ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଓଡ଼ିଶାରେ ଲଗାମଛଡ଼ା ‘ଶିଳାବତୀ’ ଚାଷ, ଟନ୍‌ ଟନ୍‌ ଚାଲାଣ

Published By : Prameya | December 9, 2024 10:16 AM

ଭୁବନେଶ୍ୱର, ୯/୧୨ : ପ୍ରତି ବର୍ଷ ରାଜ୍ୟର ଗଞ୍ଜେଇ ଚାଷ ପ୍ରବଣ ଜିଲ୍ଲା ଗୁଡ଼ିକରେ ଅବକାରୀ ଓ ପୁଲିସ ବିଭାଗ ହଜାର ହଜାର ଏକର ଜମିରୁ ଗଞ୍ଜେଇ ଗଛ କାଟି ପୋଡ଼ୁଛି । ଏହା ସତ୍ତ୍ଵେ ବର୍ଷ ପରେ ବର୍ଷ ଗଞ୍ଜେଇ ଚାଷର ପରିମାଣ ବଢ଼ିବାରେ ଲାଗିଛି। ରାଜ୍ୟରୁ ଶିଳାବତୀ’ଗଞ୍ଜେଇ ଚାଲାଣ ମଧ୍ୟ ବେଲଗାମ୍‌ ଚାଲିଛି। ତେବେ ଯେଉଁ ଜମିରେ ଗଞ୍ଜେଇ ଚାଷ ହେଉଛି ସେଗୁଡ଼ିକର ମାଲିକ କିଏ ଏବଂ କେଉଁ କାରଣରୁ କେବେ ବି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ପ୍ରଶ୍ନ କରୁଛନ୍ତି। ଚଳିତ ବର୍ଷର ଡିସେମ୍ବର ମାସ ହୋଇଗଲାଣି। ଗଜପତି, ମାଲକାନଗିରି, କନ୍ଧମାଳ, ବୌଦ୍ଧ, ରାୟଗଡ଼ା,ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ମୟୁରଭଞ୍ଜ ଆଦି ଜିଲ୍ଲାରେ ମାଫିଆଙ୍କ ଦ୍ୱାରା ହୋଇଥିବା ଗଞ୍ଜେଇ ଚାଷର ଅମଳ ସମୟ ଏବେ। ମାଫିଆଙ୍କ ଟିମ୍‌ ଏବେ ରାଜ୍ୟ ବାହାରର ବେପାରୀଙ୍କୁ ମାସେ ପରେ ନୂଆ ଅମଳ ଗଞ୍ଜେଇ ଟିକେ କମ୍‌ ଦରରେ ଯୋଗାଇ ଦେବା ଲୋଭ ଦେଖାଇ ଅଗ୍ରୀମ ସଂଗ୍ରହ କରିବାରେ ବ୍ୟସ୍ତ। ଏଭଳି ସମୟରେ ଅବକାରୀ ବିଭାଗ ଦଳବଳ ଧରି ଆରମ୍ଭ କରି ଗଞ୍ଜେଇ ଗଛ କାଟ୍‌ ଏବଂ ପୋଡ଼ା ଅଭିଯାନ । 

ଦେଢ଼ ମାସ ଭିତରେ ବିଭିନ୍ନ ଜିଲ୍ଲାରେ ମୋଟ ୬୫୦୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ତଥ୍ୟ କହୁଛି। ଗଞ୍ଜେଇ ନଷ୍ଟ କରିବା ସହ ଅବକାରୀ ବିଭାଗ ପକ୍ଷରୁ କେବଳ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହେଉଛି, ଯାହାକି ଫାଇଲରେ ସୀମିତ। ଏଠାରେ ପ୍ରଶ୍ନ ଉଠୁଛି, କୌଣସି ଘରୁ ନିଶା ଦ୍ରବ୍ୟ ଜବତ ହେଲେ, ଘର ମାଲିକଙ୍କୁ ମଧ୍ୟ ପୁଲିସ କୋର୍ଟକୁ ଟାଣୁଛି। ଏଠାରେ ସମାଜକୁ ବିପଥଗାମୀ କରୁଥିବା ଗଞ୍ଜେଇ ଚାଷ ଖୋଲାଖୋଲି ହେଉଥିବା ବେଳେ ଜମି ମାଲିକଙ୍କୁ ମାଫ୍‌ କାହିଁକି ? 

