ଖଲ୍ଲିକୋଟ, ୨୧/୧୨: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଅଦିନିଆ ବର୍ଷା ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଗତ ଦୁଇ ଦିନ ଧରି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବିଶେଷ କରି ପ୍ରଭାବିତ ହୋଇଛନ୍ତି ଚାଷୀ । ଏହି ଅଞ୍ଚଳର କେତେକ ସ୍ଥାନରେ ଧାନ କଟା ହୋଇ ଜମିରେ ଗଦା ମରା ହୋଇଛି ତ ଆଉ କେତେକ ଜମିରେ ଧାନ କଟା ସରିନି । ଏଭଳି ସ୍ଥିତିରେ ଚାଷୀଙ୍କ ଉପରେ ଦାଉ ସାଧୁଛି ଲଗାଣ ବର୍ଷା ।
ବର୍ଷା ଯୋଗୁଁ ଧାନ ଆଉ ଖଳାକୁ ନେବା ସମ୍ଭବ ହୋଇ ନଥିବା ବେଳେ ବିଲରେ ପାଣି ଲହଡାରେ ବୁଡି ରହିଛି ଧାନ । ବର୍ଷା ଛାଡିବା ପରେ ଏହା ଗଜା ହୋଇ ଯିବା ସହ କଳା ପଡିଯିବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ଚଳିତ ବର୍ଷ ଭଲ ଧାନ ଫସଲ ହୋଇଥିବା ବେଳେ ଏହାକୁ ମଣ୍ଡିରେ ବିକ୍ରି କରି ଚାଷୀମାନେ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା କରିଥିଲେ । ହେଲେ ଅଦିନିଆ ବର୍ଷା ଚାଷୀମାନଙ୍କର ସବୁ ଆଶାକୁ ମଉଳେଇ ଦେଇଛି । ସେହିପରି ପନିପରିବା ଚାଷ ମଧ୍ୟ ବ୍ୟାପକ କ୍ଷୟ କ୍ଷୟି ହୋଇଛି । ବିଶେଷ କରି କୋବି ଚାଷୀ ମାନେ ଅଧିକ କ୍ଷତିର ସମ୍ମୁଖିନ ହୋଇଛନ୍ତି ।