ୍ବତନ୍ତ୍ର ବ୍ୟବାସାୟ ମଧ୍ୟ ରହିଛି। 

କହିରଖୁଛୁ ଯେ, ରାଜ୍ୟକୁ ୨୫ ବର୍ଷ ପରେ ପୁଣି ଉପ ମୁଖ୍ୟମନ୍ତ୍ରୀ ମିଳିଛି । ଓଡିଶାରେ ଶେଷଥର ପାଇଁ ୧୯୯୯ ମସିହାରେ ବସନ୍ତ ବିଶ୍ୱାଳ ଥିଲେ ଉପ ମୁଖ୍ୟମନ୍ତ୍ରୀ । ସେ ଓଡିଶାର ଶେଷ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ । ଓଡିଶା ଇତିହାସରେ ୩ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ନୀଳମଣୀ ରାଉତରାୟ ଉପମୁଖ୍ୟମନ୍ତ୍ରୀ ରହିଥିଲେ। ସେହିପରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ହେମାନନ୍ଦ ବିଶ୍ୱାଳ ଓ ବସନ୍ତ ବିଶ୍ୱାଳ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ । ତେବେ ୨୫ ବର୍ଷ ପରେ ଏବେ ପୁଣିଥରେ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ ପାଇଛି ।

 

 

 

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.