ପୂର୍ବତନ ଅବକାରୀ କମିଶନର ସୁଦର୍ଶନ ନାୟକଙ୍କ କହିବା ମୁତାବକ, ରାଜ୍ୟରେ ଯେତିକି ଜମିରେ ଗଞ୍ଜେଇ ଚାଷ କରାଯାଉଛି। ସେଥିରୁ ୮୦ ପ୍ରତିଶତ ଜଙ୍ଗଲ ବିଭାଗ ଜମି। ବଳକା ଜମି ରାଜସ୍ୱ ବିଭାଗର। ପାହାଡି଼ଆ ଓ ଦୁର୍ଗମ ଇଲାକା ହିଁ ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ଜଙ୍ଗଲ ଓ ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କ ନାକ ତଳେ ଗଞ୍ଜେଇ ଗଛ ହୃଷ୍ଟପୁଷ୍ଟ ହେଉଥିବା ବେଳେ ସେମାନେ ସବୁ ଦୋଷ କେବଳ ଅବକାରୀ ବିଭାଗକୁ କାହିଁକି ଠେଲୁଛନ୍ତି? ଶ୍ରୀ ନାୟକ କହିଛନ୍ତି, ଜଙ୍ଗଲ ଜମିର ଦାୟିତ୍ୱ ମୁଣ୍ଡାଇଥିବା ଫରେଷ୍ଟ ଗାର୍ଡ କିମ୍ବା ଫରେଷ୍ଟରଙ୍କ ବିନା ଅନୁମତିରେ ଏସବୁ କାରସାଦି ଅସମ୍ଭବ । ଏମିତି ନୁହେଁ ଯେ, ବନଖଣ୍ଡ ସୁରକ୍ଷାରେ ଥିବା ଡିଏଫ୍‌ଓ ବି ନିଜ ଜମିରେ ଗଞ୍ଜେଇ ଚାଷ ହେଉଥିବା ନେଇ ଅଜ୍ଞ ଥିବେ। ସେମାନେ ଜାଣିଶୁଣି ଗଞ୍ଜେଇ ମାଫିଆମାନଙ୍କୁ ପ୍ରଶ୍ରୟ ଦେଉଛନ୍ତି । ନଚେତ୍‌, ନିଜ ଦାୟିତ୍ୱରେ ଥିବା ଜମିରେ ଚାଲିଥିବା ବେଆଇନ୍‌ କାରବାର ଦେଖିବାକୁ ସମୟ ମିଳୁନାହିଁ। ଅବକାରୀ ଓ ପୁଲିସ ବିଭାଗ କାହିଁକି ଜଙ୍ଗଲ ବିଭାଗ ଉପରେ ମାମଲା ରୁଜୁ କରୁନାହାନ୍ତି? କୌଣସି ବନ ଅଧିକାରୀଙ୍କ ଉପରେ ଥରେ କି ଦୁଇଥର କାର୍ଯ୍ୟାନୁଷ୍ଠାନ ନିଆଗଲେ, ସେମାନେ ଚେତିବେ । ସମାନ ଢ଼ଙ୍ଗରେ ରାଜସ୍ୱ ଜମିରେ ଗଞ୍ଜେଇ ଚାଷ ହେଉଥିଲେ, ଉକ୍ତ ସର୍କଲର ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ଦାୟୀ ହେବା ଦରକାର । 

