ନୀଳଗିରି,୧/୧୨(ଆ.ପ୍ର):ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଜଣେ ଅସୁସ୍ଥ ମହିଳାଙ୍କୁ ରକ୍ତ ଦେବାବେଳେ ପ୍ୟାକେଟଟି ଏକ୍ସପାରୀ ବାହାରିଥିବା ଅଭିଯୋଗ ହୋଇଛି।
ନୀଳଗିରି ଏନଏସି ଅଧିନ ୮ନମ୍ବର ୱାର୍ଡ଼ର ରବୀନ୍ଦ୍ର କୁଅଁର ଙ୍କ ସ୍ତ୍ରୀ ସସ୍ମିତା ସୋମବାର ଦିନ ସିଜରିଂ ହୋଇଥିଲେ।ଶୁକ୍ରବାର ବ୍ଲଡ ଆବଶ୍ୟକ ଥିଲା।ନୀଳଗିରି ବ୍ଲଡ଼ବ୍ୟାଙ୍କ ପରିସରରୁ ରକ୍ତ ଆଣି ତାଙ୍କ ସ୍ବାମୀ ଦେଇଥିଲେ । ନର୍ସ ରକ୍ତ ପ୍ୟାକେଟରେ ସଂଗୃହିତ ହୋଇଥିବା ରକ୍ତ ଏକ୍ସପାରୀ ଥିବା ଜାଣିବାକୁ ପାଇଥିଲେ।ସେପ୍ଟେମ୍ବର ୨୦୨୧ ମସିହାରୁ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ବ୍ଲଡ଼ର ପ୍ଲାଷ୍ଟିକ ପ୍ୟାକେଟଟିର ଅବଧି ସମୟ ଥିବାବେଳେ ସେହି ପ୍ୟାକେଟରେ ଡିସେମ୍ବର ମାସ ୧୪ ତାରିଖରେ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି। ଏହି ରକ୍ତକୁ ନର୍ସ ନଦେଇ ବ୍ଲକ ବ୍ୟାଙ୍କରେ ଫେରାଇ ଦେବାକୁ କହିବା ପରେ ମହିଳାଙ୍କ ସ୍ୱାମୀ ମଧ୍ୟ ଏହାକୁ ଫେରାଇ ଦେଇଥିଲେ। ବ୍ଲଡ଼ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଏକ୍ସପାରୀ ପ୍ୟାକେଟରେ ଭୁଲ ବଶତଃ ରକ୍ତ ସଂଗୃହିତ ହୋଇଥିବା କହିଥିଲେ।ପରେ ଏହାକୁ ବଦଳ କରି ଅନ୍ୟଏକ ରକ୍ତ ପ୍ୟାକେଟ ଦେଇଥିଲେ। ଏ ସମ୍ପର୍କରେ ରବୀନ୍ଦ୍ର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।