ନୂଆଦିଲ୍ଲୀ,୨୮/୧୨ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଆଜି (ଶନିବାର) ଅନ୍ତିମ ସଂସ୍କାର ହେବ । ଦିଲ୍ଲୀ ନିଗମବୋଧ ଘାଟରେ ହେବ ଶେଷକୃତ୍ୟ । ପ୍ରଥମେ ପାର୍ଥିବ ଶରୀରକୁ ବାସଭବନରୁ କଂଗ୍ରେସ ମୁଖ୍ୟାଳୟ ନିଆଯିବ । ଏହାପରେ ଶେଷ ଦର୍ଶନ ପରେ ଶୋଭାଯାତ୍ରାରେ ନିଗମବୋଧ ଘାଟ ନିଆଯିବ । ଗତ ଗୁରୁବାର ୯୨ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସଂସ୍କାର ସୁଧାରକ ମନମୋହନ ସିଂହ ।
ଉଦାରୀକରଣର ସ୍ଥପତି ସଂସ୍କାର ସୁତ୍ରଧର ଦେଶର ଆର୍ଥିକ ସୁଧାରର ଜନନାୟକ ତଥା ଦେଶର ପୂ୍ର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଦେଶ ସ୍ତବ୍ଧ ହୋଇଛି । ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ପ୍ରଥମେ ଶୁକ୍ରବାର ଶେଷକୃତ୍ୟ ସମ୍ପର୍ଣ୍ଣ ହେବା ନେଇ ସୂଚନା ମିଳିଥିଲା । ମାତ୍ର ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଶନିବାର ହେବ ବୋଲି ଜଣାପଡିଥିଲା । ପୂର୍ବାହ୍ନ ୧୧ଟା ୪୫ରେ ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । କଂଗ୍ରେସ କାର୍ଯ୍ୟାଳୟରୁ ୯ଟା୩୦ରେ ମହାଯାତ୍ରାରେ ବାହାରିବ ମନମୋହନ ସିଂହ । ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ନେତା ମନ୍ତ୍ରୀ ନିଗନବୋଧ ଘାଟରେ ପହଞ୍ଚିବେ ।
ଗତକାଲି (ଶୁକ୍ରବାର) ମନମୋହନଙ୍କ ପାର୍ଥିବ ଶରୀର ଦିଲ୍ଲୀ ମୋତିଲାଲ ନେହେରୁ ମାର୍ଗରେ ଥିବା ବାସଭବନକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ନେତା ମନ୍ତ୍ରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମନମୋହନଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରିବାରକୁ ସମବେଦାନା ଜଣାଇଥିଲେ ।