କ୍ରାଇମ୍‌ବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର କହିଛନ୍ତି, ସାରା ଦେଶରେ ଗଞ୍ଜେଇ ଚାଷ ବେଆଇନ୍‌ । କେବଳ ଔଷଧୀୟ ଓ ଶିଳ୍ପାୟନ ପାଇଁ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଚାଷକୁ ଅନୁମତି ଦିଆଯାଇଛି। ବେଙ୍ଗାଲୁରୁ କୋରାମଙ୍ଗଲରେ ଗଞ୍ଜେଇର ଏକ ଔଷଧୀୟ କ୍ଲିନିକ ଖୋଲାଯାଇଛି । ଓଡି଼ଶାରେ ୮୦ ଦଶକ କିମ୍ବା ତା’ପୂର୍ବରୁ ଗଞ୍ଜେଇ ଚାଷ ନେଇ କୌଣସି କଟକଣା ନଥିଲା । ୧୯୮୫ ମସିହାରେ ଅବକାରୀ ଆଇନ୍‌ ଲାଗୁ ହେବା ପରେ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଗଞ୍ଜେଇ ଚାଷ ରୋକିବାକୁ ପ୍ରତିବର୍ଷ ପୁଲିସର ସ୍ୱତନ୍ତ୍ର ଅଭିଯାନ ଚାଲିଛି । ଘଞ୍ଚ ଜଙ୍ଗଲରୁ ଗଞ୍ଜେଇ ଚାଷକୁ ଚିହ୍ନଟ କରିବାରେ ସାଟେଲାଇଟ୍‌ ଇମେଜ ଓ ଡ୍ରୋନ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି । ତଥାପି କିଛି ଚାଷ ଜମି ପୁଲିସ ନଜରରୁ ବର୍ତ୍ତି ଯାଉଛି । ବନ ବିଭାଗର ସହଯୋଗ ବିନା ଗଞ୍ଜେଇ ଚାଷ ନଷ୍ଟ କରିବା ଅସମ୍ଭବ । 

ଅନ୍ୟ ଜଣେ ବରିଷ୍ଠ ଅବକାରୀ ଅଧିକାରୀଙ୍କ କହିବା ଅନୁସାରେ, ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ଜିଲ୍ଲାସ୍ତରରେ ମଲ୍‌ଟି ଡିସିପ୍ଲିନାରୀ ସ୍କ୍ୱାଡ୍‌ (ଏମ୍‌ଡିଏସ୍‌) ଗଢ଼ାଯାଇଛି । କିନ୍ତୁ ଏସବୁ ବିଭାଗ ମଧ୍ୟରେ ସମନ୍ୱୟ ରହୁନି । ବନ ବିଭାଗ କିମ୍ବା ରାଜସ୍ୱ ଅଧିକାରୀମାନେ ଗଞ୍ଜେଇ ଚାଷର ତଥ୍ୟ ଦେବାରେ ପ୍ରାୟତଃ ପଛଘୁଞ୍ଚା ଦେଉଛନ୍ତି । ବିଭାଗୀୟ କାମରେ ବ୍ୟସ୍ତ ଥିବା ସଫେଇ ଦେଉଛନ୍ତି । ଏମିତିକି ପୁଲିସ ଓ ଅବକାରୀ ବିଭାଗର ଏସବୁ ଦାୟିତ୍ୱ ଦର୍ଶାଇ ଗଞ୍ଜେଇ ଗଛ ନଷ୍ଟ ଅଭିଯାନକୁ ଏଡ଼ାଇ ଯାଉଛନ୍ତି । ସେହିପରି ତଳସ୍ତରରେ ଥିବା ଜନ ପ୍ରତିନିଧିମାନେ ମଧ୍ୟ ସରକାରୀ ସମ୍ପତ୍ତି ନଷ୍ଟ କିମ୍ବା ଅପବ୍ୟବହାର ପାଇଁ ଦାୟୀ ରହିବା ଉଚିତ । ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଏମାନଙ୍କର ଏ ଦିଗରେ କାହିଁକି ଉତ୍ତରଦାୟିତ୍ୱ ରହିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଗଞ୍ଜେଇ କାରବାର ରୋକିବା ଦିଗରେ ଅବକାରୀ ଗୁଇନ୍ଦାରେ କାମ କରୁଥିବା ଜଣେ ଅଧିକାରୀ କହିଛନ୍ତି, ସକାଳେ ଜଙ୍ଗଲ ଭିତରକୁ ପଶିଲେ, ଗଞ୍ଜେଇ ଚାଷ ଇଲାକାରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇଯାଉଛି । ପୁଲିସ କିମ୍ବା ଅବକାରୀ କର୍ମଚାରୀ ପୁରା ଜଙ୍ଗଲକୁ ଖେଦି ଚାଷ ଜମି ଚିହ୍ନଟ କରିବା ବାସ୍ତବରେ ଅସମ୍ଭବ । ବନ ବିଭାଗ ତଳିଆ କର୍ମଚାରୀମାନେ ଜଙ୍ଗଲର କୋଣ ଅନୁକୋଣ ଜାଣିଛନ୍ତି । କିନ୍ତୁ ସେମାନଙ୍କଠାରୁ ଠିକଣା ସମୟରେ ସହଯୋଗ ମିଳୁନି।







  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.