ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ (DU)ର ପୂର୍ବତନ ଇଂରାଜୀ ପ୍ରଫେସର ଜିଏନ ସାଇବାବାଙ୍କ ପରଲୋକ । ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ତେବେ ଜିଏନ ସାଇବାବା ୨୦୧୪ରେ ଗିରଫ ହେବା ସହ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ନିଲମ୍ବିତ ହୋଇ ଚର୍ଚ୍ଚାକୁ ଆସିଥିଲେ । ପ୍ରତିବନ୍ଧିତ ସିପିଆଇ ମାଓବାଦୀଙ୍କ ସହ ସଂପର୍କ ଥିବା ଅଭିଯୋଗରେ ୨୦୧୪ରେ ମହାରାଷ୍ଟ୍ର ପୋଲିସ ତାଙ୍କୁ ଗିରଫ କରିଥିଲା । କିନ୍ତୁ ୭ ମାସ ପୂର୍ବେ ସେ ଦୋଷମୁକ୍ତ ହୋଇଥିଲେ ।
୨୦୧୪ ମେ ୯ରେ ଗିରଫ ହେବା ପୂର୍ବରୁ ସାଇବାବା ଦିଲ୍ଲୀ ୟୁନିଭର୍ସିଟିର ରାମ ଲାଲ କଲେଜରେ ଇଂରାଜୀ ପ୍ରଫେସର ଥିଲେ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଆସିଥିଲେ ହେଁ ତାଙ୍କୁ ଦୀର୍ଘ ୭ ବର୍ଷ ଜେଲରେ ରହିବାକୁ ପଡ଼ିଥିଲା । ୨୦୧୭ରେ ଗଢ଼ଚିରୋଲୀ ସେସନ କୋର୍ଟ ସାଇବାବାଙ୍କ ବ୍ୟତୀତ ଅନ୍ୟ ୫ ଅଭିଯୁକ୍ତ, ହେମ ମିଶ୍ର, ମେହଶ ତିର୍କୀ, ବିଜୟ ତିର୍କୀ, ନାରାୟଣ ସାଙ୍ଗଲୀକର, ପ୍ରଶାନ୍ତ ରାହୀ ଏବଂ ପାଣ୍ଡୁ ନାରୋଟେଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଜେଲରେ ରହିବା ସମୟରେ ତାଙ୍କର ୧୪ ଥର ଜାମିନ ଆବେଦନ ଖାରଜ ହୋଇଥିଲା। ଶେଷରେ ଚଳିତବର୍ଷ ବମ୍ବେ ହାଇକୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ ।
ସାଇବାବା ଏବଂ ଅନ୍ୟ ୫ ଜଣଙ୍କୁ ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ନିର୍ଦ୍ଦୋଷରେ ଖଲାସ କରିଥିଲେ । କୋର୍ଟ ତାଙ୍କର ସଶ୍ରମ କାରାଦଣ୍ଡ ରଦ୍ଦ କରିଥିଲେ । ତେବେ ଏହାରି ମଧ୍ୟରେ ଜଣେ ଅଭିଯୁକ୍ତ ପାଣ୍ଡୁ ନାରୋଟେଙ୍କ ମୃତ୍ୟୁ ହୋଇସାରିଛି। ସବୁଠୁ ବଡ଼ କଥା ହେଉଛି, ୧୪ ଅକ୍ଟୋବର ୨୦୨୨ରେ ବମ୍ବେ ହାଇକୋର୍ଟ ତାଙ୍କୁ ଜେଲରୁ ମୁକ୍ତ କରିବାକୁ ଅନୁମତି ଦେଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ଅକ୍ଟୋବର ୧୫ରେ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇ ଦେଇଥିଲେ । ତେଣୁ ସାଇବାବାକୁ ଜେଲରୁ ମୁକୁଳିବା ଲାଗି ଆହୁରି ଅପେକ୍ଷା କରିବାକୁ ପଡ଼ିଥିଲା । ଜେଲରେ ରହିବା ସମୟରେ କିଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେନେଇ ଖୋଲାଖୋଲି କହିଥିଲେ ସାଇବାବା । ଏପରିକି ମାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଜେଲରୁ ଆସିବାକୁ ଅନୁମତି ମିଳିନଥିଲା ।
ସୂଚନାଯୋଗ୍ୟ, ଆନ୍ଧ୍ର ପ୍ରଦେଶର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜିଏନ ସାଇବାବା । ୯୦ ପ୍ରତିଶତ ଶାରୀରିକ ଅକ୍ଷମତା ସତ୍ତ୍ୱେ ସେ ସଫାଳତାକୁ ସ୍ପର୍ଶ କରିବାର ସୁଯୋଗ ପାଇଥିଲେ । ୨୦୦୩ରେ ସେ ଦିଲ୍ଲୀ ଆସିବା ପୂର୍ବରୁ ତାଙ୍କ ପାଖରେ ହ୍ବିଲଚେୟାର କିଣିବାକୁ ମଧ୍ୟ ଟଙ୍କା ନଥିଲା । କିନ୍ତୁ ପାଠ ପଢ଼ାରେ ସବୁବେଳେ ଆଗରେ ରହୁଥିଲେ ସାଇବାବା । ତେବେ ତାଙ୍କର ପ୍ରେମ ବିବାହ ହୋଇଥିଲା ।
ଅଖିଳ ଭାରତୀୟ ପିପୁଲ୍ସ ରେଜିଷ୍ଟାନ୍ସ (ଏଆଇପିଆରଏଫ)ର ଜଣେ କର୍ମୀ ଭାବରେ ସେ କାଶ୍ମୀର ଏବଂ ପୂର୍ବୋତ୍ତରରେ ମୁକ୍ତି ଆନ୍ଦୋଳନ ସମର୍ଥନରେ ଦଳିତ ଏବଂ ଆଦିବାସୀଙ୍କ ଅଧିକାର ପାଇଁ ପ୍ରଚାର କରୁଥିଲେ । ଆଉ ଏଥି ପାଇଁ ସେ ୨ ଲକ୍ଷ କିମିରୁ ଅଧିକ ଯାତ୍ରା କରିଥିଲେ । ଏସବୁ ପରେ ମାଓବାଦୀଙ୍କ ସହ ଲିଙ୍କ୍ ଥିବା ସନ୍ଦେହରେ ୨୦୧୪ରେ ଗିରଫ ହୋଇ ଚାକିରି ହରାଇଥିଲେ ସାଇବାବା । ଦୀର୍ଘ ବର୍ଷର ନ୍ୟାୟିକ ଲଢ଼େଇ ପରେ ୨୦୨୪ରେ ଦୋଷମୁକ୍ତ ହୋଇଥିବା ଜିଏନ ସାଇବାବାଙ୍କ ପରଲୋକ ହୋଇଛି ।