କୁଆଖିଆ/ରତ୍ନଗିରି,୩୦/୩ : ଯାଜପୁର ଜିଲ୍ଲାର ଯାଜପୁରରୋଡ୍ ଥାନା ଓ ବାଲିଚନ୍ଦ୍ରପୁର ଥାନାଞ୍ଚଳରେ ଘଟିଥିବା ଦୁଇଟି ହତ୍ୟା ଘଟଣାକୁ ନେଇ ଆଜି ଜିଲ୍ଲାବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି । ଯାଜପୁରରୋଡ୍ ଥାନା ଲକ୍ଷ୍ମୀନଗରରେ ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଲିସ ପିତୃହନ୍ତା ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ବାଲିଚନ୍ଦ୍ରପୁର ଥାନା ପାଥପୁର ଗ୍ରାମରେ ଋଣ ଟଙ୍କା ପରିଶୋଧ କରିବାକୁ କହିବାରୁ ଉତ୍ତ୍ୟକ୍ତ ବଡ଼ଭାଇ ସହଯୋଗୀଙ୍କ ସହ ମିଶି ସାନଭାଇକୁ ଆକ୍ରମଣ କରି ହତ୍ୟା କରିଛି । ଘଟଣାରେ ପୁଲିସ ବଡ଼ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବାକି ଅଭିଯୁକ୍ତ ଫେରାର୍ ଥିବା ଜଣାପଡ଼ିଛି । ଲକ୍ଷ୍ମୀନଗର ଗ୍ରାମର କରୁଣାକର ସାହୁ(୫୫)ଙ୍କର କୌଣସି କାରଣକୁ ନେଇ ପୁଅ ଜଗନ ସାହୁ(୨୭) ସହ ବଚସା ହୋଇଥିଲା । ରାଗି ଯାଇ ଜଗନ ନିଜର ହିତାହିତ ଜ୍ଞାନ ଭୁଲି ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ବାପା କରୁଣାକରଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା । ରକ୍ତ ଜୁଡ଼ୁବୁଡ଼ୁ କରୁଣାକରଙ୍କୁ ପରିବାର ଯାଜପୁରରୋଡ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭତ୍ତି ର୍ କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ସରପଞ୍ଚ ସର୍ବେଶ୍ୱର ସାହୁ ଯାଜପୁରରୋଡ୍ ପୁଲିସକୁ ଖବର ଦେବା ସହ ଥାନାରେ ଅଭିଯୋଗ କରିଥିଲେ ।
ପୁଲିସ ପୁଅ ଜଗନକୁ ଗିରଫ କରିବା ସହ ଠେଙ୍ଗାକୁ ଜବତ କରିଥିଲା । ସେହିପରି ପାଥପୁର ଗ୍ରାମର ନକୁଳ ଦଳେଇଙ୍କ ବଡ଼ପୁଅ ଖଗେଶ୍ୱର ନିଜ ସହଯୋଗୀଙ୍କ ସହ ସାନଭାଇ ଅଜୟକୁ ହତ୍ୟା କରିଥିବା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଛି । ବଡ଼ଭାଇ ଅଜୟ ଝିଅ ବାହାଘର ପାଇଁ ଖଗେଶ୍ୱରଙ୍କ ପତ୍ନୀ ନାମରେ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାରୁ ଋଣ ଆଣିଥିଲା । ବାହାଘର ପରେ ଅଜୟ ଝିଅ ଓ ଜ୍ୱାଇଁଙ୍କୁ ଘରେ ଛାଡ଼ି ପତ୍ନୀ ସହ ତାମିଲନାଡ଼ୁ ରାଜ୍ୟକୁ କାମ କରିବାକୁ ପଳାଇଥିଲା । ଅନ୍ୟପଟେ ଅଜୟ ଆଣିଥିବା ଋଣ ଟଙ୍କା ପରିଶୋଧ କରୁନଥିବାରୁ ଋଣ ପ୍ରଦାନକାରୀ ସଂସ୍ଥା ପକ୍ଷରୁ ସାନଭାଇ ଖଗେଶ୍ୱରଙ୍କ ଉପରେ ଜୁଲମ ଆରମ୍ଭ ହୋଇଥିଲା । ତେଣୁ ଖଗେଶ୍ୱର ବଡ଼ଭାଇ ଅଜୟକୁ ଟଙ୍କା ପରିଶୋଧ କରିବାକୁ ବାରମ୍ବାର ଫୋନ କରୁଥିଲେ । ଚଳିତ ମାସ ୧୬ ତାରିଖରେ ଅଜୟ ପତ୍ନୀ ସହ ଗାଁକୁ ଫେରିଥିଲେ । ସେହିଦିନ ରାତିରେ ଅଜୟ, ତାଙ୍କ ପତ୍ନୀ, ଝିଅ ପୂଜା ଦଳେଇ, ଜ୍ୱାଇଁ ଉତ୍ତମ ଦଳେଇ, ଝିଆରୀ ବଉଳ ଦଳେଇ ଓ ଝିଆରୀ ଜ୍ୱାଇଁ ଅନିଲ ଦଳେଇଙ୍କ ସହ ଆଲୋଚନା କରିଥିଲେ । ୧୭ ତାରିଖ ସକାଳେ ଖଗେଶ୍ୱର ଉଠି ଘର ବାହାରକୁ ଆସିବା ମାତ୍ରେ ପୂର୍ବଯୋଜନା ମୁତାବକ ଅଜୟ ସପରିବାର ଖଗେଶ୍ୱରଙ୍କୁ ମାଡ଼ ମାରିବା ସହ ପଥରରେ ମୁଣ୍ଡକୁ ଛେଚି ଦେଇଥିଲେ । କଟକ ବଡ଼ ଡାକ୍ତରଖାନାରେ ଆଜି ଖଗେଶ୍ୱରଙ୍କର ମୃତ୍ୟୁ ଘଟିଛି । ବାଲିଚନ୍ଦ୍ରପୁର ପୁଲିସ ଅଭିଯୁକ୍ତ ଅଜୟକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ବାକି ଅଭିଯୁକ୍ତ ଫେରାର୍ ଅଛନ୍ତି ।