ଭୁବନେଶ୍ୱର, ୨୨।୫: ରାଜ୍ୟକୁ ଫେରିଲା କରୋନା । ଭୁବନେଶ୍ୱରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ । ୩ ବର୍ଷ ପରେ ଓଡ଼ିଶାକୁ ପୁଣି ଫେରିଛି କରୋନା । ଆକ୍ରାନ୍ତ ଜଣକ ନିକଟରେ ଦିଲ୍ଲୀରୁ ଫେରିଥିବା ନେଇ ସୂଚନା ମିଳିଛି । ଏବେ ସେ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି । ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଏ ପର୍ଯ୍ୟନ୍ତ ରୋଗୀଙ୍କ ପରିଚୟ ମିଳିପାରିନାହିଁ । ନିକଟରେ ହଂକଂ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ଚୀନ୍ ସମେତ ଏସୀୟ ଦେଶ ଏବଂ ସହରଗୁଡ଼ିକରେ ସଂକ୍ରମଣ ମାମଲା ବଢ଼ିବା ପରେ ଭାରତରେ ରି-ଏଣ୍ଟ୍ରି ହୋଇଛି । ଏବେ ରାଜ୍ୟରେ କରୋନା ଫେରିବା ପରେ ଏହା ଚିନ୍ତାର କାରଣ ପାଲଟିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁରେ ସର୍ବାଧିକ ସକ୍ରିୟ ମାମଲା ରିପୋର୍ଟ ହୋଇଛି । ଉଲ୍ଲେଖନୀୟ ଯେ, ସାରା ଦେଶରେ ମୋଟ ୨୫୭ଟି ସକ୍ରିୟ ମାମଲା ଅଛି । ତଥାପି, କେରଳରେ ସର୍ବାଧିକ ୯୫ ଟି ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ରରେ ୫୬ ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ସେହିଭଳି ତାମିଲନାଡ଼ୁରେ ୬୬ ଜଣ ରିପୋର୍ଟ ପଜିଟିଭ ଆସିଛି । ଏହା ବ୍ୟତୀତ, ପୁଡୁଚେରୀ, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ସିକିମ୍, ହରିୟାଣା, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରେ ମଧ୍ୟ କୋଭିଡ୍ ସଂକ୍ରମଣ ଦେଖିବାକୁ ମିଳିଛି । କହିରଖୁ କି, ସଂକ୍ରମଣ ମାଇଲ୍ଡ ରହିଛି, କୌଣସି ମୃତ୍ୟୁ ନେଇ ଏ ପର୍ଯ୍ୟନ୍ତ ରିପୋର୍ଟ ହୋଇନାହିଁ । ମେ ୧୨ ପରଠାରୁ, ଭାରତରେ ୧୬୪ ଟି ନୂତନ କୋଭିଡ୍ ମାମଲା ଜଣାପଡ଼ିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପକ୍ଷରୁ ଏହି ସୂଚନା ମିଳିଛି ।