ନୂଆଦିଲ୍ଲୀ: ଗୁଜରାଟର ଭଦୋଦରା ଜିଲ୍ଲାରେ ପୋଲ ଭୁଶୁଡ଼ିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ମୃତକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆହତ ମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଆହତ ମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ X ପୋଷ୍ଟ ମାଧ୍ୟମରେ କହିଛନ୍ତି କି,"ଗୁଜୁରାଟର ଭଦୋଦରା ଜିଲ୍ଲାରେ ପୋଲ ଭୁଶୁଡ଼ିବା ଯୋଗୁଁ ପ୍ରାଣହାନି ଅତ୍ୟନ୍ତ ଦୁଃଖଦ। ଯେଉଁ ମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ମୁଁ ଆହତ ମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବ। ସେହିଭଳି ଆହତ ମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବ।
ବାସ୍ତବରେ, ଭଦୋଦରା ଜିଲ୍ଲାରେ ମହିସାଗର ନଦୀ ଉପରେ ନିର୍ମିତ ଏକ ପୋଲ ଭୁଶୁଡ଼ି ପଡ଼ିଥିଲା, ଯାହା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ପୋଲ ଭୁଶୁଡ଼ିବା ଯୋଗୁଁ ୫ ଟି ଗାଡ଼ି ମଧ୍ୟ ତଳକୁ ଖସି ପଡ଼ିଛି। ପୋଲ ଉପରେ ଏକ ଟ୍ରକ ଝୁଲି ରହିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,ଏହି ସେତୁଟି ୧୯୮୫ ମସିହାରେ ନିର୍ମିତ ହୋଇଥିଲା। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।